ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମ୍ କେନ୍ଦ୍ର ବଜେଟ୍କୁ ସମାଲୋଚନା କରିଛନ୍ତି। ଦେଶର ଅର୍ଥନୀତିରେ ଢାଞ୍ଚାଗତ ସଂସ୍କାର ପାଇଁ ବଜେଟରେ କୌଣସି ପଦକ୍ଷେପ ନିଆଯାଇ ନାହିଁ ବୋଲି ସେ କହିଛନ୍ତି । ରାଜ୍ୟସଭାରେ କେନ୍ଦ୍ର ବଜେଟ୍ ବିତର୍କରେ ଅଂଶଗ୍ରହଣ କରି ସେ କହିଛନ୍ତି, ଏହା ହେଉଛି ପ୍ରଥମ ବଜେଟ୍ ଯେଉଁଥିରେ ମୋଟ୍ ରାଜସ୍ୱ, ଖର୍ଚ୍ଚ, ଆର୍ଥିକ ନିଅଣ୍ଟ ଓ ଅନ୍ୟାନ୍ୟ ଅଙ୍କଗୁଡ଼ିକ ଉପରେ କିଛି କୁହାଯାଇ ନାହିଁ । ଦେଶୀୟ ଓ ପାରିବାରିକ ସଞ୍ଚୟରେ ବୃଦ୍ଧି ପାଇଁ ମଧ୍ୟ ବଜେଟ୍ରେ କିଛି ବ୍ୟବସ୍ଥା କରାଯାଇ ନାହିଁ ବୋଲି ଶ୍ରୀ ଚିଦମ୍ବରମ୍ କହିଛନ୍ତି । ଟିକସ ଆଦାୟ ପାଇଁ ସରକାରଙ୍କ ଧାର୍ୟ୍ୟ ଲକ୍ଷ୍ୟକୁ ସେ ଅବାସ୍ତବ ବୋଲି ବର୍ଣ୍ଣନା କରିଛନ୍ତି । ଶ୍ରୀ ଚିଦାମ୍ବରମ୍ ସରକାରଙ୍କର ବିଭିନ୍ନ ଯୋଜନାର ବିଫଳତା ବିଷୟରେ ଉଲ୍ଲେଖ କରି ସଡ଼କ ନିର୍ମାଣ, ଦେଶକୁ ଖୋଲାରେ ଶୌଚମୁକ୍ତ କରାଯିବା ଓ ଦେଶରେ ବେକାରୀ ହ୍ରାସ କରିବାରେ ସରକାର ବିଫଳ ହୋଇଥିବାର ଦର୍ଶାଇଛନ୍ତି। ପୂର୍ବରୁ ବଜେଟ୍ ଉପରେ ଆଲୋଚନା ପାଇଁ ରାଜ୍ୟସଭାରେ ଶୂନ୍ୟକାଳ ଓ ପ୍ରଶ୍ନ କାଳକୁ ବାତିଲ କରାଯାଇଥିଲା ।
Popular Categories



