ଭୋଟ ଗଣନା ଓ ଇଭିଏମ୍ ସିଲିଂ ପାଇଁ ପ୍ରଶିକ୍ଷଣ ଶିବିର
ଯାଜପୁର : ଆସନ୍ତା ପୈାର ନିର୍ବାଚନ ପାଇଁ ଯାଜପୁର ଜିଲ୍ଲାରେ ଭୋଟ ଗଣନା ଓ ଇଭିଏମ୍ ସିଲିଂ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ସୋମବାର ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୋଟ ଗଣନା ଦାୟିତ୍ୱରେ ଥିବା ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସ୍ୱାଗତ କରିଥିଲେ। ଆସନ୍ତା ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଯାଜପୁର ଜିଲ୍ଲାର ଦୁଇଗୋଟି ପୈାରାଞ୍ଚଳ ଯାଜପୁର ଏବଂ ବ୍ୟାସନଗର ପୈାର ପରିଷଦ ପାଇଁ ଅଧ୍ୟକ୍ଷ ଓ କାଉନସିଲର ମାନଙ୍କର ଭୋଟ ଗଣନା କାର୍ଯ୍ୟ କିପରି ସୁଚାରୁ ରୂପେ ସଂପାଦିତ ହୋଇପାରିବ ସେ ଦିଗରେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ଶ୍ରୀ ମଲ୍ଲିକ କହିଥିଲେ । ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ମହିର ପ୍ରସାଦ ମହାନ୍ତି ପ୍ରତ୍ୟେକ ନିର୍ବାଚନ ଭୋଟ ଗଣତି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଥିବାରୁ ଏହାକୁ ନିର୍ବାହ କରିବା ବେଳେ ଦାୟିତ୍ୱରେ ଥିବା ଅଧିକାରୀମାନେ ବିଶେଷ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ ।
ଇଭିଏମ୍ କଣ୍ଟ୍ରୋଲ ୟୁନିଟ୍ ଗୁଡିକୁ ସତର୍କ ଓ ଯତ୍ନ ସହକାରେ ଖୋଲି ଉପସ୍ଥିତ ଏଜେଣ୍ଟ ମାନଙ୍କୁ ଫଳାଫଳ ଅବଗତ କରାଇ ଆବଶ୍ୟକୀୟ କାଗଜପତ୍ର ନିର୍ବାଚନ ଅଧିକାରୀଙ୍କୁ ହସ୍ତଗତ କରାଇବା ଗଣନା ଅଧିକାରୀଙ୍କ ପ୍ରମୁଖ କାର୍ଯ୍ୟ ବୋଲି ଉପଜିଲ୍ଲାପାଳ ଡଃ ଶରତ ଚନ୍ଦ୍ର ମହାପାତ୍ର ସୂଚନା ଦେଇଥିଲେ। ବିସ୍ତୃତ ସୂଚନା ଦେଇ ମାଷ୍ଟର ଟ୍ରେନର ତଥା ଯାଜପୁର ବିଡିଓ ସୌରଭ ଚକ୍ରବର୍ତ୍ତୀ ମତ ଗଣନାର ବିବିଧ ଦିଗ ଓ ଭୋଟ ଗଣନା ପରେ ମେସିନ ସିଲିଂ ବ୍ୟବସ୍ଥା ସଂପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ସହକାରୀ ଜିଲ୍ଲାପାଳ ତିଳୋମା ପୃଷ୍ଟି ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସ୍ୱାଗତ କରିବା ସହ ଭୋଟ ଗଣନା ଓ ଇଭିଏମ୍ ସିଲିଂ ବିଷୟରେ ନିର୍ବାଚନ କମିଶନଙ୍କ ମାର୍ଗଦର୍ଶିକା ଊପସ୍ଥାପନ କରିଥିଲେ। ଉଭୟ ପୌରାଞ୍ଚଳ ପାଇଁ ପୌରାଧ୍ୟକ୍ଷ ଓ କାଉନସିଲରଙ୍କ ଭୋଟ ଗଣତି ପାଇଁ ୫ ଗୋଟି ଟେବୁଲର ଆୟୋଜନ କରାଯାଇଛି । ବ୍ୟାସନଗର ପୌରାଞ୍ଚଳ ପାଇଁ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସର ଏବଂ ଯାଜପୁର ପୌରାଞ୍ଚଳ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପାର୍କିଂ ସ୍ଥଳୀକୁ ଧାର୍ଯ୍ୟ କରାଯାଇଛି । ଆଜିର ଏହି ତାଲିମ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଯାଜପୁର ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ, ବ୍ୟାସନଗର ତହସିଲଦାର ଅଶୋକ ମାଝି, ବିଂଝାରପୁର ତହସିଲଦାର ଦୀପକ ରାଊତ, ଯାଜପୁର ପୌର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟଯୋଶୀ, ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, ସହକାରୀ ଜିଲ୍ଲାପାଳ ତରଣୀସେନ ପଟ୍ଟନାୟକ, ଊମେଶ ଚନ୍ଦ୍ର ଲେଙ୍କା ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.