ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ନୋଏଡାରେ ଏକ କାର ନମ୍ବର କିଣିବା ପାଇଁ ଖର୍ଚ୍ଚ ହୋଇଥିବା ୨୭.୫୦ଲକ୍ଷ ଟଙ୍କା ଯୋଗୁଁ ଏହା ଖବରର ଶିରୋନାମା ପାଲଟିଛି । ଏକ କମ୍ପାନୀ ଏକ ବିଳାସପୂର୍ଣ୍ଣ କାର ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମି କରିବା ମାତ୍ରେ ବେଶ ଚର୍ଚ୍ଚା ହୋଇଛି । ନମ୍ବରଟି ହେଉଛି UP16FH 0001। ଭିଆଇପି ନମ୍ବର ପାଇଁ ଟଙ୍କା ଖର୍ଚ୍ଚ କରିବା ଅସ୍ୱାଭାବିକ ନୁହେଁ, ବରଂ ଆଭିଜାତ୍ୟ ବୋଲି କହି ପାରିବା । କିଛି ଲୋକଙ୍କର ଏହା ଏକ ଅଜବ ନିଶା ହୋଇଥାଏ ।
ଆରଟିଓ ଅଧିକାରୀଙ୍କ ସୂଚନା ଅନୁସାରେ ୦୦୦୧ ଭଳି ନମ୍ବରକୁ ସର୍ବଦା ଏକ ଷ୍ଟାଟସ୍ ସିମ୍ବଲ ଭାବରେ ବିବେଚନା କରାଯାଇଛି । ଲୋକମାନେ ଏହାକୁ ପାଇବା ପାଇଁ ବହୁତ ଚେଷ୍ଟା କରନ୍ତି, ବିଶେଷକରି ଦିଲ୍ଲୀ-ଏନସିଆରରେ ନିଜର ଆଭିଜାତ୍ୟ, ପ୍ରତିଷ୍ଠା ବଜାୟ ରଖିବା ପାଇଁ, ଲୋକମାନେ ଭିଆଇପି ନମ୍ବର ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପୂର୍ବରୁ ଗୋଟିଏ ସେକେଣ୍ଡ ପାଇଁ ମଧ୍ୟ ସଂକୋଚ କରନ୍ତି ନାହିଁ ।
ପ୍ରକୃତରେ ନୋଏଡା ଆରଟିଓ ବିଭାଗ ନୂତନ ଘରୋଇ ଯାନ ସିରିଜ୍ UP16 FH ପାଇଁ ଏକ ଅନଲାଇନ୍ ନିଲାମ ଆରମ୍ଭ କରିଥିଲା । ଲୋକମାନେ ସାଧାରଣତଃ ନିଲାମରେ ଅଂଶଗ୍ରହଣ କରୁଥିବା ବେଳେ ଏଥର କିନ୍ତୁ ନିଲାମ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଆରଟିଓ ଅଧିକାରୀଙ୍କ ଅନୁଯାୟୀ, ୦୦୦୧ ନମ୍ବର ପାଇଁ ନିଲାମ ଆରମ୍ଭ ହେବା ମାତ୍ରେ ଅତ୍ୟନ୍ତ ଉତ୍ସାହିତ ହୋଇଥିଲେ । ପରେ ଏହା କ୍ରମାଗତ ବଢି ୨୭.୫୦ଲକ୍ଷର ସର୍ବଧିକ ରେକର୍ଡ ଛୁଇଁଥିଲା ।



