ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରୁ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରିବା ପରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନକୁ ପୁଣି ଥରେ ଚୀନର ସାହାରା ମିଳିଯାଇଛି। ମୁସଲମାନ ରାଷ୍ଟ୍ରଗୁଡ଼ିକ ସମେତ ଅନ୍ୟାନ୍ୟ ଦେଶଗୁଡ଼ିକ ଧାରା ୩୭୦ ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ ଦେଇ ନ ଥିଲେ। କିନ୍ତୁ ଚୀନ ନିଜର ଚାଲ୍ ଚଳାଇ ଭାରତ ବିରୋଧରେ ପାକିସ୍ତାନ ସପକ୍ଷରେ ଛିଡ଼ା ହୋଇଯାଇଛି। ଚୀନ ଧାରା ୩୭୦ ଉପରେ ଆଲୋଚନା ପାଇଁ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି) ଅଧ୍ୟକ୍ଷ ଜୋଆନା ରେକୋନାକାଙ୍କୁ ଚିଠି ଲେଖି ରୁଦ୍ଧଦ୍ବାର ବୈଠକ ଡକାଇଥିଲା। ଶୁକ୍ରବାର ୟୁଏନଏସସିର ରୁଦ୍ଧଦ୍ବାର ବୈଠକ ଅନୁଷ୍ଠିତ ହେବା ସହିତ କାଶ୍ମୀର ପ୍ରସଙ୍ଗରେ ଆଲୋଚନା ହେବ।
ନ୍ୟୁୟର୍କସ୍ଥିତ ୟୁଏନଏସସି ମୁଖ୍ୟାଳୟରେ ଭାରତର ସ୍ଥାନୀୟ ସମୟ ସନ୍ଧ୍ୟା ସାଢ଼େ ୭ଟାରେ ବୈଠକ ଅନୁଷ୍ଠିତ ହେବ। ତେବେ ବୈଠକରେ ଯାହାସବୁ ଆଲୋଚନା ହେବ ସେ ବିଷୟରେ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯିବ ନାହିଁ। ଅନ୍ୟପଟେ ପାକିସ୍ତାନର ଅନୁରୋଧକ୍ରମେ ଚୀନ ବୈଠକ ଡକାଇଥିବାବେଳେ ଏଥିରେ ପାକିସ୍ତାନ ପକ୍ଷରୁ କେହି ପ୍ରତିନିଧିତ୍ଵ କରିବେ ନାହିଁ ବୋଲି ସୂଚନା ମିଳିଛି।


