ଭୁବନେଶ୍ୱର: ୨୦୧୧ ଜନ ଗଣନା ଅନୁଯାୟୀ, ଭାରତରେ ୪.୮୭ ଲକ୍ଷ ଟ୍ରାନ୍ସଜେଣ୍ଡର ଅଛନ୍ତି। କିନ୍ତୁ ବର୍ତ୍ତମାନର ସରକାରୀ ତଥ୍ୟ ଅନୁଯାୟୀ, କେବଳ ୨୫,୪୬୮ (୫. ୨୨ପ୍ରତିଶତ) ବ୍ୟକ୍ତିଙ୍କୁ ଟୀକାକରଣ କରାଯାଇଛି। ଏହାପଛରେ ଅନେକ କାରଣ ରହିଛି। ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ମଧ୍ୟରେ ଟିକା ଦ୍ୱିଧା ରହିଛି। ଆବଶ୍ୟକୀୟ ସୂଚନା, ସଚେତନତା ଏବଂ ସମର୍ଥନର ଅଭାବ ଏହି ଦ୍ବିଧା ପଛରେ ଥିବା ଏକ ବଡ଼ କାରଣ । ଏହା ସହିତ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟରେ ଟିକା ଦ୍ୱିଧା ପଛରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ଯୌନ ପୁନନିର୍ମାଣ ସର୍ଜରୀ ଏବଂ ହରମୋନିପ୍ଲେସମେଣ୍ଟଥେରାପିର ଜଟିଳତା।
ରୁଷା ୨.୦ ଅଧୀନରେ ପ୍ରତିଷ୍ଠିତ ଉତ୍କଳ ବିଶ୍ୱବିଦ୍ୟାଳୟର ଗ୍ରାମୀଣ ପ୍ରସାରଣ ପ୍ରୋଗ୍ରାମ, ଗୁରୁବାର ଭୁବନେଶ୍ୱରର ଭରତପୁର ବସ୍ତିଠାରେଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ମଧ୍ୟରେ କୋଭିଡ ୧୯ ଟିକାଗ୍ରହଣ ଉପରେ ଏକ ସଚେତନତା କାର୍ୟ୍ୟକ୍ରମ ଆୟୋଜନ କରିଥିଲା। କୁଳପତି, ପ୍ରଫେସର ସବିତା ଆଚାର୍ୟ୍ୟ କର୍ମଶାଳାର ଉଦଘାଟନ କରିଥିଲେ ଏବଂ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡକ୍ଟର ଜୟସିଂହ କ୍ଷତ୍ରି ଅତିଥି ବକ୍ତା ଭାବରେ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ। କର୍ମଶାଳାରେ ଭରତପୁର ଟ୍ରାନ୍ସଜେଣ୍ଡର ଗୋଷ୍ଠୀମୁଖ୍ୟ ସୁଶ୍ରୀଆୟେଶା ପଣ୍ଡାଙ୍କ ନେତୃତ୍ୱରେ ପାଖାପାଖି ୩୦ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଯୋଗ ଦେଇଥିଲେ।

କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଥିଲେ ଯେ, ଉତ୍କଳ ବିଶ୍ୱବିଦ୍ୟାଳୟ ଏହାର ଶିକ୍ଷା ଏବଂ ଜ୍ଞାନକୁ ବିଶ୍ୱବିଦ୍ୟାଳୟର ସୀମା ବାହାରକୁ ନେଇ ସମାଜର ମଙ୍ଗଳରେ ପ୍ରୟୋଗ କରିବାକୁ ଚାହୁଁଛିଏବଂ ଏହି କାର୍ୟ୍ୟକ୍ରମ ହେଉଛି ଏହି ପ୍ରୟାସର ଏକ ଛୋଟ ଅଂଶ। ସେ ଅଂଶଗ୍ରହଣକାରୀମାନଙ୍କୁ କୋଭିଡ୍ ଉପଯୁକ୍ତ ଆଚରଣ ଅଭ୍ୟାସ କରିବାକୁ ଅନୁରୋଧ କରିଥିଲେ ଯେପରିକି ମାସ୍କ ପିନ୍ଧିବା ଏବଂ ହାତଧୋଇବା କାରଣ ଏହି ସହଜ ଅଭ୍ୟାସ ହିଁ ଆମକୁ କୋଭିଡ୍ -୧୯ର ଭବିଷ୍ୟତ ଲହରରୁ ରକ୍ଷାକରିବ ।
ଡକ୍ଟର କ୍ଷତ୍ରି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, “ଲକଡାଉରେ ଲୋକମାନଙ୍କର ଜୀବିକା ତଥା ରୋଜଗାର ଉପରେ କଡ଼ା ପ୍ରଭାବପକାଇଛି। ଲକଡାଉନ ଦୀର୍ଘ ସ୍ଥାୟୀ ସମାଧାନ ନୁହେଁ, ଟୀକା ସମାଧାନ ଅଟେ।” ସେ ଏହି ଟିକା ସମ୍ବନ୍ଧରେ ବିସ୍ତୃତ ଭାବରେ ସୂଚନା ଦେଇଥିଲେ ତଥା ବୁଝାଇଥିଲେ। ବିତରଣ ପ୍ରଣାଳୀ, ପାର୍ଶ୍ୱ ପ୍ରତିକ୍ରିୟା, ଟିକା ସମ୍ବନ୍ଧରେ ସାଧାରଣ ଭୁଲ ଧାରଣା ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ସେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ଅନେକ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ଏବଂ ଟିକାକୁ ନେଇ ଅନେକ ଭୁଲ ଧାରଣା ବିଲୋପ କରିବାରେ ସକ୍ଷମ ହୋଇଥିଲେ।
ଟ୍ରାନ୍ସଜେଣ୍ଡର କମ୍ୟୁନିଟି ନେତ୍ରୀ ସୁଶ୍ରୀ ଆୟଶା ପଣ୍ଡା କହିଥିଲେ, “ଟ୍ରାନ୍ସଜେଣ୍ଡରମାନେ ଏକ ଅବହେଳିତ ସମ୍ପ୍ରଦାୟ। ମହାମାରୀ ସମୟରେ ଆମମାନଙ୍କ ମଧ୍ୟରୁ ଅନେକ ଜୀବିକା ହରାଇଛନ୍ତି। ଟୀକା ସମ୍ବନ୍ଧରେ ଆମ ସମାଜରେ ସଚେତନତାର ଅଭାବ ରହିଛି ା ବିଶେଷକରି ଆମ ସମ୍ପ୍ରଦାୟର ଅନେକ ସଦସ୍ୟ ଅଛନ୍ତି, ଏଚଆରଟି ଚିକିତ୍ସା ଅଧୀନରେ ଅଛନ୍ତି। ତେଣୁ ପାର୍ଶ୍ବ ପ୍ରତିକ୍ରିୟାକୁ ନେଇ ଅନେକ ଧାରଣା ରହିଛି। ଏହି ସମୟ ମଧ୍ୟରେ ଏଭଳି କର୍ମଶାଳା ଆୟୋଜନ କରିଥିବାରୁ ଆମେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଅଶେଷ ଧନ୍ୟବାଦ ଦେଉଛୁ।
ଵିଶ୍ବ ଵିଦ୍ୟାଲୟର ବିତ୍ତ ନିୟନ୍ତ୍ରକ, ସୁରେନ୍ଦ୍ର ସାହୁ ଏହି କର୍ମଶାଳାରେ ଯୋଗଦେଇ କହିଥିଲେ ଯେ ସମାଜର ଅବିଚ୍ଛେଦ୍ୟ କଲ୍ୟାଣ ପାଇଁ ସମସ୍ତ ସମ୍ପ୍ରଦାୟକୁ ଅନ୍ତର୍ଭୁକ୍ତ କରିବା ଅପରିହାର୍ୟ୍ୟ । ଡ଼ଃ ପ୍ରବୋଧ କୁମାର ହୋତା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପ୍ରଫେସର ଆଵିଦଖାନ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ। ପ୍ରୋଗ୍ରାମ ମ୍ୟାନେଜର – ଜେଣ୍ଡର ସୁଶ୍ରୀ ଲିଜା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।



