ସମାଜ ଡିଜିଟାଲ ଡେସ୍କ: ଏସସିଓ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବା ଏବଂ ସେଠାରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିକଟତର ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତକୁ ଟାର୍ଗେଟ କରିଛନ୍ତି। ଭାରତ-ଆମେରିକା ବାଣିଜ୍ୟିକ ସମ୍ପର୍କ ଏକପାଖିଆ ବିପର୍ଯ୍ୟୟ ବୋଲି ଟ୍ରମ୍ପ କହିଛନ୍ତି। ଏପରି କି ଭାରତ ପକ୍ଷରୁ ଆମେରିକୀୟ ସାମଗ୍ରୀ ଉପରେ ଲାଗୁ ହେଉଥିବା ଶୁଳ୍କ ହ୍ରାସ କରିବାକୁ ନୂଆଦିଲ୍ଲୀ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ବିଳମ୍ବିତ ହୋଇଯାଇଛି ବୋଲି ସେ କହିଛନ୍ତି।
ଟ୍ରମ୍ପ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ଅନେକ ଲୋକ ଜାଣନ୍ତି ଯେ, ଆମେ ଭାରତ ସହିତ ଅତି କମ୍ ବ୍ୟବସାୟ କରୁଛୁ। କିନ୍ତୁ ସେମାନେ ଆମ ସହିତ ବହୁ ପରିମାଣର ବ୍ୟବସାୟ କରନ୍ତି। ସେମାନେ ଆମକୁ ବହୁ ପରିମାଣର ସାମଗ୍ରୀ ବିକ୍ରି କରୁଛନ୍ତି। ଆମେରିକା ଭାରତର ବଡ଼ ଗ୍ରାହକ। କିନ୍ତୁ ଆମେ ଭାରତକୁ ଅଳ୍ପ ସାମଗ୍ରୀ ବିକ୍ରି କରୁଛୁ। ଏହା ସମ୍ପୂର୍ଣ୍ଣ ଏକପାଖିଆ। ଅନେକ ଦଶନ୍ଧି ଧରି ଏହା ଚାଲିଆସିଛି।
ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ, ଭାରତ ସବୁଠୁ ବେଶୀ ଶୁଳ୍କ ଲାଗୁ କରୁଛି। ଏହା ସହିତ ଆମେରିକା କମ୍ପାନୀଗୁଡ଼ିକୁ ଭାରତରେ ପ୍ରବେଶ କରିବାକୁ ଦେଉନାହିଁ। ଏହା ସମ୍ପୂର୍ଣ୍ଣ ଭାବେ ଏକପାଖିଆ। ଅନ୍ୟପଟେ ଭାରତ ତୈଳ ଏବଂ ଯୁଦ୍ଧାସ୍ତ୍ର ରୁଷଠାରୁ ବହୁମାତ୍ରାରେ କ୍ରୟ କରୁଛି। ଆମେରିକାଠାରୁ ଅତି କମ ପରିମାଣରେ କିଣୁଛି। ବର୍ତ୍ତମାନ ନୂଆଦିଲ୍ଲୀ ଆମେରିକା ଉତ୍ପାଦ ଉପରୁ ଶୁଳ୍କ ହ୍ରାସ ପାଇଁ କହୁଛି। ଆମେରିକା ଉତ୍ପାଦ ଉପରେ କୌଣସି ଶୁଳ୍କ ଲାଗୁ କରିବ ନାହିଁ ବୋଲି କହୁଛି। ମାତ୍ରା ଏହା ବିଳମ୍ବ ହୋଇଯାଇଛି। ସେମାନେ ବହୁ ଆଗରୁ ଏହା କରିବାର ଥିଲା।



