ଉବେର୍କୁ ଜୋରିମାନା -ଯାତ୍ରା ସମୟରେ ଅହେତୁକ ବିଳମ୍ବ କରିଥିବା ଅଭିଯୋଗ

ମୁମ୍ବଇ – ଉବେର୍ ଆପ୍ରେ ଟ୍ୟାକ୍ସି ବୁକ୍ କରିବା ବେଳେ ସେବା ଯୋଗାଇବାରେ ବିଳମ୍ବ ଯୋଗୁଁ ଜଣେ ମହିଳା ବିମାନ ଯାତ୍ରା କରିପାରି ନଥିଲେ । ସେ ବିମାନ ବନ୍ଦରରେ ପହଞ୍ଚିବା ବେଳକୁ ତାହା ଉଡାଣ ଭରି ସାରିଥିଲା । ଏହାପରେ ମହିଳା ଜଣଙ୍କର ଉପଭୋକ୍ତା ବିବାଦ ସମାଧାନ ଆୟୋଗଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ । ଏହି ମାମଲାର ଶୁଣାଣୀ କରି ଆୟୋଗ ମହିଳାଙ୍କ ମାନସିକ ଯନ୍ତ୍ରଣା ପାଇଁ ୧୦ ହାଜର ଟଙ୍କା ଏବଂ ମାମଲାର ପରିଚାଳନା ପାଇଁ ଆଉ ୧୦ ହଜାର ଟଙ୍କା ମୋଟ୍ ୨୦ ହଜାର ଟଙ୍କା ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଛନ୍ତି ।
କବିତା ଶର୍ମା ନାମକ ମହିଳା ମାତ୍ର ୩୬ କିଲୋମିଟର ଦୂରରେ ଥିବା ବିମାନ ବନ୍ଦରକୁ ଯିବା ପାଇଁ ୩.୨୯ ସମୟରେ ଗାଡି ବୁକ୍ କରିଥିଲେ । ଡ୍ରାଇଭର୍ ୧୪ ମିନିଟ୍ ପରେ ତାଙ୍କ ଘର ନିକଟରେ ପହଞ୍ଚିଥିଲେ । ମାତ୍ର ଡ୍ରାଇଭର୍ ଫୋନ୍ରେ କଥା ହେଉଥିବାରୁ ଗାଡି ଷ୍ଟାର୍ଟ କରିବା ପାଇଁ ମନା କରିଦେଇଥିଲେ । ଫୋନ୍ରେ ୨୦ ମିନିଟ୍ କଥା ହେବାପରେ ସେ ଗାଡି ଷ୍ଟାର୍ଟ କରିଥିଲେ । ଏଥିରେ ତାଙ୍କର ପ୍ରାୟ ୩୪ ମିନିଟ୍ ନଷ୍ଟ ହୋଇଥିବା କଥା ମହିଳାଜଣଙ୍କ ଅଭିଯୋଗ କରିଥିଲେ । ୫.୨୯ରେ ବିମାନ ଉଡାଣ ଭରିବାକୁ ଥିବା ବେଳେ କାର୍ ଡ୍ରାଇଭର୍ ୫.୨୩ରେ ବିମାନ ବନ୍ଦରରେ ପହିଞ୍ଚିଥିଲେ ।
ମାତ୍ର ତାଙ୍କୁ ଆଉ ଭିତରକୁ ଛଡାଯାଇ ନଥିଲା । ଏଥିଯୋଗୁଁ ସେ ଚେନ୍ନାଇ ଯାଇ ପାରି ନଥିଲେ । କେବଳ ଏତିକି ନୁହେଁ ତାଙ୍କୁ ବିମାନ ବନ୍ଦରରେ ପହଞ୍ଚିବା ପାଇଁ ଅଧିକ ଟଙ୍କା ନିଆଯାଇଥିଲା । ଟ୍ୱିଟରରେ ଅଭିଯୋଗ ପରେ ଉବେର ପକ୍ଷରୁ ୧୩୯ ଟଙ୍କା ଫେରସ୍ତ କରାଯାଇଥିଲା ।
ପରେ ସେ ଡ୍ରାଇଭରଙ୍କ ବେପାରୁଆ ନୀତି ଯୋଗୁଁ ବିମାନଯାତ୍ରା କରିପାରି ନଥିବା ଅଭିଯୋଗ କରିଥିଲେ । ଏହି ମାମଲାର ଶୁଣାଣୀ ପରେ କବିତା ଶର୍ମାଙ୍କୁ ୨୦ ହଜାର ଟଙ୍କା ଦେବା ପାଇଁ ଉବେରକୁ ନିର୍ଦେଶ ଦିଆଯାଇଛି ।
Comments are closed.