ତିଗିରିଆ:ତିଗିରିଆ ବ୍ଲକ ଅନ୍ତର୍ଗତ ଗଦାଧରପୁର ଗ୍ରାମର ଜଣେ ଅସହାୟ ଯୁବକଙ୍କର ଜ୍ୱରରେ ମୃତ୍ୟୁ ହେବା ପରେ କରୋନା ସନ୍ଦେହରେ ଭାଇସାହି ପଛଘୁଞ୍ଚା ଦେବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହାପରେ ତିଗିରିଆ ତହସିଲଦାର ପ୍ରମୋଦ କୁମାର ବାସ୍କେଙ୍କ ଉପସ୍ଥିତିରେ ତିଗିରିଆ ଯୁବ ଓ ଛାତ୍ର ଜନତା ଦଳର ସ୍ୱେଚ୍ଛାସେବୀମାନେ ଗ୍ରାମ ଶ୍ମଶାନରେ ମୃତକଙ୍କ ଶବଦାହ କରିଛନ୍ତି।
ଖବର ମୁତାବକ ଗଦାଧରପୁର ଗ୍ରାମର ବିନୋଦ କୁମାର ସାହୁ (୩୬) ଗତ ପ୍ରାୟ କିଛିଦିନ ହେଲା ଜ୍ୱରରେ ପୀଡ଼ିତ ଥିଲେ। ଗତ ପ୍ରାୟ ୮ଦିନ ହେଲା ସେ ନିଜ ଶ୍ୱଶୁର ଘର ବଡ଼ମ୍ବା ବ୍ଲକ ଅନନ୍ତର୍ଗତ ବୀରବରପୁର ଗ୍ରାମରେ ନିଜ ସ୍ତ୍ରୀ ପାଖରେ ରହୁଥିଲେ। ସେଠାରେ ଜ୍ୱର ଅଧିକ ବଢ଼ିଥିଲା। ଶନିବାର ଅପରାହ୍ଣ ପ୍ରାୟ ସାଢ଼େ ୪ଟା ସମୟରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ବିନୋଦଙ୍କ ନିଜ ଗ୍ରାମ ଗଦାଧରପୁରରେ ଅନ୍ତ୍ୟେଷ୍ଟିକ୍ରିୟା କରିବା ଲାଗି ତାଙ୍କ ସ୍ତ୍ରୀ ନିଜ ସମ୍ପର୍କୀୟ ଏବଂ ଭାଇସାହିଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କେହି ଧରାଛୁଆଁ ଦେଇନଥିଲେ। ଶେଷରେ ଏ ସମ୍ପର୍କରେ ଖବର ପାଇବା ପରେ ବଡ଼ମ୍ବା ତହସିଲଦାର ମେଡ଼ିକାଲ କର୍ମଚାରୀଙ୍କ ସହଯୋଗରେ ଶବକୁ ଉଠାଇ ତିଗିରିଆ ପ୍ରଶାସନ ଜିମା ଦେଇଥିଲେ। ଏହାପରେ ତିଗିରିଆ ତହସିଲଦାର ପ୍ରମୋଦ କୁମାର ବାସ୍କେ, ବିଡ଼ିଓ ଦୀପ୍ତିମୟୀ ବେହେରୋ ନିଜେ ଗଦାଧରପୁର ଆସି ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ହରେନ୍ଦ୍ର ଦଳେଇ, ଗ୍ରାମ ସଭାପତି ସୁରେନ୍ଦ୍ର କୁମାର ସ୍ୱାଇଁ ଏବଂ ଅନ୍ୟ ୱାର୍ଡ଼ ସଭ୍ୟଙ୍କ ସହ ଶବଦାହ ସମ୍ପର୍କରେ ଆଲୋଚନା କରିଥିଲେ।
ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶ୍ରୀ ଦଳେଇ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମନ୍ତ୍ରୀ ଶ୍ରୀ ସ୍ୱାଇଁ ଘଟଣା ସମ୍ପର୍କରେ ଅବଗତ ହେବା ପରେ ତାଙ୍କ ନିର୍ଦେଶ କ୍ରମେ ବିଜୁ ଯୁବ ଓ ଛାତ୍ର ବିଜୁ ଜନତା ଦଳର ସ୍ୱେଚ୍ଛାସେବୀ ବିଜୟ ବଳିୟାର ସିଂ, ହିମାଂଶୁ ଶେଖର ସ୍ୱାଇଁ, ଶୁଭେନ୍ଦୁ, ପିଙ୍କୁ ଗୋଛି, ୱାର୍ଡ଼ ସଭ୍ୟଙ୍କ ପ୍ରତିନିଧି ମାନସ ପ୍ରଧାନ ପ୍ରମୁଖ ପିପିଇ କିଟ୍ ପରିଧାନ କରି ମୃତ ଯୁବକଙ୍କ ଶବଦାହ କରିଥିଲେ। ଅନ୍ତ୍ୟେଷ୍ଟିକ୍ରିୟା ଶେଷ ପର୍ଯ୍ୟନ୍ତ ତହସିଲଦାର ଶ୍ରୀ ବାସ୍କେ ଗଦାଧରପୁର ଗ୍ରାମ ଶ୍ମସାନରେ ନିଜେ ଉପସ୍ଥିତ ରହିଥିଲେ।



