www.samajalive.in
Wednesday, December 10, 2025
16.1 C
Bhubaneswar

ସମୟ ଓ ଆମେ

ଆମେ ସମୟ ସମୟରେ ଆଜିର କାର୍ଯ୍ୟକୁ ଆଜି ନ କରି ଆସନ୍ତା କାଲି ପାଇଁ ରଖିଦେଉ। ସହଜ ଓ କଷ୍ଟ ଦୁଇଟି କାମ କରିବାକୁ ଥିଲେ ସହଜଟିକୁ ଆଜି ହାତକୁ ନେଇ କଷ୍ଟଟିକୁ ପଛକୁ ରଖୁ। ବଡ଼ମାନଙ୍କର ଉପଦେଶ- “ଆଜିର କାର୍ଯ୍ୟ ଆଜି ହିଁ ଶେଷ କର, କାରଣ କାଲି କିଏ ଦେଖିଛି?’’ ଆସନ୍ତା କାଲି ଆମେ ସେହି କାମଟିକୁ କରିପାରିବା ବୋଲି କିଛି ନିଶ୍ଚିତତା ନାହିଁ। ତେଣୁ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ତଥା ଆମର କର୍ତ୍ତବ୍ୟକର୍ମକୁ ଆମେ ଯଥାଶୀଘ୍ର ଶେଷ କରିବା ଉଚିତ। ସମୟକୁ ଅଯଥା ବ୍ୟୟ କରିବାକୁ ନ ଦେଇ ନିଜ ନିଜର କର୍ତ୍ତବ୍ୟ ସାଧନରେ ଲାଗି ପଡ଼ିବା ଉଚିତ। ଯେଉଁ କାର୍ଯ୍ୟ କାଲିପାଇଁ ରଖାଯାଏ, ସେହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ଅନିଶ୍ଚିତ ବୋଲି ବୁଝିବାକୁ ହେବ କାରଣ କାଳ କାହାରି ବଶରେ ନଥାଏ, ବରଂ ଜଡ଼ ଓ ଜୀବ ସମସ୍ତେ କାଳର ବଶୀଭୂତ ହୋଇଥାନ୍ତି। ପୁରାଣରୁ ପ୍ରସଙ୍ଗଟିଏ-
ଧର୍ମରାଜ ଯୁଧିଷ୍ଠିର ରାଜକାର୍ଯ୍ୟରେ ବ୍ୟସ୍ତ ଥିବା ସମୟରେ ଜଣେ ବ୍ରାହ୍ମଣ ତାଙ୍କ ପାଖରେ ଉପସ୍ଥିତ ହୋଇ ତାଙ୍କର କିଛି ଇଚ୍ଛା ପୂରଣ କରିବାକୁ ଅନୁରୋଧ କଲେ। ଯୁଧିଷ୍ଠିର କହିଲେ- ବ୍ରାହ୍ମଣ ଦେବତା! ମୁଁ ଆଜି ରାଜକାର୍ଯ୍ୟରେ ବ୍ୟସ୍ତ ରହିଛି। ତେଣୁ ଆପଣ ଦୟାକରି ଆସନ୍ତାକାଲି ଆସନ୍ତୁ। ମୁଁ ଆପଣଙ୍କର ସମସ୍ତ ଇଚ୍ଛା ପୂରଣ କରିବାକୁ ଚେଷ୍ଟା କରିବି। ଏକଥା ଶୁଣି ବ୍ରାହ୍ମଣ ଫେରିଗଲେ। ଭୀମସେନ କିନ୍ତୁ ଏ କଥାରେ ସନ୍ତୁଷ୍ଟ ହେଲେ ନାହିଁ। ଜ୍ୟେଷ୍ଠଭ୍ରାତାଙ୍କୁ ମଧ୍ୟ କିଛି କହିପାରିଲେ ନାହିଁ। ତା ପରେ ସେ ରାଜପ୍ରାସାଦ ବାହାରକୁ ଯାଇ ଦୁନ୍ଦୁଭି ବଜାଇ ନୃତ୍ୟ କରିବାକୁ ଲାଗିଲେ। ଦୁନ୍ଦୁଭିର ଶବ୍ଦ ଶୁଣି ମହାରାଜ ଯୁଧିଷ୍ଠିର ଚକିତ ହୋଇ ଦୁନ୍ଦୁଭି କିଏ ବଜାଉଛି ବୋଲି ଅନୁସନ୍ଧାନ କରି ଜାଣିଲେ ଭୀମସେନ ହିଁ ସେପରି ବାଦ୍ୟ ବଜାଉଛନ୍ତି। ସେ ଭୀମସେନଙ୍କୁ ଡକାଇ କଥା କ’ଣ ବୋଲି ପଚାରନ୍ତେ ଭୀମସେନ କହିଲେ, “ମହାରାଜ! ଆଜି ମୋ ପାଇଁ ଖୁବ୍‌‌ ଖୁସିର ଦିନ। କାରଣ ଆଜି ମୁଁ ଜାଣିଲି ମୋର ଜ୍ୟେଷ୍ଠଭ୍ରାତା ମହାରାଜ ଯୁଧିଷ୍ଠିର କାଳକୁ ଜୟ କରିଛନ୍ତି। ସେଇ ଖୁସିରେ ମୁଁ ବାଦ୍ୟ ବଜାଉଥିଲି।” “କ’ଣ ତୁମେ କହୁଛ ଭୀମ ସେନ?’’ କିଛି ବୁଝି ନ ପାରି ମହାରାଜ ପଚାରିଲେ। ଭୀମସେନ କହିଲେ, “ଭ୍ରାତା! ଆପଣ ବ୍ରାହ୍ମଣଙ୍କୁ ଆସନ୍ତା କାଲି ତାଙ୍କର ଇଚ୍ଛା ପୂରଣ କରିବାକୁ କହିଲେ। କାଳ ଉପରେ ଆପଣଙ୍କର ନିୟନ୍ତ୍ରଣ ନଥିଲେ ଆପଣ ଏପରି କହିଥାନ୍ତେ କି? ତାହା ହିଁ ମୋର ଖୁସିର କାରଣ। ମୋ ଜାଣିବାରେ ଏ ପର୍ଯ୍ୟନ୍ତ କେହି ହେଲେ କାଳକୁ ନିୟନ୍ତ୍ରଣ କରିବାର କ୍ଷମତା ହାସଲ କରି ନ ଥିଲେ। ମୁଁ ବୁଝିପାରୁଛି ଆପଣଙ୍କ ଇଚ୍ଛାରେ ବ୍ରାହ୍ମଣଙ୍କର ଅବସ୍ଥା ଆଜିଠାରୁ କାଲି ପର୍ଯ୍ୟନ୍ତ ଯଥାତଥା ରହିଥିବ। ସମୟ ଗଡ଼ିଥିଲେ ମଧ୍ୟ କେହି କୌଣସି ଅବସ୍ଥାନ୍ତର ପ୍ରାପ୍ତ ହୋଇନଥିବେ।”
ଧର୍ମରାଜ ପ୍ରକୃତିସ୍ଥ ହେଲେ। ଭୀମସେନ ଠିକ୍‌‌ କହୁଛନ୍ତି। ବ୍ରାହ୍ମଣଙ୍କର କଥା ଆଜି ନ ବୁଝି ଆସନ୍ତା କାଲି ପାଇଁ ରଖିବା ଏବଂ ତାଙ୍କୁ ଫେରାଇଦେବା ଉଚିତ ହୋଇନାହିଁ। ତାଙ୍କ ଆଜିର ସମସ୍ୟା ଆସନ୍ତା କାଲି ସୁଦ୍ଧା ଆହୁରି ଗୁରୁତର ହୋଇଯାଇପାରେ। ଆସନ୍ତା କାଲି ତାଙ୍କୁ କିଛି ସାହାଯ୍ୟ କରିବା ପାଇଁ ହୁଏତ ମୋର ଶକ୍ତି ନ ଥାଇପାରେ। ଆସନ୍ତା କାଲି ସୁଦ୍ଧା ଅନେକ କିଛି ଘଟଣା ଦୁର୍ଘଟଣା ଘଟିବାର ସମ୍ଭାବନା ମଧ୍ୟ ରହିଛି। ସେସବୁ ଦ୍ୱାରା ଅନେକ କିଛି ପରିବର୍ତ୍ତନ ହେବାରେ କିଛି ବିଚିତ୍ରତା ନାହିଁ। ସେ ତତ୍‌‌କ୍ଷଣାତ୍‌‌ ସେହି ବ୍ରାହ୍ମଣଙ୍କ ଇଚ୍ଛାପୂରଣ କରିବା ନିମନ୍ତେ ଯଥାଶୀଘ୍ର ତାଙ୍କୁ ନିକଟକୁ ଅଣାଇବା ପାଇଁ ତାଙ୍କର କର୍ମଚାରୀମାନଙ୍କୁ ନି​‌େ​‌ର୍ଦଶ ଦେଲେ।
ଏମିତି ଅନେକ ସମୟରେ ଦେଖାଯାଏ, ଆମେ ସମୟର ମୂଲ୍ୟ ବୁଝୁନା। ସଂସାରରେ ପ୍ରତ୍ୟେକ ପ୍ରାଣୀର ପରମାୟୁ ଭିନ୍ନ। ମଣିଷର ପରମାୟୁ ଯାହା କିଛି ଈଶ୍ୱର ଧାର୍ଯ୍ୟ କରିଛନ୍ତି ଆମେ ସେହି ସମୟକୁ ବହୁତ ବେଶି ବୋଲି ଭାବିନେଉ। ସେଇଥି ପାଇଁ ସେହି ସମୟକୁ ବିତାଇବା ନିମନ୍ତେ ଆମେ ସମୟ ନଷ୍ଟ କରୁ। କିନ୍ତୁ ଆମେ ବୁଝି ପାରୁନା, କାଳ ଦୃଷ୍ଟିରେ ମଣିଷର ପରମାୟୁ ନିତାନ୍ତ ସାମାନ୍ୟ। କାଳ ଯଦି ସିନ୍ଧୁ ହୁଏ, ତେବେ ଜୀବନ ମାତ୍ର ବିନ୍ଦୁଟିଏ ବୋଲି କହିହେବ। ତା’ ଛଡ଼ା ସମସ୍ତେ ପୂର୍ଣ୍ଣ ପରମାୟୁ ଭୋଗ କରିପାରନ୍ତି ନାହିଁ। ତେଣୁ ଜୀବନକୁ ଏମିତି ସେମିତି ବିତାଇ ଦେବାର ମନୋବୃତ୍ତିକୁ ତ୍ୟାଗକରି ଏହାର ମୂଲ୍ୟ ବୁଝିବା ଉଚିତ। ପ୍ରତିଟି ମୁହୂର୍ତ୍ତକୁ ଗଠନମୂଳକ କାର୍ଯ୍ୟରେ ବିନିଯୋଗ କରିପାରିଲେ ଏହାର ଉଦ୍ଦେଶ୍ୟ ସଫଳ ହେବ ଏବଂ ଆମେ ଈଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତ କରିପାରିବା ।

ବାସୁଦେବ ମିଶ୍ର

- Advertisement -

ଦଶରଥପୁର, ଯାଜପୁର

Hot this week

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

Related Articles

Popular Categories