www.samajalive.in
Sunday, December 7, 2025
18.1 C
Bhubaneswar

ବିଶ୍ୱକପ ହକି : ସ୍ପେନ-ଫ୍ରାନ୍‍ସ ମୁକାବିଲା ଡ୍ର

ଭୁବନେଶ୍ୱର : ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ସୋମବାର ସ୍ପେନ ଓ ଫ୍ରାନ୍‍ସ ମଧ୍ୟରେ ଖେଳାଯାଇଥିବା ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟର ପୁଲ ‘ଏ’ ମ୍ୟାଚ ୧-୧ ଗୋଲରେ ଅମୀମାଂସିତ ରହିଛି। ଫଳରେ ଉଭୟ ଦଳକୁ ୧ ପଏଣ୍ଟ ଲେଖାଏଁ ମିଳିଛି। ଏହି ଦୁଇ ଦଳ ଲିଗ୍‍ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ପରାସ୍ତ ହୋଇସାରିଛନ୍ତି। ଫଳରେ କ୍ରସଓଭର ପଦ୍ଧତିରେ କ୍ୱାର୍ଟର ଫାଇନାଲ ଆଶା ଉଜ୍ଜିବୀତ ରଖିବା ପାଇଁ ଉଭୟ ଦଳକୁ ସେମାନଙ୍କର ଶେଷ ଲିଗ୍‍ ମ୍ୟାଚରେ ବିଜୟୀ ହେବାକୁ ପଡିବ।
ବିଶ୍ୱ ମାନ୍ୟତା ତାଲିକାକୁ ଅନୁଧ୍ୟାନ କଲେ ଫ୍ରାନ୍‍ସ (୨୦) ତୁଳନାରେ ସ୍ପେନ (୬) ଏହି ମୁକାବିଲାରେ ବିଜୟୀ ହେବା ସ୍ୱାଭାବିକ ମନେ ହେଉଥିଲା। ତେବେ ଫ୍ରାନ୍‍ସ ଦଳ ମ୍ୟାଚ ଆରମ୍ଭରୁ ଏହି ଆକଳନକୁ ଭୁଲ ପ୍ରମାଣିତ କରିଥିଲା। ପ୍ରଥମ କ୍ୱାର୍ଟରର ୨ ମିନିଟରେ ସ୍ପେନ ଖେଳାଳି ଭିନ୍‍ସେଙ୍କ୍‍ ରୁଇଜ୍‍ ବାମପାର୍ଶ୍ବରୁ ଦ୍ରୁତ ଗତିରେ ବଲ ନେଇ ଆଗେଇ ଯାଇଥିଲେ ସୁଦ୍ଧା ଫାନ୍‍ସର ଡି’ ଏରିଆରେ ସାଥି ଖେଳାଳି ଏନ୍‍ରିକ୍‍ ଗଞ୍ଜାଲେଜ୍‍ଙ୍କ ଷ୍ଟିକ୍‍ ସହ ଧକ୍କା ଖାଇବାରୁ ସୁଯୋଗ ହାତଛଡା ହୋଇଥିଲା। ୬ ମିନିଟରେ ଫ୍ରାନ୍‍ସ ପ୍ରତିଆକ୍ରମଣରୁ ପ୍ରଥମ ଗୋଲ ସ୍କୋର କରିଥିଲା। ଡି’ ଏରିଆରେ ସ୍ପେନୀୟ ଡିଫେଣ୍ଡରଙ୍କ ନଜର ଆଢୁଆଳରେ ଫ୍ରାନ୍‍ସ ଖେଳାଳି ଏଟିନି ଟିନିଭେଜ୍‍ ସାଥି ଖେଳାଳି ଭିକ୍ଟୋର ଚାର୍ଲେଟ୍‍ଙ୍କୁ ପାସ୍‍ ଦେଇଥିଲେ। ତେବେ ସେଠାରେ ଉପସ୍ଥିତ ଥିବା ଫ୍ରାନ୍‍ସ ଖେଳାଳି ତିମୋଥି କ୍ଲିମେଣ୍ଟଙ୍କ ଷ୍ଟିକ୍‍ରେ ବାଜି ବଲ୍‍ ସ୍ପେନର ଗୋଲପୋଷ୍ଟକୁ ପ୍ରବେଶ କରିଥିଲା। ୧୪ ମିନିଟରେ ସ୍ପେନକୁ ପ୍ରଥମ ପେନାଲଟି କର୍ଣ୍ଣର ମିଳିଥିଲା। ଏହାକୁ ଫ୍ରାନ୍‍ସ ଡିଫେଣ୍ଡର ଚାର୍ଲେଟ ତ୍ରୁଟିପୂର୍ଣ୍ଣଭାବେ ଅଟକାଇବାରୁ ସ୍ପେନକୁ ୨ୟ ପେନାଲଟି କର୍ଣ୍ଣର ମିଳିଥିଲା। ପାଉ କ୍ୟୁମାଦାଙ୍କ ସଟ୍‍କୁ ଚାର୍ଲେଟ ଅନାୟାସରେ ଅଟକାଇଥିଲେ। ଦ୍ୱିତୀୟ କ୍ୱାର୍ଟରର ୧୬ ମିନିଟରେ ଫାଉଲ ଖେଳ ଯୋଗୁଁ ଅମ୍ପାୟାର ସ୍ପେନ ଖେଳାଳି ଜାଭି ଲିଓନାର୍ଟଙ୍କୁ ସବୁଜ କାର୍ଡ ପ୍ରଦର୍ଶନ କରିଥିଲେ। ଫଳରେ ପରବର୍ତ୍ତୀ ୫ ମିନିଟ ସ୍ପେନ ଦଶଜଣ ଖେଳାଳିଙ୍କ ମଧ୍ୟରେ ସୀମିତ ରହିଥିଲା। ୧୭ ମିନିଟରେ ସ୍ପେନକୁ ୩ୟ ପେନାଲଟି କର୍ଣ୍ଣର ମିଳିଥିଲା। କ୍ୟୁମାଦାଙ୍କ ସଟ୍‍କୁ ଫ୍ରାନ୍‍ସ ଗୋଲରକ୍ଷକ ଆର୍ଥର ଥିଫ୍ରି ଅଟକାଇବାରେ ସମର୍ଥ ହୋଇଥିଲେ। ୨୨ ମିନିଟରେ ସ୍ପେନ ଦଳକୁ ଗୋଲ ଦେବାର ସୁବର୍ଣ୍ଣ ସୁଯୋଗ ମିଳିଥିଲା। ଫ୍ରାନ୍‍ସ ଗୋଲ ଏରିଆରେ ଏନ୍‍ରିକ୍‍ ଗଞ୍ଜାଲେଜ୍‍ଙ୍କ ଶକ୍ତିଶାଳୀ ରିଭର୍ସ ସଟ୍‍କୁ ଜିନ୍‍-ବାପ୍‍ଟିଷ୍ଟ ଫୋର୍ଗସ ଗୋଲଲାଇନ ଉପରେ ଅଟକାଇଥିଲେ। ୨୭ ମିନିଟରେ ସ୍ପେନ ଗୋଲରକ୍ଷକ କ୍ୱିକୋ କୋର୍ଟେସଙ୍କୁ ଏକାକି ପାଇ ସୁଦ୍ଧା ଗାସ୍ପାର୍ଡ ବମ୍‍ଗାର୍ଟେନ ଗୋଲ ଦେବାରେ ବିଫଳ ହୋଇଥିଲେ। ଫଳରେ ମଧ୍ୟାନ୍ତର ସୁଦ୍ଧା ସ୍କୋରଲାଇନ ଫ୍ରାନ୍‍ସ ସପକ୍ଷରେ ୧-୦ ରହିଥିଲା।
ବିରତି ପରେ ଗୋଲ ପରିଶୋଧ କରିବାକୁ ସ୍ପେନ ଦଳ ଆପ୍ରାଣ ଉଦ୍ୟମ କରିଥିଲା। ତୃତୀୟ କ୍ୱାର୍ଟରର ୩୩ ମିନିଟରେ ଏନ୍‍ରିକ୍‍ ଗଞ୍ଜାଲେଜ୍‍ ଦୁଇଥର ଫ୍ରାନ୍‍ସ ଗୋଲପୋଷ୍ଟକୁ ଲକ୍ଷ୍ୟ କରି ସଟ୍‍ ମାରିଥିଲେ ସୁଦ୍ଧା ଥିଫ୍ରିଙ୍କ ତତ୍ପରତା ଯୋଗୁଁ ଗୋଲ ସମ୍ଭବ ହୋଇନଥିଲା। ୩୮ ମିନିଟରେ ସ୍ପେନକୁ ୪ର୍ଥ ପେନାଲଟି କର୍ଣ୍ଣର ମିଳିଥିଲା। କ୍ୟୁମାଦାଙ୍କ ସଟ୍‍କୁ ଫରାସୀ ଡିଫେଣ୍ଡର ହ୍ୟୁଗୋ ଜିନ୍‍ଷ୍ଟେଟ୍‍ ସଫଳତାର ସହ ଅଟକାଇଥିଲେ। ୪୧ ଓ ୪୩ ମିନିଟରେ ଗଞ୍ଜାଲେଜ୍‍ଙ୍କ ଉଦ୍ୟମକୁ ଫରାସୀ ରକ୍ଷଣଭାଗ ସଫଳତାର ସହ ମୁକାବିଲା କରିଥିଲେ। ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟରରେ ଫ୍ରାନ୍‍ସ ଦଳ ଅପେକ୍ଷାକୃତ ରକ୍ଷଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲା। ଏହାର ସୁଯୋଗ ନେଇ ୪୮ ମିନିଟରେ ଆଲଭାରୋ ଇଗ୍‍ଲିସିୟସ୍‍ ସ୍ପେନ ତରଫରୁ ଗୋଲ ସ୍କୋର କରି ମ୍ୟାଚକୁ ୧-୧ ସ୍ଥିତିକୁ ଆଣିଥିଲେ। ୫୧ ମିନିଟରେ ଡି’ ଏରିଆରେ ସ୍ପେନୀୟ ଖେଳାଳିଙ୍କ ଫାଉଲ ଯୋଗୁଁ ଅମ୍ପାୟାର ଫ୍ରାନ୍‍ସକୁ ପେନାଲଟି ଷ୍ଟ୍ରୋକ୍‍ ନିର୍ଦେଶ ଦେଇଥିଲେ। ତେବେ ସ୍ପେନର ଅଭିଜ୍ଞ ଗୋଲରକ୍ଷକ କୋର୍ଟେସ ଚତୁରତାର ସହ ଏହାକୁ ଅଟକାଇବାରୁ ଫ୍ରାନ୍‍ସ ନିଶ୍ଚିତ ବିଜୟରୁ ବଞ୍ଚିତ ହୋଇଥିଲା। ନିର୍ଦ୍ଧାରିତ ସମୟରେ ମ୍ୟାଚ ୧-୧ ଗୋଲରେ ଅମୀମାଂସିତ ରହିଥିଲା।

Hot this week

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

Related Articles

Popular Categories