ସମାଜ ଡିଜିଟାଲ ଡେସ୍କ: ସାଙ୍ଗମାନଙ୍କ ସହିତ ବୁଲିବାକୁ ଆସିଥିବା ୨ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ସେମାନଙ୍କ ପୁରୁଷ ବନ୍ଧୁଙ୍କୁ ନାଳକୁ ଠେଲି ମହିଳାମାନଙ୍କ ସହିତ ଦୁଷ୍କର୍ମ କରିଛନ୍ତି ଦୁର୍ବୃତ୍ତ। ପୀଡ଼ିତା ମହିଳାଙ୍କ ମଧ୍ୟରେ ଜଣେ ଇସ୍ରାଏଲି ନାଗରିକ ରହିଛନ୍ତି। କର୍ଣ୍ଣାଟକର କୋଲପାଲରେ ଗୁରୁବାର ରାତିରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଛି। ପୁରୁଷ ବନ୍ଧୁଙ୍କ ମଧ୍ୟରୁ ଜଣେ ଓଡ଼ିଆ ଯୁବକଙ୍କ ମୃତଦେହ ନାଳରୁ ଉଦ୍ଧାର କରାଯାଇଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି।
ସୂଚନା ଅନୁସାରେ, ଗୁରୁବାର ରାତିରେ କୋଲପାଲର ତୁଙ୍ଗଭଦ୍ରା ନଦୀ କୂଳ ଅଞ୍ଚଳକୁ କିଛି ପର୍ଯ୍ୟଟକ ବୁଲିବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ୨ ଜଣ ମହିଳା ଥିଲେ। ପୁରୁଷଙ୍କ ମଧ୍ୟରେ ଆମେରିକାର ଡାନିଏଲ, ମହାରାଷ୍ଟ୍ରର ପଙ୍କଜ ଏବଂ ଓଡ଼ିଶାର ବିବାଶ ନାମକ ଯୁବକ ରହିଥିଲେ। ଅନ୍ୟ ୨ ମହିଳାଙ୍କ ମଧ୍ୟରେ ଜଣେ କର୍ଣ୍ଣାଟକ ଏବଂ ଅନ୍ୟ ଜଣେ ଇସ୍ରାଏଲର ଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚି ପର୍ଯ୍ୟଟକମାନଙ୍କୁ ପ୍ରଥମେ ପେଟ୍ରୋଲ ମାଗିଥିଲେ। ଏହା ପରେ ୧୦୦ ଟଙ୍କା ଲେଖାଏ ମାଗିଥିଲେ। ପର୍ଯ୍ୟଟକମାନେ ଦେବାକୁ ମନା କରିବାରୁ ଦୁର୍ବୃତ୍ତମାନେ ଡାନିଏଲ, ପଙ୍କଜ ଏବଂ ବିବାଶଙ୍କୁ ପାଖରେ ଯାଇଥିବା ଏକ କେନାଲ ମଧ୍ୟକୁ ଠେଲି ଦେଇଥିଲେ। ଏହା ପରେ ସେମାନେ ଦୁଇ ମହିଳାଙ୍କୁ ମାଡ଼ ମାରିବା ସହିତ ଗଣଦୁଷ୍କର୍ମ କରିଥିଲେ। ଏହା ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଡାନିଏଲ ଏବଂ ପଙ୍କଜ କୌଣସିମତେ ପହଁରି ପହଁରି ପାଣିରୁ ବାହାରି ଆସିଥିଲେ। କିନ୍ତୁ ବିବାଶ ନିଖୋଜ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ କେନାଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ଘଟଣା ସମ୍ପର୍କରେ ଅଭିଯୋଗ ହେବା ପରେ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ପୁଲିସ ୬ଟି ସ୍ବତନ୍ତ୍ର ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଅନ୍ୟପଟେ ମହିଳା ଦ୍ବୟଙ୍କୁ ଉଦ୍ଧାର କରି ଏକ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।



