ଭୁବନେଶ୍ୱର : ଆସନ୍ତାକାଲି ବାଲେଶ୍ୱର ସଦର ଓ ତିର୍ତୋଲ ବିଧାନସଭା ଆସନରେ ଉପ-ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ। ମତଦାନ ପୂର୍ବରୁ ପୁଲିଂ ବୁଥଗୁଡ଼ିକୁ ସାନିଟାଇଜ କରାଯିବ ଏବଂ ଭୋଟରଙ୍କ ସୁବିଧା ପାଇଁ ବୁଥ ସଂଖ୍ୟା ବୃଦ୍ଧି କରାଯାଇଛି। ଗୋଟିଏ ବୁଥରେ ୫୦୦ରୁ ଅଧିକ ଅବା ୧,୦୦୦ ଭୋଟର ମତଦାନ କରି ପାରିବେ। ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି, ଯାହା ଫଳରେ ସେମାନଙ୍କୁ ମତଦାନ ପାଇଁ କୌଣସି ଅସୁବିଧା ହେବ ନାହିଁ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ୩୪୬ ଓ ତିର୍ତ୍ତୋଲରେ ୩୭୩ଟି ବୁଥ ପ୍ରତିଷ୍ଠା କରାଯାଇଛି। ଉଭୟ ନିର୍ବାଚନ ମଣ୍ଡଳୀ ପାଇଁ ୩୭୪୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ବାଲେଶ୍ୱରରେ ୩୨ ଏବଂ ତିର୍ତ୍ତୋଲରେ ୩୦ ଜଣ ସେକ୍ଟର ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଦୁଇ ନିର୍ବାଚନ ମଣ୍ଡଳୀରେ ୮୦୦ ସ୍ବେଚ୍ଛାସେବୀଙ୍କୁ ନିୟାଜିତ କରାଯିବ।
ମତଦାତାମାନେ ମତଦାନ ପାଇଁ ଆଧାର କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ ଆଦି ୧୧ ପ୍ରକାରର ପ୍ରମାଣ ପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ପରିଚୟପତ୍ର ଦେଖାଇ ଭୋଟ ଦେଇପାରିବେ। କରୋନା ଆକ୍ରାନ୍ତଙ୍କୁ ମତଦାନ କେନ୍ଦ୍ରକୁ ନଆସିବା ପାଇଁ କୁହାଯାଇଥିବା ବେଳେ ଥଣ୍ଡା, ଛିଙ୍କ ଓ କାଶ ହେଉଥିଲେ ଟୋକନ ନେଇ ଶେଷ ସମୟରେ ଭୋଟ ଦେବାକୁ କୁହାଯାଇଛି। ମତଦାନ ସମୟରେ ବୁଥରେ ଆଶାକର୍ମୀ ଓ ସ୍ୱେଚ୍ଛାସେବୀ ଉପସ୍ଥିତ ରହିବେ। ସାମାଜିକ ଦୂରତା ରକ୍ଷା କରି ଭୋଟ ଦେବାକୁ ମତଦାତାମାନଙ୍କୁ କୁହାଯାଇଛି।
ଏଥିସହ ମତଦାନ କେନ୍ଦ୍ରକୁ ଆସୁଥିବା ସମସ୍ତ ମତଦାତାଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯିବ। ଯଦି କାହାର ଶରୀରର ତାପମାତ୍ରା ଅଧିକ ଥାଏ କିମ୍ବା କୋଭିଡ୍ ଲକ୍ଷଣ ପ୍ରକାଶ ପାଉଥାଏ ତେବେ ତାଙ୍କୁ ଫେରାଇ ଦିଆଯିବ।
ଆସନ୍ତା ୧୦ ତାରିଖରେ ଭୋଟ୍ ଗଣତି ସହ ଫଳାଫଳ ପ୍ରକାଶ ପାଇବ।



