ଆଜି ପ୍ରଚାର ଶେଷ

୧୯୫ ପ୍ଲାଟୁନ ସୁରକ୍ଷାବଳ ମଧ୍ୟରୁ କେବଳ ଭୁବନେଶ୍ବରରେ ୩୦ ପ୍ଲାଟୁନ

୬୧ ୱାର୍ଡରେ ନିର୍ଦ୍ବନ୍ଦ୍ବରେ ପ୍ରାର୍ଥୀ ନିର୍ବାଚିତ, ପ୍ରତିଦ୍ବନ୍ଦ୍ବିତାରେ ୬୪୧୧ ପ୍ରାର୍ଥୀ 

prayash

ଭୁବନେଶ୍ବର : ପୌର ନିର୍ବାଚନ ଲାଗି ପ୍ରାର୍ଥୀଙ୍କ ହାତରେ ମାତ୍ର ଆଉ ଗୋଟିଏ ଦିନ ରହିଛି। ଏହି ଗୋଟିଏ ଦିନରେ ଭୋଟରଙ୍କ ମନ ଜିଣିବା ପାଇଁ ୬୪୧୧ ପ୍ରାର୍ଥୀ ପ୍ରାଣମୂର୍ଚ୍ଛା ସଂଗ୍ରାମ ଚଳାଇଛନ୍ତି। ମଙ୍ଗଳବାର ଅପରାହ୍ଣ ୫ଟା ପରେ ପ୍ରଚାର ଓ ଶୋଭାଯାତ୍ରା ହୋଇପାରିବ ନାହିଁ। ୨୩ ଅପରାହ୍ଣ ସୁଦ୍ଧା ସବୁ ପୁଲିଂ କର୍ମଚାରୀ ନିଜ ନିଜ ବୁଥ୍‌ରେ ପହଞ୍ଚିବେ। ୨୪ ତାରିଖ ସକାଳ ୮ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ ହେବ । ୨୬ ତାରିଖ ସକାଳ ୮ଟାରୁ ଗଣତି ଚାଲିବ। ମତଦାନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ସମସ୍ତ ପୌରାଞ୍ଚଳରେ ୧୯୫ ପ୍ଲାଟୁନ୍ ସୁରକ୍ଷାବଳ ନିୟୋଜିତ କରାଯିବ। ଭୁବନେଶ୍ବର ମହାନଗର ନିଗମ ପାଇଁ ସର୍ବାଧିକ ୩୦ ପ୍ଲାଟୁନ୍ ସୁରକ୍ଷାବଳ ନିୟୋଜିତ କରାଯିବ। ପୌର ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ରାଜ୍ୟ ନିର୍ବାଚନ ଆୟୁକ୍ତ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ ରାଜ୍ୟର ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ସହିତ ୪୭ ପୌରପାଳିକା, ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିର୍ବାଚନ ଲାଗି ଫେବୃଆରୀ ୨୫ ତାରିଖରେ କାର୍ଯ୍ୟସୂଚୀ ଜାରି ହୋଇଛି। ଏହି ନିର୍ବାଚନରେ ମେୟର ଓ ପୌରାଧ୍ୟକ୍ଷ ପାଇଁ ୫୬୯ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିବାବେଳେ କର୍ପୋରେଟର ଓ କାଉନସିଲର ପାଇଁ ୫,୮୪୨ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୧୦୬ ପୌରାଞ୍ଚଳର ୧୬୭୨ ୱାର୍ଡ ଓ ୩ଟି ମହାନଗର ନିଗମର ୧୬୫ ୱାର୍ଡରେ ନିର୍ବାଚନ ହେବ। ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ୨୯୮୯ ବୁଥ୍‌ ଓ ୩ଟି ମହାନଗର ନିଗମର ୧୩୮୪ ବୁଥ୍‌ରେ ୪୦ ଲକ୍ଷ ୫୫ ହଜାର ୫୩ଭୋଟର ମତଦାନ ସାବ୍ୟସ୍ତ କରିବେ। ଏଥିପାଇଁ ସବୁପ୍ରକାର ବ୍ୟବସ୍ଥା କରାଯାଇଛି। ଭୋଟ ଗ୍ରହଣ ପାଇଁ ୨୨ ହଜାର ପୁଲିଂ କର୍ମଚାରୀ ରହିବେ।
ଶ୍ରୀ ପାଢ଼ୀଙ୍କ ସୂଚନା ଅନୁଯାୟୀ ନିର୍ବାଚନ ଶୃଙ୍ଖଳାର ସହ ପରିଚାଳନା ପାଇଁ ୧୯୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଭୁବନେଶ୍ୱର ମହାନଗର ନିଗମ ପାଇଁ ୩୦ ପ୍ଲାଟୁନ ଫୋର୍ସ, କଟକ ମହାନଗର ନିଗମ ପାଇଁ ୨୦ ପ୍ଲାଟୁନ ଫୋର୍ସ ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏହାବାଦ୍‌ ୩୦୦ ମୋବାଇଲ ପାର୍ଟି ରହିବେ। ସେଥିମଧ୍ୟରୁ ୧୦୯ ମୋବାଇଲ ପାର୍ଟି ଏହି ୩ଟି କର୍ପୋରେସନ ପାଇଁ ନିୟୋଜିତ ରହିବେ। ପ୍ରତି ବୁଥ୍‌ରେ ଜଣେ ଲେଖାଏଁ ହାବିଲଦାର, ନଚେତ୍ କନଷ୍ଟେବଳ କିମ୍ବା ସଶସ୍ତ୍ର ପୁଲିସ ମୁତୟନ ରହିବେ। ସୂଚନା ଅନୁଯାୟୀ, କଟକ ମହାନଗର ମେୟର, ବାରିପଦା ପୌରପାଳିକାର ଅଧ୍ୟକ୍ଷ ପଦ ପାଇଁ ୧୬ଜଣ ପ୍ରାର୍ଥୀ ଅଛନ୍ତି। ସେହିପରି କୋରାପୁଟ ଜିଲାରେ ଜୟପୁର ପୌରପାଳିକା ଅଧ୍ୟକ୍ଷ ପଦ ପାଇଁ ମୋଟ ୧୮ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିବାରୁ ଏହିସବୁ ସ୍ଥାନରେ ୨ଟି ବାଲଟ୍ ୟୁନିଟ୍ ବ୍ୟବହାର ହେବ। ବ୍ରହ୍ମପୁର ମହାନଗରର ୩ଟି ୱାର୍ଡ ସମେତ ଅନ୍ୟ ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ୫୮ଟି ୱାର୍ଡରେ ମନୋନୟନ ଦାଖଲ କରିଥିବା ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ମନୋନୀତ ହୋଇଛନ୍ତି। ଏହାବାଦ୍ ପଟ୍ଟାମୁଣ୍ଡାଇ ପୌରପାଳିକା, କାମାକ୍ଷାନଗର ଏନଏସି ଓ ପୁରୁଷୋତ୍ତମ ଏନଏସିର ଗୋଟିଏ ଗୋଟିଏ ୱାର୍ଡରେ କେହି ପ୍ରାର୍ଥିପତ୍ର ଦାଖଲ କରି ନାହାନ୍ତି। ଏଠାରେ ସଂରକ୍ଷିତ ପଦ ହୋଇଥିବାରୁ ରାଜ୍ୟ ସରକାର ଉପଯୁକ୍ତ ବ୍ୟକ୍ତିଙ୍କୁ ମନୋନୟନ କରିବେ।

kalyan agarbati

Comments are closed.