ଅନ୍ତର୍ଜାତୀୟମାନର ହେବ ଉତ୍କଳ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟକୁ ଅନ୍ତର୍ଜାତୀୟ ମାନର କରାଯିବ। ବିଶ୍ବର ବିଭିନ୍ନ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟ ସହ ଚୁକ୍ତିପତ୍ର ସ୍ବାକ୍ଷର କରାଯିବ। ପୂର୍ବରୁ ୪ ବିଶ୍ବବିଦ୍ୟାଳୟ ସହ ଚୁକ୍ତପତ୍ର ସ୍ବାକ୍ଷର ହୋଇଥିବାବେଳ ନର୍ଥ ଇଷ୍ଟ ୟୁନିଭର୍ସିଟି ବୋଷ୍ଟନ୍ ଆମେରିକା ଓ ୟୁନିର୍ଭର୍ସିଟି ଅଫ୍ କାନାଡା ସହ ଯୋଗାଯୋଗା ଜାରି ରହିଛି। ଏହି ଦୁଇ ବିଶ୍ବବିଦ୍ୟାଳୟ ସହ ଖୁବ୍ଶୀଘ୍ର ଚୁକ୍ତପତ୍ର ସ୍ବାକ୍ଷର ହେବ ବୋଲି କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି।
ମହାଭାରତର ଦକ୍ଷିଣ ଓ ଦକ୍ଷିଣପୂର୍ବ ଏସିଆରେ ବିସ୍ତାର ଓ ପ୍ରଭାବ, ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଯୋଜନା, ଭାରତୀୟ ରାଷ୍ଟ୍ର ଓ ବ୍ରିଟିଶ୍ ଶାସନ ପ୍ରଭାବ ଶୀର୍ଷକ ଅନ୍ତଃରାଷ୍ଟ୍ରୀୟ ଆଲୋଚନାଚକ୍ର ହୋଟେଲ ମେ’ ଫେୟାରଠାରେ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନ ଉତ୍ସବରେ କୁଳପତି ପ୍ରଫେସର ପଟ୍ଟନାୟକ ଅଧ୍ୟକ୍ଷତା କରି କହିଥିଲେ ଯେ, ଉତ୍କଳ ବିଶ୍ୱବିଦ୍ୟାଳୟର କାନାଡାସ୍ଥିତ ୟୁନିଭର୍ସିଟି ଅଫ୍ ଟରଣ୍ଟୋ ଓ ଅଷ୍ଟ୍ରେଲିଅାର ମେଲବର୍ଣ୍ଣ ୟୁନିଭର୍ସିଟି ସହିତ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ଆଗାମୀ ଦିନରେ ଏହି ଧାରା ଜାରି ରହିବ। ବିଦେଶକୁ ଛାତ୍ରଛାତ୍ରୀ ଓ ପ୍ରଫେସର ଯାତାୟାତ କରିବା ଦ୍ବାରା ଗବେଷଣାର ବିକାଶ ହୋଇପାରିବ ବୋଲି ପ୍ରଫେସର ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।
ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରମୁଖ ଉପଦେଷ୍ଟା ଆର୍.ବାଲକ୍ରୀଷ୍ଣ ଯୋଗଦେଇ କହିଥିଲେ ଯେ, ବର୍ତ୍ତମାନ ପରିସ୍ଥିତିରେ ବିଶ୍ବ ଶାନ୍ତି ଓ ସୁସ୍ଥ ବାତବାରଣ ଦକ୍ଷିଣ ଏସିଆର ପ୍ରମୁଖ ଭୂମିକା ରହିଛି। ଓଡ଼ିଶାର ବିଭିନ୍ନତା ପ୍ରତି ସାମାଜିକ ଉତ୍ତରଦାୟିତ୍ବ ଓ ସମ୍ବେଦନଶୀଳତା ସର୍ବଜନବିଦିତ। ଦକ୍ଷିଣ ଏସିଆର ରାଜନୈତିକ ,ସାମାଜିକ ଓ ଅର୍ଥନୀତି ଉପସ୍ଥିତି ବିଶ୍ବ ପାଇଁ ବାର୍ତ୍ତା ବହନ କରୁଛି। ଓଡ଼ିଶାର ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଭାଷାକୁ ନେଇ ଯେଉଁ ଆଦିବାସୀ ସଙ୍ଗୀତ ପ୍ରସ୍ତୁତ କରାଯାଇଛି ତାହା ବିଭିନ୍ନ ସମ୍ପ୍ରଦାୟ ପ୍ରତି ସହିଷ୍ଣୁତା ସହନଶୀଳତା ଓ ସମ୍ମାନସୂଚକ ପଦ ବାଚ୍ୟର ପ୍ରତୀକ। ଜନସମ୍ପ୍ରଦାୟ ବ୍ୟକ୍ତି ବିଶେଷର ଭ୍ରମଣ ପରିପ୍ରେକ୍ଷୀରେ ବିଭିନ୍ନ ବ୍ୟକ୍ତିଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଓ ଜ୍ଞାନ ଅର୍ଜନରେ ସହାୟକ ହୋଇଥାଏ। ଭାରତୀୟ ସଭ୍ୟତାକୁ ବୁଝିବାକୁ ହେଲେ ଦକ୍ଷିଣ ଏସିଆର ଐତିହାସିକ ଓ ସାଂସ୍କତିକ ଚାଲିଚଳନି ସମ୍ପର୍କରେ ଆବଶ୍ୟକତା ରହିଛି।
ଜେଏନ୍ୟୁ ସମାଜ ବିଜ୍ଞାନ ପ୍ରଫେସର ନିଲିକା ମହେରୋତ୍ରା କହିଥିଲେ ଦକ୍ଷିଣ ଏସିଆ ଏକ ଅଞ୍ଚଳ ହିସାବରେ ଗୋଟିଏ ସାମାଜିକ ପରିକଳ୍ପନା। ଏହାର ରାଜନୈତିକ,ଭୌଗଳିକ ଓ ଆର୍ଥିକ ବାସ୍ତବିକତା ସହିତ କଳା ଓ ସଂସ୍କୃତିର ସମନ୍ବୟ ସ୍ବତନ୍ତ୍ରତାର ସ୍ଥାନ ଅଧିକାର କରିଛି। ସଙ୍ଗୀତ କଳା ଓ ସାହିତ୍ୟ ଦେଶର ରାଜନୈତିକ ପରିଧିରେ ସମୀତି ହୋଇପାରେନି। ଏହା ବହୁ ଗୁରୁତ୍ବ ବହନ କରିଥାଏ। ମାନବିକ ମୂଲ୍ୟବୋଧର ବିକାଶ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥାଏ ବୋଲି ସେ କହିଥିଲେ। େବଲଜିୟମର ନ୍ୟୁଭେନ୍ସ୍ଥିତ କାଥୋଲିକ ବିଶ୍ବବିଦ୍ୟାଳୟର ପ୍ରଫେସର ନୋଏଲ ସାଲାଜାର କହିଥିଲେ ଭୌଗଳିକ ଭୂଖଣ୍ଡ ସହ ସାମୁଦ୍ରିକ ମାର୍ଗ ଉପରେ ଧ୍ୟାନ ଦେବାକୁ ପଡ଼ିବ। ସାମୁଦ୍ରିକ ମାର୍ଗ ବଙ୍ଗୋପସାଗର ଭାରତୀୟ ମହାସାଗର ଭଳି ବିଭିନ୍ନ ସମୁଦ୍ର ମାର୍ଗ ପ୍ରାଚୀନ ଅର୍ଥନୀତି ଓ ସଂସ୍କୃତି ଯୁଗଯୁଗ ଧରି ସମୃଦ୍ଧ କରିଛି। ଜଳ ମାର୍ଗର ଅବଦାନ ସଭ୍ୟତାର ବିକାଶ ଦିଗରେ ଅତ୍ୟନ୍ତ ସହାୟକ ହୋଇଥାଏ ବୋଲି ସେ କହିଥିଲେ। ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ସବିତା ଅାଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିବାବଳେ ଡ.ସ୍ବପ୍ନା ପ୍ରଭୁ ସ୍ବାଗତ ଭାଷଣ ଦେଇଥିଲେ। ଆରଏମ୍ଆରସି ନିର୍ଦେଶିକା ଡ.ସଂଘମିତ୍ରା ପତି, ଲକ୍ଷ୍ନୌ ବିଶ୍ବବିଦ୍ୟାଳୟ ପ୍ରଫେସର ସୁକାନ୍ତ ଚୌଧୁରୀ, ଜେଏନ୍ୟୁ ସାରଳା ଚେୟାର ପ୍ରଫେସର ଉଦୟନାଥ ସାହୁ, ଅକ୍ସଫୋଡ୍ର ଜେମ୍ସ ୱିଲ୍ସନ୍ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। କୁଳସଚିବ ଦୟାନିଧି ନାୟକ, ବିତ୍ତ ନିୟନ୍ତ୍ରକ ସୁରେନ୍ଦ୍ର ସାହୁ, ମୁଖ୍ୟ ୱାଡେନ୍ ପ୍ରଫେସର ବସନ୍ତ ମଲ୍ଲିକ, ରୁ ସା ସଂଯୋଜକ ପି.କେ ହୋତା, ବିଶ୍ବବ୍ୟାଙ୍କ ସଂଯୋଜକ ନିଗମାନନ୍ଦ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ।
Comments are closed.