
୨ ଏଟିଏମ୍ ଲୁଟେରା ଗିରଫ, ଲକ୍ଷାଧିକ ଟଙ୍କା ସହିତ ସୁନା ଗହଣା ଜବତ

ଆଠଗଡ : ଆଠଗଡ ପୁଲିସ ବିଭିନ୍ନ ସମୟରେ ହେଉଥିବା ଏଟିଏମ୍ ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିବାରେ ସକ୍ଷମ ହୋଇଛି । ଏଟିଏମ ଲୁଟିଆ ଦଳର ଦୁଇ ଜଣଙ୍କୁ ପୁଲିସ ଗିରଫ କରିବା ସହିତ ନଗଦ ୩ ଲକ୍ଷ ୧୦ ହଜାର ଟଙ୍କା ଏବଂ ୯୩ ଗ୍ରାମର ସୁନା ଗହଣା ଜବତ କରି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏ ସମ୍ପର୍କରେ ଗୁରୁବାର ଅପରାହ୍ନରେ ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ କଟକ ଗ୍ରାମାଞ୍ଚଳ ଏସପି ପ୍ରତୀକ ସିଂହ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି।
ବିଶେଷକରି ବରିଷ୍ଠ ନାଗରିକ ମାନଙ୍କୁ ଟାର୍ଗେଟ କରୁଥିଲେ ଏହି ଲୁଟିଆ ଦଳ। ଏଟିଏମ୍ ଭିତରେ ବରିଷ୍ଠ ନାଗରିକ ଟଙ୍କା ଉଠାଣ ବେଳେ ଚତୁରତାର ସହିତ ଏଟିଏମ୍ କାର୍ଡ ବଦଳ କରି ସେହି କାର୍ଡ ଅନ୍ଯ ଏଟିଏମରେ ବ୍ୟବହାର କରି ଟଙ୍କା ଉଠାଇ ସେଥିରେ ମଉଜ ମଜଲିସ୍ କରୁଥିଲେ । ଏପରିକି ସେହି ଏଟିଏମ କାର୍ଡ ବ୍ୟବହାର କରି ସୁନା ଦୋକାନରୁ ଗହଣା କିଣିବା ସହିତ ଜୁଆ ମଧ୍ୟ ଖେଳୁଥିଲେ। ଏ ବାବଦରେ ଆଠଗଡ଼ ଥାନାରେ ତିନୋଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ଆଠଗଡ଼ ପୁଲିସ। ସମ୍ପୃକ୍ତ ତିନୋଟି ମାମଲାରେ ମୋଟ ୬,୦୪,୦୧୫ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା। ଗତ ଜାନୁଆରୀ ମାସରେ ଆଠଗଡ଼ ଥାନା ଅନ୍ତର୍ଗତ ବୁଦ୍ଧିଆପାଟଣା ଗ୍ରାମର ବଳଭଦ୍ର ସ୍ବାଇଁଙ୍କ ଏଟିଏମ୍ କାର୍ଡ ବ୍ୟବହାର କରି ଢେଙ୍କାନାଳ ଏବଂ ରାଉରକେଲା ରୁ ୧,୪୬,୫୩୯ ଟଙ୍କା ଉଠାଣ, ମାର୍ଚ୍ଚ ମାସରେ ଆଠଗଡ଼ ଥାନା ଅନ୍ତର୍ଗତ କନ୍ଦରପୁର ଗ୍ରାମର ସୁପ୍ରସନ୍ନ ବେହେରାଙ୍କ ଏଟିଏମ୍ କାର୍ଡ ବ୍ୟବହାର କରି ଢେଙ୍କାନାଳ ଗଣେଶ ଜୁଏଲାରୀରୁ ୯୦,୪୭୬ ଟଙ୍କା ର ସୁନା ଗହଣା ଏବଂ ଆଠଗଡ଼ ଥାନା ଅନ୍ତର୍ଗତ କରିକୋଲ ଗ୍ରାମର ସୁଶାନ୍ତ କୁମାର ସାହୁଙ୍କ ଏଟିଏମ୍ କାର୍ଡ ବ୍ୟବହାର କରି ୨ ଲକ୍ଷ ୪୨ ହଜାର ଟଙ୍କା ଏବଂ ୨ ଲକ୍ଷ ୨୫ ହଜାର ଟଙ୍କାର ସୁନା ଗହଣା କିଣିଥିବା ବେଳେ ୭୫ ହଜାର ଟଙ୍କା ଢେଙ୍କାନାଳ ଏଟିଏମରୁ ଉଠାଇଥିବା ପ୍ରମାଣ ମିଳିଥିବା ପୁଲିସ ସୂତ୍ରରୁ ଜଣାପଡିଛି।
ଏହି ଲୁଟ୍ ମାମଲାରେ ପୋଲିସ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଖଣ୍ଡୁରୁ ଗ୍ରାମର ବୁଦ୍ଧିମନ୍ତ ସାହୁଙ୍କ ପୁଅ ମନୋଜ କୁମାର ସାହୁ (୩୫) ଏବଂ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅଞ୍ଚଳର ପ୍ରଦୀପ କୁମାର ସାହୁଙ୍କୁ ଗିରଫ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ କଟକ ଗ୍ରାମାଞ୍ଚଳ ଏସପି ଶ୍ରୀ ସିଂହ ସୂଚନା ଦେଇଛନ୍ତି। ତେବେ ସେମାନଙ୍କ ଠାରୁ ସୁନା ଗହଣା ରଖି ଟଙ୍କା ଦେଉଥିବା ନୟାଗଡ ଅଞ୍ଚଳର କିଶୋର ମାଝୀ ଫେରାର ଥିବା ପୋଲିସ ସୂତ୍ରରୁ ଜଣାପଡିଛି। ଗିରଫ ଅଭିଯୁକ୍ତ ପ୍ରଦୀପ କୁମାର ସାହୁ ଜଣେ ବୁକି ମଧ୍ୟ। ପ୍ରଦୀପ ବିଭିନ୍ନ ଅନଲାଇନ୍ ଗେମ୍ ମାଧ୍ୟମରେ ଅଭିଯୁକ୍ତ ମନୋଜ କୁମାର ସାହୁ ଏବଂ ଅନ୍ୟତମ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀଠାରୁ ୫ ଲକ୍ଷ ୬୦ ହଜାର ଟଙ୍କା ନେଇଥିବା ଜଣାପଡ଼ିବା ପରେ ତାକୁ ନୟାଗଡ଼ରୁ ଗିରଫ କରା ଯାଇଥିବା ବେଳେ ମନୋଜ ଆଠଗଡ଼ରୁ ଅନ୍ୟ ଏକ ଲୁଟ୍ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ତାକୁ ଗିରଫ କରାଯାଇଥିବା କୁହାଯାଇଛି। ପ୍ରଦୀପ ଠାରୁ ନଗଦ ୫୦ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଅଭିଯୁକ୍ତ ମାନଙ୍କ ଠାରୁ ଟଙ୍କା ସୁନା ସହିତ ୨୬ ଟି ଏଟିଏମ୍ କାର୍ଡ ଚାରୋଟି ମୋବାଇଲ ଫୋନ ଜବତ କରାଯାଇଛି। ଅଭିଯୁକ୍ତ ମାନଙ୍କ ନାମରେ ଓଡ଼ିଶାର ବିଭିନ୍ନ ଥାନାରେ ୪୩ ଟି ମାମଲା ରହିଥିବା ବେଳେ ଉକ୍ତ ମାମଲା ଗୁଡିକର ତଦନ୍ତ ପାଇଁ ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି ଏସପି କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିଶ୍ବଜିତ ମହାନ୍ତି ଏବଂ ଆଠଗଡ଼ ଥାନା ଅଧିକାରୀ ସୁମତି କୁମାରୀ ମହାନ୍ତି ଉପସ୍ଥିତ ଥିଲେ।
Comments are closed.