ନ୍ୟୁୟର୍କ : ଜାତିସଂଘ ନିରାପତ୍ତା ପରିଷଦ ରାସାୟନିକ ଅସ୍ତ୍ରଶସ୍ତ୍ରକୁ ବିରୋଧ କରିବା ପାଇଁ ତାହାର ଆଭିମୁଖ୍ୟକୁ ଦୋହରାଇଛି। ସମଗ୍ର ବିଶ୍ୱରେ ଏଭଳି ଅସ୍ତ୍ରଶସ୍ତ୍ରଗୁଡ଼ିକର ବ୍ୟାପକ ରୂପେ ବ୍ୟବହାର କରାଯାଉଥିବାର ଦୃଷ୍ଟାନ୍ତମାନ ରହିଛି । ୧୫ ସଦସ୍ୟ ରାଷ୍ଟ୍ର ବିଶିଷ୍ଟ ନିରାପତ୍ତା ପରିଷଦରେ ସର୍ବସମ୍ମତିକ୍ରମେ ଏ ସଂକ୍ରାନ୍ତୀୟ ଏକ ପ୍ରସ୍ତାବ ଗୃହୀତ ହୋଇଛି। ସେହି ପ୍ରସ୍ତାବକୁ ବ୍ରିଟେନ୍ ଆଗତ କରିଥିଲା।
ରାସାୟନିକ ଅସ୍ତ୍ରଶସ୍ତ୍ରଗୁଡ଼ିକର ଉତ୍ପାଦନ, ମହଜୁଦ, ବ୍ୟବହାର ଓ ବିକାଶକୁ ନିଷେଧ କରିବା ପାଇଁ ଏକ ରାଜିନାମାରେ ଉପନୀତ ହେବା ଲାଗି ଏହି ପ୍ରସ୍ତାବରେ ବ୍ୟବସ୍ଥା ରହିଛି । ଏହି ଘୋଷଣାନାମା ପ୍ରକାଶ ପାଇବା ପରେ ଏହାର ଅକ୍ଷରେ ଅକ୍ଷରେ ପାଳନ ପାଇଁ ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରି ନିରାପତ୍ତା ପରିଷଦ କହିଛି, ରାସାୟନିକ ଅସ୍ତ୍ରଶସ୍ତ୍ରର ବ୍ୟବହାର କରୁଥିବା ରାଷ୍ଟ୍ରଗୁଡ଼ିକୁ ଏହାର
କୁପରିଣାମ ପାଇଁ ଉତ୍ତରଦାୟୀ ହେବାକୁ ପଡ଼ିବ। ପ୍ରସ୍ତାବରେ ନିରାପତ୍ତା ପରିଷଦ ଏହି ପ୍ରସ୍ତାବକୁ ସମର୍ଥନ କରିବାକୁ ସମସ୍ତ ଦେଶକୁ ନିବେଦନ କରିଛି । ୧୯୯୩ ମସିହାର ସେହି ରାଜିନାମା ୧୯୯୭ରେ ଲାଗୁ ହୋଇଥିଲା। ଉତ୍ତରକୋରିଆ, ଇଜିପ୍ଟ ଓ ଦକ୍ଷିଣ ସୁଦାନ ରାଜିନାମାରେ ସ୍ୱାକ୍ଷର କରିନଥିଲେ ଓ ଇସ୍ରାଏଲ ଏହାକୁ ସମର୍ଥନ କରିନଥିଲା।



