ଭାରତ ଏସିଆ କପ୍ ଫାଇନାଲରେ ପାକିସ୍ତାନକୁ ହରାଇ ବିଜୟୀ ହୋଇଛି। ଏହି ବିଜୟ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଉପରେ ପ୍ରଥମ ନୁହେଁ। ତେବେ ଏଥର ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଯେଉଁ ପରିସ୍ଥିତିରେ ପାକିସ୍ତାନକୁ ତିନି ତିନିଥର ହରାଇ ଧୂଳି ଚଟାଇଲା ତା’ ପଛରେ ଏକ ଜାତୀୟ ପ୍ରତିଶୋଧର ମନସ୍ତତ୍ତ୍ବ ରହିଥିଲା। ‘ଅପରେସନ ସିନ୍ଦୂର’ ପରବର୍ତ୍ତୀ ପରିସ୍ଥିତିରେ ଏହି ବିଜୟର ଗୁରୁତ୍ବକୁ ନ୍ୟୂନ କରିହେବ ନାହିଁ। ତେବେ ଉଭୟ ଦେଶର ଖେଳାଳିଙ୍କ ଆଚରଣ ଓ ମନ୍ତବ୍ୟ ମଧ୍ୟ ଏହି ଖେଳକୁ ଏକ ଯୁଦ୍ଧରେ ପରିଣତ କରିଥିଲା। ରାଜନୀତିକ ପ୍ରଭାବ ଯୋଗୁଁ ଏହା ଯେ ଘଟିଲା ଏଥିରେ ଦ୍ବିରୁକ୍ତି ନାହିଁ। ଏହା ଏକ ଖେଳର ବିଜୟ ହୋଇଥିବାରୁ ଉଭୟ ଦେଶର ଖେଳାଳି ଓ ଖେଳପ୍ରେମୀଙ୍କୁ ଏକାଠି ହେବାର ଥିଲା ଯେମିତି ସବୁ ମ୍ୟାଚ ଶେଷରେ ହୁଏ। ଏଥିରେ କିନ୍ତୁ ଘଟଣାକ୍ରମେ ଖେଳ ଭାବନା ପରିବର୍ତ୍ତେ ତୀବ୍ର ଜାତୀୟତାବାଦ ଓ ରାଜନୀତି ପ୍ରବେଶ କରିଯାଇଥିଲା। ଏହି ବିଜୟ ରାଜନୈତିକ ବୟାନବାଜି ଏବଂ କ୍ରିକେଟକୁ ଜାତୀୟତାବାଦ ଓ ଯୁଦ୍ଧ ସହିତ ଯୋଡ଼ିବା ଭଳି ଏକ ନୂଆ ଧାରା ସୃଷ୍ଟି କଲା। ସ୍ନାୟୁଯୁଦ୍ଧର ପ୍ରତିଫଳନ ଖେଳରେ ଦେଖିବାକୁ ମିଳିଲା।
ବିଜୟ ପରେ ଭାରତୀୟ ଟିମ୍ ଏସିଆନ୍ କ୍ରିକେଟ୍ କାଉନସିଲ୍ ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ମୋହସିନ୍ ନକ୍ଭିଙ୍କ ଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଲା। ଏହା ପରେ ନକ୍ଭି ଟ୍ରଫି ଓ ମେଡାଲ୍ ନିଜ ହୋଟେଲକୁ ନେଇଗଲେ। ଏସବୁ ଭିତରେ ପ୍ରକୃତ କ୍ଷତି ହୋଇଛି କ୍ରିକେଟ୍ର – ଯାହା ଦିନେ ଦୁଇ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ସମ୍ପର୍କର ସେତୁ ଥିଲା ତାହା ବର୍ତ୍ତମାନ ରାଜନୈତିକ ଅସ୍ତ୍ରରେ ପରିଣତ ହେଉଛି। ଆଜି ଭାରତ ଓ ପାକିସ୍ତାନ ଭିତରେ ଏଭଳି ଘଟିଲା କାଲି ହୁଏତ ଆଉ କେଉଁ ପରିସ୍ଥିତିରେ କ୍ରିକେଟ ବା ଅନ୍ୟ କେଉଁ କ୍ରୀଡାରେ ଅନ୍ୟ ଦେଶମାନଙ୍କ ଭିତରେ ବି ଏହା ଘଟିପାରେ।
ଏହି ଟୁର୍ଣ୍ଣାମେଣ୍ଟ ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଏବଂ ଭାରତର ‘ଅପରେସନ୍ ସିନ୍ଦୂର’ ପରେ ଉତ୍ତେଜନାପୂର୍ଣ୍ଣ ଦ୍ବିପାକ୍ଷିକ ସମ୍ପର୍କ ଭିତରେ ଅନୁଷ୍ଠିତ ହୋଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଏହି ପରିସ୍ଥିତିରେ, ରାଜନୈତିକ ନେତାମାନେ କ୍ରିକେଟ୍ର ବିଜୟକୁ ସାମରିକ ବିଜୟର ଏକ ଅଂଶ ଭାବରେ ଉପସ୍ଥାପନ କରିବାକୁ ଲାଗିଛନ୍ତି। ଭାରତ ଯଦି ଦୈବାତ୍ ହାରିଯାଇଥାନ୍ତା, ପରିସ୍ଥିତି କ’ଣ ହୋଇଥାନ୍ତା ତାହା ଏହି ପରିପ୍ରେକ୍ଷୀରେ ବିଚାର୍ଯ୍ୟ। କ୍ରୀଡ଼ା ଭାବନାକୁ ନଷ୍ଟ କରିବା ଭଳି କୌଣସି କାର୍ଯ୍ୟ ହେବା ଅନୁଚିତ। ଯୁଦ୍ଧକ୍ଷେତ୍ରର ବିଜୟ ପରାଜୟର ପ୍ରତିଫଳନ ଯଦି କ୍ରୀଡାକ୍ଷେତ୍ରରେ ହେବ ତେବେ କ୍ରୀଡା ତାହାର ମୂଳ ଉଦ୍ଦେଶ୍ୟ ହରାଇବ।



