Patra electronics

୩୫୦ କିମି ଚାଲିଲେ ମା’-ପୁଅ

ଅଚିହ୍ନା ରୋଗ ଚିନ୍ତା ବଢ଼ାଇଲା

ଖଲ୍ଲିକୋଟ : ରୋଗରେ ପଡି ବୋହୂ ଚାଲିଗଲା ଆରପାରିକୁ। ଘରେ ରହିଗଲୋ‌ ମା’-ପୁଅ। ହେଲେ ବୋହୂ ଚାଲିଯିବା ପରେ ପୁଅ ମଧ୍ୟ ରୋଗରେ ପଡିଲା। କନ୍ତୁ କିଭଳି ରୋଗ ହୋଇଥିଲା ଯେ ତାହା ଡାକ୍ତରମାନେ ଚିହ୍ନି ପାରିଲେ ନାହିଁ। ଏପରିକି ପଶ୍ଚିମ ଓଡିଶାର ସର୍ବବୃହତ୍‌ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଡାକ୍ତରମାନେ ମଧ୍ୟ ଚିକିତ୍ସା କରି ରୋଗ ଭଲ କରିପାରିଲେ ନାହିଁ। ତେଣୁ ମା-ପୁଅଙ୍କୁ ସ୍ଥାନୀୟ ଲୋକେ କହିଲେ ବ୍ରହ୍ମପୁର ଏମ୍‌କେସିଜି ଡାକ୍ତରଖାନା ଗଲେ ରୋଗ ଭଲ ହେବ। ଗାଁ ଲୋକଙ୍କ କଥାରେ ବରଗଡ଼ ଜିଲା ବରପାଲ୍ଲିରୁ ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ ଥିବା ଏମ୍‌କେସିଜି ମେଡିକାଲକୁ ଚାଲିଚାଲି ଆସିଲେ ମା-ପୁଅ।
ମିଳିଥିବା ସୂଚନା ପ୍ରକାରେ ବରଗଡ଼ ଜିଲା ବରପାଲ୍ଲୀ ବ୍ଲକର ତିଳେଇବେନି ଗ୍ରାମର ସାବିତ୍ରୀ ମିଶ୍ରଙ୍କ ପୁଅ କୈଳାସ ମିଶ୍ର। ସାବିତ୍ରୀ, କୈଳାସ ଓ ତାଙ୍କ ପତ୍ନୀ ମାମିନା ଗଁାରେ ସୁଖର ସଂସାର ଗଢିଥିଲେ। ହେଲେ କରୋନାରେ ମାମିନାଙ୍କ ଦେହାନ୍ତ ହୋଇଥିଲା। ଏହାପରେ ମା’ ଓ ପୁଅକୁ ନେଇ ଚାଲିଲା ସଂସାର। ସ୍ତ୍ରୀ ଚାଲିଯିବା ପରେ କୈଳାସ ରୋଗାଗ୍ରସ୍ତ ହୋଇଗଲେ। ପରିବାର ଚଳାଇବାର ଏକମାତ୍ର ଭରସା ଥିଲା ସାବିତ୍ରୀଙ୍କ ବାର୍ଦ୍ଧକ୍ୟ ଭତ୍ତା ଓ ପଡିକାର୍ଡ ଚାଉଳ। ଏହାବ୍ୟତୀତ ସେମାନଙ୍କ ଅନ୍ୟ କୌଣସି ସମ୍ବଳ ନଥିଲା। ଏପଟେ କୈଳାସ ରୋଗଗ୍ରସ୍ତ ହେବାରୁ ରୋଜଗାର ମଧ୍ୟ କରିପାରିଲେ ନାହିଁ। ଦିନକୁ ଦିନ ପୁଅର ରୋଗ ବଢି ଚାଲିଲା। ଡାକ୍ତର ଏହାକୁ ଭଲ କରିପାରିଲେ ନାହିଁ। ତେଣୁ କିଂକର୍ତ୍ତବ୍ୟ ବିମୂଢ ହୋଇଗଲେ ସାବିତ୍ରୀ। କେତେକ ଗ୍ରାମବାସୀ ପରାମର୍ଶ ଦେଲେ ଦକ୍ଷିଣ ଓଡିଶାର ସର୍ବବୃହତ୍‌ ମେଡିକାଲ କଲେଜ ଓ ହସ୍‌ପିଟାଲ ବ୍ରହ୍ମପୁରସ୍ଥିତ ଏମ୍‌କେସିଜିକୁ ଯାଇ ଚିକିତ୍ସିତ ହେବାକୁ। ବଲାଙ୍ଗୀରରୁ
ଭବାନୀପାଟଣା ଦୁହେଁ ଯିବା ବେଳେ ଛାଟିଗୁଡା ଛକରେ କିଛି ଗଣମାଧ୍ୟମ ପ୍ରତିନିଧି ସେମାନଙ୍କୁ ବ୍ରହ୍ମପୁର ପଠାଇବା ବ୍ୟବସ୍ଥା କରିଥିଲେ। ଏହାସହ ସେଠାରେ ଜଣେ ଫାର୍ମାସିଷ୍ଟଙ୍କ ସମେତ ଅନ୍ୟ କିଛି ସହୃଦୟ ବ୍ୟକ୍ତି ସହାୟତାର ହାତ ବଢାଇଥିଲେ। ଦୁହେଁ କୌଣସି ମତେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ପହଞ୍ଚିଥିଲେ। ସେଠାରେ ଏକମାସ ଚିକିତ୍ସିତ ହେବା ପରେ ୬ ଦିନ ତଳେ ଡାକ୍ତରଖାନାରୁ ଛାଡ ପାଇଥିଲେ। ଦୁହେଁ ଗୁଣୁପୁର- ପୁରୀ ଟ୍ରେନରେ ଯାଉଥିବା ବେଳେ ଚିକିତ୍ସା ସଂକ୍ରାନ୍ତ ସମସ୍ତ କାଗଜପତ୍ର ଓ ବ୍ୟାଗ ଛାଡି ଦୁହେଁ କେଶପୁର ଷ୍ଟେସନରେ ଓଲ୍ଲହାଇ ପଡ଼ିଥିଲେ l ହଜି ଯାଇଥିବା କାଗଜପତ୍ରକୁ ସେହି ଟ୍ରେନରେ ଯାଉଥିବା ଜଣେ ସହଯାତ୍ରୀ ସଂଗ୍ରହ କରିଥିଲେ। କୌଣସି ମତେ ସହଯାତ୍ରୀଜଣକ ମା’ ଓ ପୁଅଙ୍କ ସମ୍ପର୍କୀୟଙ୍କୁ ଯୋଗାଯୋଗ କରିଥିଲେ। ସୂଚନା ପାଇ ସାବିତ୍ରୀଙ୍କ ଜ୍ୱାଇଁ ରସାନନ୍ଦ ପୂଜାରୀ ଖଲ୍ଲିକୋଟ ଥାନାରେ ପହଞ୍ଚି ଶାଶୂ ଓ ଶାଳକ ନିଖୋଜ ହୋଇଯାଇଥିବା ନେଇ ଏତଲା ଦେବା ପରେ ଘଟଣାଟି ଜଣାପଡିଥିଲା। ଅର୍ଥାଭାବରୁ ଦୁହେଁ ବରପାଲ୍ଲୀରୁ ବ୍ରହ୍ମପୁର ଚାଲି ଚାଲି ଯାଇଥିଲେ ବୋଲି ସେ ଏତଲାରେ ଉଲ୍ଲେଖ କରିଛନ୍ତି। ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏକ ଗରିବ ପରିବାରରେ ଚିକିତ୍ସା ସୁବିଧା ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଏଠାରେ ହାର ମାନିଛି। ପଶ୍ଚିମ ଓଡିଶାରୁ ଦକ୍ଷିଣ ଓଡିଶା ୩୫୦ କିଲୋମିଟର ଚାଲିଚାଲି ଆସିବା ସମୟରେ ମା-ପୁଅକୁ କୌଣସି ସରକାରୀ ସହାୟତା ମିଳିଲା ନାହିଁ ବୋଲି ସେମାନେ ପ୍ରକାଶ କରିଛନ୍ତି।

Comments are closed.