ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ୍ କେବଳ ଏକ ଖେଳ ହୋଇ ନଥାଏ, ଏହା ସବୁବେଳେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ବିବାଦ ସୃଷ୍ଟି କରିଥାଏ। ଦୁବାଇରେ ରବିବାର ଅନୁଷ୍ଠିତ ଏସିଆ କପ୍ ମ୍ୟାଚରେ ଏ କଥାର ସତ୍ୟତା ପୁନରାବୃତ୍ତି ଘଟିଛି। ମ୍ୟାଚ୍ ପରବର୍ତ୍ତୀ କରମର୍ଦନ (ହ୍ୟାଣ୍ଡ୍ସେକ୍)ର ଅନୁପସ୍ଥିତି, ଭାରତର ବିଜୟ ଠାରୁ ମଧ୍ୟ ଅଧିକ ଚର୍ଚ୍ଚିତ ହୋଇଛି । ଭାରତର ସାତ ୱିକେଟ୍ ବିଜୟ ନିଶ୍ଚିତ ଭାବରେ ପ୍ରଭାବଶାଳୀ ଥିଲା; କିନ୍ତୁ ବିପକ୍ଷ ଦଳ ସହ ହାତ ନ ମିଳାଇ ସିଧାସଳଖ ଡ୍ରେସିଂ ରୁମ୍କୁ ଯିବାକୁ ଦଳର ନିଷ୍ପତ୍ତି ପାକିସ୍ତାନ କ୍ରିକେଟ୍ ବୋର୍ଡରୁ ବିବାଦ ଏବଂ ପ୍ରତିବାଦ ସୃଷ୍ଟି କରିଛି।
ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏହି ପଦକ୍ଷେପକୁ ପହଲଗାଓଁ ଆତଙ୍କବାଦୀ ଆକ୍ରମଣର ଏକ ପ୍ରତୀକାତ୍ମକ ପ୍ରତିକ୍ରିୟା ଭାବରେ ଯଥାର୍ଥ ପ୍ରତିପାଦିତ କରିଛନ୍ତି। ସେ କ୍ରୀଡ଼ାକୁ ନିହତ ନାଗରିକମାନଙ୍କ ଦୁଃଖ ଏବଂ ଅପରେସନ ସିନ୍ଦୂର ଅଧୀନରେ ଭାରତର ସାମରିକ ପ୍ରତିକ୍ରିୟା ସହିତ ଯୋଡ଼ିଛନ୍ତି। “ଜୀବନରେ କିଛି ଜିନିଷ ଖେଳାଳିର ଭାବନାଠାରୁ ଆଗରେ,” କହି ସେ ସଶସ୍ତ୍ର ବାହିନୀକୁ ଏହି ବିଜୟ ଉତ୍ସର୍ଗ କରିଛନ୍ତି। ତେବେ ପାକିସ୍ତାନ ପାଇଁ ଭାରତୀୟ ଦଳର ଏହି ବ୍ୟବହାର ଅସୁନ୍ଦର ଥିଲା । ଦଳର ଅଧିକାରୀମାନେ ଏସୀୟ କ୍ରିକେଟ୍ ପରିଷଦ ନିକଟରେ ଦୃଢ଼ ପ୍ରତିବାଦ କରିଥିଲେ ଏବଂ ଅଧିନାୟକ ସଲମାନ ଆଘା ମ୍ୟାଚ୍ ପରବର୍ତ୍ତୀ ଉପସ୍ଥାପନାରେ ଯୋଗ ଦେବାକୁ ମନା କରି ଦେଇଥିଲେ। ପାକିସ୍ତାନର କୋଚ୍ ମାଇକ୍ ହେସନ ତାଙ୍କ ଖେଳାଳିମାନେ କରମର୍ଦନ କରିବାକୁ ଇଚ୍ଛୁକ ଥିଲେ ବୋଲି ଦାବି କରିଛନ୍ତି।
ଏହି ଘଟଣା ଏକ ଚିର ପରିଚିତ ପ୍ରଶ୍ନ ଉଠାଇଛି। କ୍ରୀଡ଼ାକୁ ରାଜନୀତିରୁ ଅଲଗା ରଖିବା ଉଚିତ, ନା ନାହିଁ ? ଭାରତ ଯୁକ୍ତି କରେ ଯେ ଆତଙ୍କବାଦୀ ଆକ୍ରମଣକୁ କ୍ରିକେଟ୍ ପଡ଼ିଆରୁ ଅଲଗା କରାଯାଇପାରିବ ନାହିଁ। ପାକିସ୍ତାନ କିନ୍ତୁ କରମର୍ଦନ ନ କରିବାକୁ କ୍ରୀଡ଼ା ପରମ୍ପରାର ଉଲ୍ଲଙ୍ଘନ ଭାବରେ ଦେଖେ । ଆଇସିସି ନିୟମରେ କରମର୍ଦନ ନିୟମ ନାହିଁ, ଯଦିଓ ଏହା ଏକ ସାଧାରଣ ଶିଷ୍ଟାଚାର। ତେବେ ମ୍ୟାଚ ରେଫ୍ରିଙ୍କ ଭୂମିକା ଅନୁଚିତ ଥିଲା। ସେ ସୂର୍ଯ୍ୟକୁମାରଙ୍କୁ ପ୍ରତିପକ୍ଷ ସହିତ କରମର୍ଦନ ପାଇଁ ବାରଣ କରିଥିଲେ। ସତ୍ୟ ହେଉଛି ଯେ ଉଭୟ ପକ୍ଷର ଯୁକ୍ତି, ଗଭୀର ବାସ୍ତବତାକୁ ପ୍ରତିଫଳିତ କରେ : ଗୋଟିଏ ପଟେ ରାଜନୈତିକ କ୍ଷତ ଏବଂ ଅନ୍ୟ ପଟେ ସମ୍ମାନ ପାଇଁ ଦାବି। ଶତ୍ରୁତାପୂର୍ଣ୍ଣ ସମୟରେ କ୍ରିକେଟ୍ କୂଟନୀତି ପ୍ରାୟତଃ ଏକ ସେତୁ ଭାବରେ କାର୍ଯ୍ୟ କରିଛି ; କିନ୍ତୁ ଏହା ସଂଘର୍ଷର ପ୍ରଥମ ଶିକାର ମଧ୍ୟ ହୋଇପାରେ । “ଅସୁନ୍ଦର” ପ୍ରତିବାଦ ଏବଂ “ଦେଶଭକ୍ତିପୂର୍ଣ୍ଣ’ ଉତ୍ତର ଉଭୟ ଆମକୁ ମନେ ପକାଇ ଦିଏ ଯେ ଯେତେବେଳେ ଭାରତ ଏବଂ ପାକିସ୍ତାନ ଭେଟନ୍ତି, ସେତେବେଳେ ପ୍ରତିଯୋଗିତାର ସୀମାରେଖା ଖେଳ ପଡ଼ିଆରୁ ବହୁତ ଦୂରକୁ ବ୍ୟାପିଥାଏ। ଯେ ପର୍ଯ୍ୟନ୍ତ ରାଜନୈତିକ ବିଶ୍ୱାସ ପୁନଃସ୍ଥାପିତ ନହେବ, ସେ ପର୍ଯ୍ୟନ୍ତ ଏକ ସାଧାରଣ କରମର୍ଦନ ମଧ୍ୟ ଏକ ବିବାଦୀୟ ପ୍ରସଙ୍ଗ ହୋଇ ରହିବ ।
ଭାରତ ଓ ପାକିସ୍ତାନ ମଧ୍ୟରେ ଯେତେବେଳେ ସାମରିକ ତୀବ୍ରତା ବଢ଼େ, ସେତେବେଳେ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ତାହାର ପ୍ରଭାବ ଦେଖିବାକୁ ମିଳେ। ଏହା ଏକ ଜାତୀୟ ଗର୍ବ ଏବଂ ସ୍ବାଭିମାନର ପ୍ରଶ୍ନ ହୋଇଯାଏ, ଯାହା ଖେଳର ନୀତିନିୟମକୁ ଅତିକ୍ରମ କରିଯାଏ । ଏଭଳି ସ୍ଥିତିରେ, ଖେଳାଳିମାନଙ୍କ ଉପରେ ଦେଶର ଭାବନାକୁ ପ୍ରତିଫଳିତ କରିବାର ଅଦୃଶ୍ୟ ଚାପ ପଡ଼େ। ସେଥିରେ ସୌଜନ୍ୟ ବାଦ ପଡ଼େ। କ୍ରୀଡ଼ା ଏକ ସେତୁ ଭାବରେ କାର୍ଯ୍ୟ କରିବା ଉଚିତ୍, ଯାହା ଦୁଇ ଦେଶର ଲୋକଙ୍କୁ ଏକାଠି କରିବ ଏବଂ ଶାନ୍ତି ଓ ବନ୍ଧୁତ୍ୱର ବାର୍ତ୍ତା ପ୍ରଚାର କରିବ। ତେବେ, ବର୍ତ୍ତମାନର ପରିସ୍ଥିତିରେ, ଯେତେବେଳେ ସୀମାରେ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରହିଛି ଏବଂ ସାମରିକ ସଂଘର୍ଷର ଭୟ ଅଛି, ସେତେବେଳେ କ୍ରୀଡ଼ାକୁ ଏହି ରାଜନୈତିକ ଉତ୍ତେଜନାରୁ ଅଲଗା ରଖିବା କଷ୍ଟକର ହୋଇପଡ଼ିଛି। ଉଭୟ ଦେଶର ସରକାର ଏବଂ ଖେଳ ସଂସ୍ଥାମାନେ ଏହି ଦିଗରେ ଚିନ୍ତା କରିବା ଆବଶ୍ୟକ ଯେ କିପରି କ୍ରୀଡ଼ାକୁ ରାଜନୀତିର ପ୍ରଭାବରୁ ମୁକ୍ତ କରି ଏହାକୁ କେବଳ ଖେଳ ଭାବରେ ଦେଖିହେବ। ଏହା ଦ୍ୱାରା ହିଁ ପ୍ରକୃତ କ୍ରୀଡ଼ା ମନୋଭାବ ବଜାୟ ରହିପାରିବ ଏବଂ ଦୁଇ ଦେଶ ମଧ୍ୟରେ ସମ୍ବନ୍ଧରେ ସୁଧାର ଆସିବାର ସମ୍ଭାବନା ସୃଷ୍ଟି ହେବ। ଯେ ପର୍ଯ୍ୟନ୍ତ ରାଜନୈତିକ ସ୍ତରରେ ବିଶ୍ୱାସ ଏବଂ ସମ୍ମାନ ପୁନଃସ୍ଥାପିତ ନହେବ, ସେ ପର୍ଯ୍ୟନ୍ତ ଏକ ସାଧାରଣ କରମର୍ଦନ ମଧ୍ୟ ଏକ ବିବାଦୀୟ ପ୍ରସଙ୍ଗ ହୋଇ ରହିବ ଏବଂ ଖେଳ ପଡ଼ିଆରେ ବି ରାଜନୀତିର ଛାୟା ପଡ଼ିବ।



