www.samajalive.in
Monday, December 8, 2025
14.1 C
Bhubaneswar

ପାଣି ଭଳି ବିକ୍ରି ହେଲା ପବନ

ନୂଆଦିଲ୍ଲୀ : ଶୁଦ୍ଧ ପାଣି ବୋତଲ ଭଳି ଏବେ ବିଶୁଦ୍ଧ ପବନ ବିକ୍ରି ଆରମ୍ଭ ହେଲାଣି। କାନାଡ଼ା, ଚୀନ୍‌ ଆଦି ରାଷ୍ଟ୍ରରେ କେବେଠାରୁ ବିଶୁଦ୍ଧ ବାୟୁ ବିକ୍ରି ଆରମ୍ଭ ହୋଇଯାଇଥିବାବେଳେ ଏବେ ଭାରତର ଦିଲ୍ଲୀ, ଚେନ୍ନଇ, ହାଇଦରାବାଦ, ବେଙ୍ଗାଲୁରୁ ଓ ମୁମ୍ବଇ ଭଳି ପ୍ରଦୂଷିତ ସହରର ବଡ଼ ବଡ଼ ମଲ୍‌ରେ ଏହି ତାଜା ବାୟୁକୁ ବିଭିନ୍ନ କ୍ୟାନ୍‌ ଓ ସିଲିଣ୍ଡରରେ ବିକ୍ରି କରାଯାଉଛି। ପାଣି କିଣି ପିଇବାକୁ ପଡିବ ! ଏଭଳି ଧାରଣା ୫ ଦଶନ୍ଧି ପୂର୍ବେ ଭାରତରେ କେହି ହୁଏତ ଭାବି ନଥିଲେ; କିନ୍ତୁ ଏବେ ଏହା ସହରଠାରୁ ଗାଁ ପର୍ଯ୍ୟନ୍ତ ସବୁଠି ମିଳୁଛି। ବିଶୁଦ୍ଧ ପାଣି ଏକ ଆବଶ୍ୟକତା ପାଲଟିଛି। ସେହିଭଳି ବିଶୁଦ୍ଧ ବାୟୁ କିଣାବିକା ଦିଲ୍ଲୀ ଭଳି ପ୍ରଦୂଷିତ ସହରକୁ ଏବେ ଏକ ବାଧ୍ୟବାଧକତା ଭିତରକୁ ଠେଲିବାକୁ ବସିଲାଣି। ଦିଲ୍ଲୀରେ କ୍ରମାଗତ ଭାବେ ବାୟୁରେ ପ୍ରଦୂଷଣ ମାତ୍ରା ଅହେତୁକ ବୃଦ୍ଧିକୁ ନେଇ ଲୋକ ତାଜା ବାୟୁ (ଫ୍ରେସ ଏୟାର) ଟିକେ ପାଇବା ପାଇଁ ଡହଳ ବିକଳ ହେଉଛନ୍ତି। ତାଜା ବାୟୁର ଅଭାବରୁ ଲୋକେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏପରି ସ୍ଥଳେ ଫ୍ରେସ ଏୟାର ଯୋଗାଇ ଦେବା ପୂର୍ବକ ବିଭିନ୍ନ କମ୍ପାନୀ ବ୍ୟବସାୟ ଆରମ୍ଭ କରିଛନ୍ତି। ବିଭିନ୍ନ କମ୍ପାନୀ ଦିଲ୍ଲୀରେ ଫ୍ରେସ ଏୟାର ଭର୍ତ୍ତି ସିଲିଣ୍ଡର ବିକ୍ରି କରିବା ଆରମ୍ଭ କରିଛନ୍ତି। ଦିଲ୍ଲୀରେ ଏବେ ୧୦ ଲିଟର ଫ୍ରେସ ଏୟାର ଭର୍ତ୍ତି ସିଲିଣ୍ଡରକୁ ୫୫୦ ଟଙ୍କାରେ ବିକ୍ରି କରାଯାଉଛି। ଏହି ୧୦ ଲିଟର ଫ୍ରେସ୍‌ ଏୟାର ୧୬୦ ଥର ଶ୍ୱାସକ୍ରିୟାରେ ଶେଷ ହୋଇଯିବ। ଏହି ତାଜା ବାୟୁ ବିକ୍ରି କରୁଥିବା ‘ପିଓର ହିମାଳୟ ଏୟାର’ ନାମକ ଏକ କମ୍ପାନୀ କହିବା ଅନୁଯାୟୀ ଉତ୍ତରାଖଣ୍ଡର ଚାମୋଲିରୁ ଏହି ଫ୍ରେସ ଏୟାରକୁ ସଂଗ୍ରହ କରାଯାଉଛି। ଏହି ବାୟୁରେ ଅମ୍ଳଜାନ, ନାଇଟ୍ରୋଜେନ ଓ ଅନ୍ୟାନ୍ୟ ପ୍ରାକୃତିକ ଉପାଦାନ ରହିଥିବା କମ୍ପାନୀ କହିଛି। ୨୦୧୬ରେ କାନାଡାର ଭାଇଟାଲିଟି ଏୟାର ନାମକ ଷ୍ଟାର୍ଟ ଅପ୍‍ ଭାରତରେ ଫ୍ରେସ ଏୟାରର ସଫଳ ବ୍ୟବସାୟ ଆରମ୍ଭ କରିଥିଲା।
ସୂଚନାଯୋଗ୍ୟ, ୧୯୭୩ ମସିହାରେ ଆମେରିକାର ଡୁ ପଣ୍ଟର ଇଞ୍ଜିନିୟର ନାଥାନେଲ୍‌ ୱେଥ୍‌ ପ୍ରଥମେ ବୋତଲ ପାଣିକୁ ପ୍ୟାଟେଣ୍ଟ କରିବା ପରେ କିଛି ଧନପତି ଭାରତୀୟ ଏହାକୁ ସତୁରି ଦଶକରେ ଚାଖିଥିଲେ। ନବେ ଦଶକ ପର୍ଯ୍ୟନ୍ତ ଭାରତରେ ବୋତଲରେ ପାଣି ବିକ୍ରି ହେବା ଏକ ବିରଳ ଘଟଣା ଥିଲା। ବମ୍ବେରେ ଏକ ଦାମୀ କମ୍ପାନୀ ପ୍ରଥମେ ନବେ ଦଶକରେ ପାଣି ବୋତଲ କାରଖାନା ବସାଇବା ସହ ଏହାକୁ ବିକ୍ରି କରିବାକୁ ଆରମ୍ଭ କରିଥିଲେ। ଯେଉଁ କଥାକୁ ସେତେବେଳେ ଗାଁ ଗହଳିରେ ଅନେକ ଲୋକ ଅବିଶ୍ବାସ ମଣିଥିଲେ। ମାତ୍ର ଆଜିର ଦିନରେ ବୋତଲ ପାଣି ଓ ପାଉଚ୍ ପାଣି ଗ୍ରାମାଞ୍ଚଳରେ ମଧ୍ୟ ଏକପ୍ରକାର ଘରେ ଘରେ ବ୍ୟବହାର ହେଉଛି।
ଅନୁରୂପ ପରିସ୍ଥିତି ଏବେ ବିଶୁଦ୍ଧ ବାୟୁ (ପବନ) କିଣିବା କ୍ଷେତ୍ରରେ ଦେଖିବାକୁ ମିଳିଲାଣି। ସାଧାରଣତଃ ରୋଗୀଟିକୁ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟହେଲେ ଡାକ୍ତର ଅକ୍ସିଜେନ୍‌ (ଅମ୍ଳଜାନ) ସିଲିଣ୍ଡର ଲଗାଉଥିବା ଆମେ ଜାଣୁ। ଏପରିକି ନିଜେ ପ୍ରଶ୍ବାସ ନେଇ ନ ପାରିଲେ ଭେନ୍‌ଟିଲେଟର ଲଗାଯାଇ ହୃତ୍‌ପିଣ୍ଡକୁ ସଚଳ ରଖିବା ଲାଗି କୃତ୍ରିମ ଉପାୟରେ ଫୁସ୍‌ଫୁସ୍‌କୁ ଅମ୍ଳଜାନ ଯୋଗାଇ ଦିଆଯାଇଥାଏ। ଏବେ କେବଳ ପାଣି ନୁହେଁ, ପବନ ମଧ୍ୟ ବିଷାକ୍ତ ହୋଇପଡିଲାଣି। ଦେଶର ରାଜଧାନୀ ଦିଲ୍ଲୀ ସହରରେ ପରିବେଶ ଏଭଳି ବିଷାକ୍ତ ହୋଇଉଠିଛି ଯେ ଲୋକେ କ୍ୟାନ୍(ପତଳା ଟିଣ ବୋତଲ)ରେ ଭର୍ତ୍ତି ବିଶୁଦ୍ଧ ଅମ୍ଲଜାନ କିଣିବାକୁ ଏବେ କେତେକ ମଲ୍‌ରେ ଧାଡ଼ି ଲଗାଉଥିବା ଦେଖିବାକୁ ମିଳୁଛି। ଏହାକୁ ଦେଖି କେତେକ ବିଦେଶୀ ଓ ଭାରତୀୟ ଉଦ୍ୟୋଗ ବିଶୁଦ୍ଧ ବାୟୁ ବିକ୍ରି କରିବା ଲାଗି ଭିତ୍ତିଭୂମି ଦେଶରେ ନିର୍ମାଣ କଲେଣି।
ଅନ୍ୟପକ୍ଷରେ ୮ ଲିଟର ବିଶିଷ୍ଟ ବିଶୁଦ୍ଧ ଅମ୍ଳଜାନ ଭର୍ତ୍ତି ବାୟୁ ଜଣେ ବ୍ୟକ୍ତି ପାଇଁ ମାତ୍ର ୧୬୦ଟି ପ୍ରଶ୍ବାସରେ ସରିଯିବ। ଅର୍ଥାତ୍ ଘଣ୍ଟାକୁ ଜଣେ ବ୍ୟକ୍ତି ୯୬୦ ଥର ପ୍ରଶ୍ବାସ ନେଇଥାଏ। ତେଣୁ ଘଣ୍ଟାକରେ ଆମକୁ ଲୋଡ଼ା ୬ ବୋତଲ। ଅତଏବ ଦିନକ ପାଇଁ ଦରକାର ୧୪୪ ବୋତଲ ବିଶୁଦ୍ଧ ବାୟୁ। ଜଙ୍ଗଲ ଧ୍ବଂସ ଓ ପରିବେଶ ପ୍ରଦୂଷଣ ଯେଭଳି ଭାବେ ବଢିଚାଲିଛି ବାୟୁ ପ୍ରଦୂଷଣ ଆମକୁ ଏବେ ବିଶୁଦ୍ଧ ପବନ କିଣିବା ଭଳି ବିକଳ୍ପ ବାଛିବାକୁ ବାଧ୍ୟ କଲାଣି। ପାଣି ବୋତଲ ଭଳି ଏହା ଆଗକୁ ଏକ ଜରୁରୀ ଆବଶ୍ୟକତା ପଡିବ। ଧନୀ ହୁଏତ ଏକ୍ଷେତ୍ରରେ ବଞ୍ଚିପାରିବେ; ଗରିବ ଏହାକୁ କିଣିପାରିବେ ତ ! ସବୁଠୁ ବଡ଼ କଥା ହେଉଛି, ଅନ୍ୟ ଜୀବଜନ୍ତୁ ବିଶେଷକରି ସ୍ତନ୍ୟପାୟୀ ପ୍ରାଣୀଙ୍କୁ କୁଆଡୁ ମୁକ୍ତ ଅମ୍ଳଜାନଯୁକ୍ତ ପବନ ଉପଲବ୍ଧ ହେବ। ତାହା ବି ଚିନ୍ତା କରିବାର ସମୟ ଆସିଛି। ଜଳବାୟୁ ପରିବର୍ତ୍ତନ ଯେଭଳି ମାତ୍ରାରେ ପ୍ରଦୂଷଣ ଓ ପ୍ରାକୃତିକ ବିପର୍ଯ୍ୟୟ ବଢାଇଲାଣି; ଆଗକୁ କୌଣସି ଆଣବିକ ଯୁଦ୍ଧାସ୍ତ୍ର ନୁହେଁ; ଅମ୍ଳଜାନବିହୀନ ପୃଥିବୀରୁ ଜୀବଜଗତ ଆପେ ଆପେ ଧ୍ବଂସ ପାଇଯିବା ଅସମ୍ଭବ ନୁହେଁ !

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories