ଘସିପୁରା: ଜଣେ ସଫଳ ଚାଷୀ ଭାବେ ଅଭିନବ ଉପାୟରେ ବିଦେଶୀ କୋଳି, ଡ୍ରାଗନ ଫ୍ରୁଟ୍ , ପିଜୁଳି, କଦଳୀ ଆଦି ଚାଷ କରି ଆନନ୍ଦପୁର ଉପଖଣ୍ଡରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଶେଷ ମହାରଣା। ଅଞ୍ଚଳରେ ତଥା ଜିଲାରେ ନିଜକୁ ଚାଷରେ ପ୍ରତିଷ୍ଠିତ କରିବା ସହିତ ଯୁବପିଢୀଙ୍କୁ ଅତ୍ମନିର୍ଭରଶୀଳ ହେବା ପାଇଁ ବାର୍ତ୍ତା ଦେଇଛନ୍ତି ଏବଂ ବାସ୍ତବରେ ଏବେ ସେ ଯୁବପିଢ଼ୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଏପରିକି ତାଙ୍କର କାର୍ଯ୍ୟଦକ୍ଷତା ଓ ସୁଗମ ଉପାୟରେ ଅର୍ଥ ଉପାର୍ଜନ ବର୍ତ୍ତମାନର ପଥଭ୍ରଷ୍ଟ ଚାକିରି ଅନ୍ଵେଷଣରେ ଥିବା ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଆନନ୍ଦପୁର ପୌରାଞ୍ଚଳର ୫ ନମ୍ବର ୱାର୍ଡର ବାସିନ୍ଦା ତଥା ଆନନ୍ଦପୁର ମହାବିଦ୍ୟାଳୟର ତତ୍କାଳିନ ମୁଖ୍ୟ କିରାଣୀ ରାଧା ମହାରଣାଙ୍କୁ କନିଷ୍ଠ ପୁତ୍ର । ଆନନ୍ଦପୁର ମହାବିଦ୍ୟାଳୟରେ ଯୁକ୍ତ ୩ ଶିକ୍ଷା ଶେଷ କରିବା ପରେ ସରକାରୀ ଚାକିରି ପାଇଁ ପ୍ରଚେଷ୍ଟା କରି ବିଫଳ ହୋଇଥିଲେ। ଚାକିରି ପଛରେ ଅନେକ ଦୌଡ଼ିବା ପରେ ନୟାନ୍ତ ହୋଇ ନିଜ ଗୋଡ଼ରେ ଠିଆ ହେବା ପାଇଁ ଉଦ୍ୟମ କରିଥିଲେ। ଏଥିପାଇଁ ବିଦେଶୀ ଫଳ ଚାଷ ପାଇଁ ମନ ବଳାଇଥିଲେ। ଏକ ମଧ୍ୟବିତ ପରିବାରରେ ଅନାଟନ ଜନ୍ମ ଗ୍ରହଣ କରିଥିବାରୁ ଆର୍ଥକ ଏଥିପାଇଁ ପ୍ରତିବନ୍ଧକ ସାଜିଥିଲା। ପୈତୃକ ସ୍ବଳ୍ପ ପରିମିତ ଜମିରେ ପ୍ରଥମେ ବିଭିନ୍ନ କିସମର କଦଳୀ ଚାଷ ଆରମ୍ଭ କରିଥିଲେ। ସେଥିରୁ ଅଳ୍ପ ବହୁତ ରୋଜଗାର ହୋଇଥିଲେ ବି ତାଙ୍କ ମନ ମାନି ନଥିଲା । ପରେ ଲଭଜନକ ଫଳ ଚାଷ କରିବାକୁ ଇଚ୍ଛା କରିଥିଲେ। ବିଭିନ୍ନ ଉତ୍ସବରୁ ଜ୍ଞାନ ଆହରଣ ପରେ ବିଦେଶୀ କୋଳି, ପିଜୁଳି, ଆମ୍ବ ଓ ଡ୍ରାଗନ ଫ୍ରୁଟ୍ ଚାଷ କରିବାକୁ ଉଚିତ୍ ମଣିଥିଲେ।
ବର୍ତ୍ତମାନ ଫଳଚାଷ କରୁଥିବା ଜମିରେ ବିଭିନ୍ନ କିସମର ବିଦେଶୀ କୋଳି ଯଥା କାଶ୍ମିରୀ ବଲ, କାଶ୍ମିରୀ ସୁନ୍ଦରୀ, କାଶ୍ମିରୀ ପିଙ୍କ, କାଶ୍ମିରୀ ଗ୍ରୀନ ଆଦି ଏକ ହଜାରୁ ଉର୍ଦ୍ଧ୍ବ ଗଛ ଲଗାଇଛନ୍ତି। ଯେଉଁଥ୍ରୁ ଏବେ ପ୍ରଚୁର ଫଳ ଉତ୍ପାଦନ ହେଉଛି। ଏହା ସହିତ ଥାଇ-୭ ଓ ଥାଇ-ପିଙ୍କ ଆଦି ପିଜୁଳି ଗଛରୁ ପ୍ରଚୁର ପରିମାଣରେ ପିଜୁଳି ଉତ୍ପାଦନ କରୁଛନ୍ତି। ଏଥିସହିତ ମୁଲ୍ୟବାନ ଡ୍ରାଗନଫୁଡ ମଧ୍ୟ ଫଳ ବାହାରିବା ଆରମ୍ଭ ହୋଇଯାଇଛି। ସମ୍ପୃକ୍ତ ଫଳ ନିକଟସ୍ଥ ବଜାରର ଚାହିଦା ମେଣ୍ଟାଇବା ସଙ୍ଗେସଙ୍ଗେ ବାହାର ଜିଲାକୁ ପଠାଇ ଯଥେଷ୍ଟ ପରିମାଣର ଅର୍ଥ ଉପାର୍ଜନ କରୁଥିବା ଜଣାପଡ଼ିଛି।
ମାତ୍ର ଏସବୁ ସତ୍ତ୍ୱେ କୌଣସି ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନ ପକ୍ଷରୁ କାଣିଚାଏ ବି ପ୍ରୋତ୍ସାହନ ଏ ଯାଏଁ ମିଳିନି। ବିଶେଷକରି ଉଦ୍ୟାନ ଓ କୃଷି ବିଭାଗ ପ୍ରକୃତ ଚାଷୀକୁ ଅନୁକମ୍ପା ଦେଖାଇବା ପରିବର୍ତ୍ତେ କେବଳ କାଗଜପତ୍ରରେ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଉଥିବା ଶ୍ରୀ ମହାରଣା ପ୍ରକାଶ କରିଛନ୍ତି। ବର୍ତ୍ତମାନର ଯୁବପିଢୀ ପଥଭ୍ରଷ୍ଟ ନହୋଇ ଚାଷକାର୍ଯ୍ୟ ଉପରେ ଗୁରୁତ୍ବ ଦେଲେ ହୁଏତ ନିଜ ପରିବାରର ଭରଣପୋଷଣ କରିବା ସଙ୍ଗେସଙ୍ଗେ ସମାଜକୁ ଅତ୍ମନିର୍ଭରଶୀଳ କରିପାରିବେ ବୋଲି ଶ୍ରୀ ମହାରଣା କହିଛନ୍ତି।



