ସ୍ଵାମୀ ଓ ତାଙ୍କ ପରିବାରକୁ ହଇରାଣ ପାଇଁ ଯୌତୁକ ନିରୋଧୀ ଆଇନର ଅପବ୍ୟବହାର ବନ୍ଦ କର: ସୁପ୍ରିମକୋର୍ଟ

ସମାଜ ଡିଜିଟାଲ ଡେସ୍କ: ଅନେକ କ୍ଷେତ୍ରରେ ଯୌତୁକ ନିରୋଧୀ ଆଇନକୁ ଦୁରୂପୋଯୋଗ କରାଯାଉଛି। ବ୍ୟକ୍ତିଗତ ଉଦ୍ଦେଶ୍ୟ ସାଧନ ଲାଗି ଅନେକ ମହିଳା ସ୍ଵାମୀ ଏବଂ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିବା ସହିତ ସେମାନଙ୍କ ସୁରକ୍ଷା ଲାଗି ରହିଥିବା ଯୌତୁକ ନିରୋଧୀ ଆଇନ(ଆଇପିସିର ଧାରା ୪୯୮ଏ)ର ଭୁଲ ଫାଇଦା ଉଠାଉଛନ୍ତି। ଏହି କାରଣରୁ ବେଙ୍ଗାଲୁରୁରେ ଜଣେ ଯନ୍ତ୍ରୀ ଅତିଷ୍ଠ ହୋଇ ଆତ୍ମହତ୍ୟା କରିବା ପରେ ଏହାକୁ ଗୁରୁତର ସହ ନେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ। ସୁପ୍ରିମକୋର୍ଟ ବୁଧବାର ଏ ସମ୍ପର୍କରେ ବଡ଼ ମନ୍ତବ୍ୟ ଦେଇ ଯୌତୁକ ନିରୋଧୀ ଆଇନ ବ୍ୟକ୍ତିଗତ ଉଦ୍ଦେଶ୍ୟ ସାଧନ ଲାଗି ହୋଇନାହିଁ ବୋଲି କହିଛନ୍ତି।

ବେଙ୍ଗାଲୁରୁର ଇଞ୍ଜିନିୟର ଅତୁଲ ସୁଭାଷ ଓ ତାଙ୍କ ପରିବାର ବିରୋଧରେ ସ୍ତ୍ରୀ ନିକିତା ସିଂଘାଣିଆ ଯୌତୁକ ନିର୍ଯାତନା ଅଭିଯୋଗ ଆଣିବା ପରେ ଅତୁଲଙ୍କ ବିରୋଧରେ​‌ ଫୌଜଦାରୀ ମାମଲା ରୁଜୁ ହୋଇଥିଲା। ଏହାକୁ ଖାରଜ କରିବା ଲାଗି ଅତୁଲ ତେଲଙ୍ଗାନା ହାଇକୋର୍ଟରେ ଆବେଦନ କରିଥିଲେ। କୋର୍ଟ ତାହାକୁ ଖାରଜ କରିଦେଇଥିଲେ। ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ହେଲେ ଶୁଣାଣି ପୂର୍ବରୁ ଅତୁଲ ଆତ୍ମହତ୍ୟା କରିବା ସହିତ ମାମଲାରେ ସେ ଜିତିଲେ ତାଙ୍କ ଅସ୍ଥିକୁ ଗଙ୍ଗାରେ ବିସର୍ଜନ କରିଦେବେ ଏବଂ ହାରିଗଲେ ଡ୍ରେନରେ ବିସର୍ଜନ କରିଦେବାକୁ ଅଦାଲତଙ୍କ ଉଦ୍ଦେଶ୍ୟରେ ସୁଇସାଇଡ୍ ନୋଟରେ ଲେଖିଛନ୍ତି।

ସୂଚନା ଅନୁସାରେ, ସ୍ତ୍ରୀଙ୍କଠାରୁ ନିର୍ଯାତନା ଅସହ୍ୟ ହେବାରୁ ଅତୁଲ ତାଙ୍କଠାରୁ ଛାଡ଼ପତ୍ର ଚାହିଁଥିଲେ। ଏହି କାରଣରୁ ନିକିତା ତାଙ୍କ ସ୍ଵାମୀ ଅତୁଲ ଏବଂ ଶାଶୁ ଘର ଲୋକଙ୍କ ବିରୋଧରେ ଧାରା ୪୯୮ଏ ଅଧୀନରେ ମାମଲା ଦାୟର କରିଥିଲେ। ଏହି ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ପ୍ରକୃତ ସମସ୍ୟା ଭୋଗୁଥିବା ପୀଡ଼ିତାଙ୍କୁ ୪୯୮ଏ ଅଧୀନରେ ନ୍ୟାୟ ମିଳିବା ଉଚିତ। କିନ୍ତୁ ବ୍ୟକ୍ତିଗତ ଉଦ୍ଦେଶ୍ୟ ହାସଲ ଲାଗି ତୁଚ୍ଛ ମାମଲା ରୁଜୁ କରିବା ଆଇନର ଉଦ୍ଦେଶ୍ୟକୁ ଅପମାନ ସଦୃଶ ବୋଲି ଖଣ୍ଡପୀଠ କହିଛନ୍ତି। ଏହି ମାମଲାରେ ସ୍ତ୍ରୀର ଅଭିଯୋଗ ପ୍ରକୃତ ନୁହେଁ, କେବଳ ନିଜର ଉଦ୍ଦେଶ୍ୟ ସଫଳ କରିବା ଲାଗି ଉଦ୍ଦିଷ୍ଟ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

Comments are closed.