ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ପକ୍ଷରୁ ଅନଲକ୍-୫.୦ ବା ଅକ୍ଟୋବର ମାସ ପାଇଁ ଗାଇଡ୍ ଲାଇନ୍ ଜାରି କରାଯାଇଛି। ଅକ୍ଟୋବର ମାସରେ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ତେବେ ଶିକ୍ଷାନୁଷ୍ଠାନରେ ପୂର୍ବପରି ଅନଲାଇନ୍ ଶିକ୍ଷାଦାନ ଜାରି ରହିବ। ସେହିପରି ଅକ୍ଟୋବର ୩୧ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ। କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ବଳବତ୍ତର ରହିବ।
ଅନ୍ୟପକ୍ଷରେ ସିନେମା ହଲ୍, ଥିଏଟର, ଅଡିଟୋରିୟମ ଓ ସୁଇମିଂ ପୁଲ୍ ମଧ୍ୟ ଅକ୍ଟୋବର ମାସରେ ବନ୍ଦ ରହିବ। କେବଳ କ୍ରୀଡାବୀତ ମାନଙ୍କ ପାଇଁ ସୁଇମିଂ ପୁଲ୍ ଖୋଲା ରହିବ। ସେଲୁନ,ସ୍ପା, ବିଉଟି ପାର୍ଲରରେ ପ୍ରତ୍ୟେକ ଗ୍ରାହକଙ୍କ ପାଇଁ ସାନିଟାଇଜେସନକୁ ବାଧ୍ୟତାମୂଳକ କରାଯାଇଛି। ତେବେ କଟକଣା ଉଲଂଘନ ପାଇଁ ଦୋକାନ ମାଲିକ ଦାୟୀ ରହିବେ।
ବିବାହ କାର୍ଯ୍ୟରେ ସାମିଲ ହେବା ପାଇଁ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ମିଳିବ। ସେହିପରି ଅନ୍ତିମ ସଂସ୍କାରରେ ୨୦ ଜଣ ସାମିଲ ହୋଇ ପାରିବେ। ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରକୁ ଯାତାୟତରେ କୌଣସି କଟକଣା ରହିବ ନାହିଁ। ସେହିପରି ଅକ୍ଟୋବର ୩୧ ପର୍ଯ୍ୟନ୍ତ କୌଣସି ଧାର୍ମିକ ଅନୁଷ୍ଠାନ ଖୋଲିବ ନାହିଁ। ସାମାଜିକ, ସାଂସ୍କୃତିକ, କ୍ରୀଡା ଓ ଧାର୍ମୀକ ସମାବେଶ ବନ୍ଦ ରହିବ।
ତେବେ ଉପନିର୍ବାଚନ ହେଉଥିବା ଅଞ୍ଚଳରେ କଟକଣାରେ ସାମାନ୍ୟ କୋହଳ କରାଯାଇଛି। ଖୋଲା ଜାଗାରେ ୧୦୦ ଲୋକଙ୍କୁ ନେଇ ହୋଇପାରିବ ସମାବେଶ। ତେବେ ଏ କ୍ଷେତ୍ରରେ ନିର୍ବାଚନ କମିଶନଙ୍କ ଏସଓପିକୁ ପାଳନ କରାଯିବ।



