ରୋହିତଙ୍କ ସହ ବିବାଦକୁ ଖଣ୍ଡନ କଲେ କୋହଲି

ନୂଆଦିଲ୍ଲୀ: ବିଶ୍ଵକପ୍‌ ପରେ ଭାରତୀୟ କ୍ରିକେଟ ଟିମ୍‌ ଅଧିନାୟକ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ ବିବାଦକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି। କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି କ୍ୟାପଟେନ କୋହଲି। ୱେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ କୋହଲି ଏକ ଖବରଦାତା ସମ୍ମିଳନୀରେ ଏହା ସ୍ପଷ୍ଟ କରିଛନ୍ତି।

prayash

ୱେଷ୍ଟଇଣ୍ଡିଜ ଗସ୍ତ କାଳରେ ଟିମ୍‌ ଇଣ୍ଡିଆ ୩ଟି ଟି-୨୦ ମ୍ୟାଚ ଖେଳିବ। ଏହା ସହିତ ଉଭୟ ଦେଶ ମଧ୍ୟରେ ୩ଟି ଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ଅନୁଷ୍ଠିତ ହେବ। ଏ ନେଇ ସୂଚନା ଦେବା ଲାଗି କୋହଲି ବିସିସିଆଇ ପକ୍ଷରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଯୋଗଦେଇଥିଲେ। ଏହି ସମୟରେ ତାଙ୍କୁ ରୋହିତଙ୍କ ସହିତ ତାଙ୍କର ବିବାଦକୁ ନେଇ ପ୍ରଚାର ଚାଲିଥିବା ଖବର ମଧ୍ୟରେ କେତେ ସତ୍ୟତା ରହିଛି ସେ ସମ୍ପର୍କରେ ପଚରାଯାଇଥିଲା। କୋହଲି କହିଥିଲେ, ମୁଁ ନିକଟରେ ଗଣମାଧ୍ୟମରୁ ଏ ବିଷୟରେ ଅନେକ ଖବର ଜାଣିବାକୁ ପାଇଛି। କିନ୍ତୁ ମୁଁ ଏତିକି କହିପାରିବି ଯେ, ଟିମ୍‌ର ମାହୋଲ ଠିକ୍‌ ଅଛି ଏବଂ ସେଥିପାଇଁ ଟିମ୍‌ ଭଲ ପ୍ରଦର୍ଶନ କରୁଛି। ଯଦି ଟିମ୍‌ ଭିତରେ ସବୁକିଛି ଠିକ୍‌ ନ ଥାନ୍ତା, ତେବେ ଆମେ ସେସବୁ ହାସଲ କରିପାରନ୍ତୁ ନାହିଁ, ଯାହାସବୁ ଆମେ କରିଛୁ। ଅନ୍ତର୍ଜାତୀୟ ସ୍ତରର ଖେଳରେ ଟିମ୍‌ ଗେମ୍‌ ଜରୁରୀ।

କୋହଲି ସାମ୍ବାଦିକମାନଙ୍କୁ କହିଥିଲେ ଯେ, ଆପଣମାନଙ୍କୁ ଦେଖିବା ଉଚିତ ଯେ ଆମ ଡ୍ରେସିଂ ରୁମ୍‌ର ମାହୋଲ କେତେ ଭଲ ରହିଛି, କୁଲଦୀପ ଯାଦବ ଏବଂ ଏମ.ଏସ. ଧୋନୀଙ୍କ ଭଳି ଖେଳାଳିଙ୍କ ସହିତ କିପରି ଥଟ୍ଟାମଜା କରାଯାଉଛି। ରୋହିତ ଏବଂ ମୋତେ ନେଇ କିଏ ମନଗଢ଼ା କାହାଣୀ ତିଆରି କରୁଛି ତାହା ମୋତେ ଜଣାନାହିଁ। ଏଭଳି ତଥ୍ୟ କିପରି ପ୍ରଚାରିତ ହେଉଛି ମୁଁ ଜାଣିନାହିଁ। ଏଥିରେ ଆମର ବ୍ୟକ୍ତିଗତ ଜୀବନକୁ ମଧ୍ୟ ଟଣାଯଉଛି। ମୋତେ ଯଦି କାହାଠାରୁ ସମସ୍ୟା ରହିଛି, ତେବେ ତାହା ମୋ ଚେହେରାରେ ସ୍ପଷ୍ଟ ଦେଖାଯିବ। ମୋର ଏବଂ ରୋହିତଙ୍କ ମଧ୍ୟରେ ସବୁକିଛି ଠିକ୍‌ ରହିଛି। ଏପରି ଖବର କେଉଁଠୁ ଆସୁଛି ତାହା ମୋତେ ଜଣାନାହିଁ।

kalyan agarbati

Comments are closed.