ୟୁକ୍ରେନ୍ ଉପରେ ଘନଘନ ଆକ୍ରମଣ କରୁଛି ରୁଷ, କିଭ୍ରେ ୨୨୮ ଜଣ ଲୋକଙ୍କ ମୃତ୍ୟୁ
କିଭ୍: ଥମୁନି ୟୁକ୍ରେନ୍-ରୁଷ ଯୁଦ୍ଧ । ଆଜି ଯୁଦ୍ଧର ୨୫ ଦିନରେ ଦୁଇ ଦେଶଙ୍କ ମଧ୍ୟରେ ଲଢ଼େଇ ଜାରି ରହିଛି । ୟୁକ୍ରେନ ଉପରେ ଏବେ ବି ରୁଷ କରୁଛି ଘନଘନ ଆକ୍ରମଣ । ରୁଷିଆ ସେନା ପକ୍ଷରୁ ୟୁକ୍ରେନର ଅନେକ ସହରରେ ତୁହାକୁତୁହା ବୋମାମାଡ଼ କରାଯାଉଛି । ଏହି ଆକ୍ରମଣ ଯୋଗୁ ୟୁକ୍ରେନର ରାଜଧାନୀ କିଭରେ ଆଉ ୨୨୮ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଖାଲି ସେତିକି ନୁହେଁ ୟୁକ୍ରେନ୍ ମଧ୍ୟ ରୁଷକୁ ପାଲଟା ଜବାବ ଦେଉଥିବା ଦେଖିବାକୁ ମିଳୁଛି । ରୁଷର ସେନା ଉପରକୁ ଘନଘନ ଆକ୍ରମଣ କରୁଛି ୟୁକ୍ରେନ୍ । ତାହା ସହ ରୁଷିଆର ଲଢ଼ୁଆ ବିମାନ ଓ ଗାଡ଼ିଗୁଡ଼ିକୁ ନଷ୍ଟ କରୁଛି ୟୁକ୍ରେନ୍ । ୟୁକ୍ରେନ୍ ଆକ୍ରମଣରେ ରୁଷିଆର ୯୧୨ ଜଣ ଆହତ ହୋଇଥିବା ସୂଚନା ଦେଇଛି ୟୁକ୍ରେନ୍ । ଏହି ଆକ୍ରମଣ ଜୋରଦାର ହେଉଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଅନ୍ୟପଟେ ଯୁଦ୍ଧକୁ ନେଇ ଉଭୟ ଦେଶର ପ୍ରତିନିଧି ଅନେକଥର ବୈଠକ କରିସାରିଲେଣି ।
ହେଲେ ଯୁଦ୍ଧ ବନ୍ଦ କରିବା ନେଇ କୌଣସି ସମାଧାନ ବାଟ ବାହାରୁନାହିଁ । ଘଟଣାକୁ ନେଇ ୟୁକ୍ରେନ୍ ରାଷ୍ଟ୍ରପତି ବାରମ୍ବାର ତାଙ୍କର ପ୍ରତିକ୍ରିୟା ରଖୁଛନ୍ତି । ରୁଷିଆକୁ ଯୁଦ୍ଧକୁ ନେଇ ଚେତାବନୀ ଦେବା ସହ ଯୁଦ୍ଧରୁ ନିଜପଟୁ ନ ଓହରିବାକୁ ନେଇ କହୁଛନ୍ତି ରାଷ୍ଟ୍ରପତି ଜେଲେନସ୍କି । ଅନ୍ୟପଟେ ଏନେଇ ରୁଷିଆର ରାଷ୍ଟ୍ରପତି ପୁଟିନଙ୍କ ସହ ସିଧାସଳଖ ଆଲୋଚନା କରିବାକୁ କହିଛନ୍ତି ଜେଲେନସ୍କି ।
Comments are closed.