ଠାକୁରମୁଣ୍ଡା/ପାଣିକୋଇଲି: ବାପାର ଶବ ନେଇ ଆସୁଥିବାବେଳେ ଦୁର୍ଘଟଣାରେ ପୁଅର ମୃତ୍ୟୁ ହୋଇଯାଇଛି। ଏକା ଦିନେ ବାପା, ପୁଅଙ୍କର ମୃତ୍ୟୁ ହେବା ଭଳି ଦୁଃଖଦ ଘଟଣା ମୟୂରଭଞ୍ଜ ଜିଲା, ଠାକୁରମୁଣ୍ଡା ବ୍ଲକର ମିଟୁଆଣି ଗାଁରେ ଅତ୍ୟନ୍ତ ଶୋକାକୁଳ ପରିବେଶ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ଠାକୁରମୁଣ୍ଡା ବ୍ଲକ ମିଟୁଆଣି ଗ୍ରାମର ଗୋପବନ୍ଧୁ ନାୟକ (୬୫) ୩ ମାସ ପୂର୍ବରୁ ଉଚ୍ଚ ରକ୍ତଚାପ କାରଣରୁ ଠାକୁରମୁଣ୍ଡା ଠାରେ ଥିବା ତାଙ୍କର ନୂଆ ଘର ସମ୍ମୁଖରେ ତଳେ ପଡିଯାଇ ଅସୁସ୍ଥ ହୋଇଥିଲେ। ଏକ ମାତ୍ର ପୁଅ ଶୁଭପ୍ରକାଶ କିଛି ଦିନ ପୂର୍ବରୁ ତାଙ୍କୁ କଟକ ନେଇ ଚିକିତ୍ସା ବ୍ୟବସ୍ଥା କରାଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଗୋପବନ୍ଧୁଙ୍କର ମୃତ୍ୟୁ ଘଟିଥିଲା। ରବିବାର ପୁଅ ଶୁଭ ପ୍ରକାଶ ବାପାର ଶବକୁ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଆଣୁଥିଲେ। ମଧ୍ୟାହ୍ଣ ୧୨ ଟା ସମୟରେ ପାଣିକୋଇଲି-ଯାଜପୁର ରୋଡ଼ ମଧ୍ୟରେ ଥିବା ମାଧପୁର ନିକଟରେ ଆମ୍ବୁଲାନ୍ସ ଅଟକିଥିଲା। ଶୁଭପ୍ରକାଶ ଆମ୍ବୁଲାନ୍ସରୁ ଓହ୍ଲାଇ ପାଣି ଆଣିବାକୁ ରାସ୍ତା ଅତିକ୍ରମ କରୁଥିଲେ। ମାତ୍ର ତାଙ୍କୁ ଏକ ପିକ୍ ଅପ୍ ଭ୍ୟାନ ଧକ୍କା ଦେଇଥିଲା। ଦୁର୍ଘଟଣାରେ ତାଙ୍କର ଦୁଇ ଗୋଡ଼ ଓ ଗୋଟିଏ ହାତ ଭାଙ୍ଗି ଯାଇଥିଲା।
ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ପ୍ରଥମେ ଯାଜପୁର ରୋଡ଼ ସ୍ୱାସ୍ଥ୍ୟକେନ୍ଦ୍ରକୁ ଓ ପରେ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡାକ୍ତରଖାନାକୁ ନିଆଯାଉଥିଲା। ତେବେ ବଡ଼ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଶୁଭ ପ୍ରକାଶଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତ ଗୋପବନ୍ଧୁ ନାୟକ ୧୯୯୨ରୁ ୨୦୦୨ ମସିହା ପର୍ଯ୍ୟନ୍ତ ଠାକୁରମୁଣ୍ଡା ମା ବାସୁଳୀ ମହାବିଦ୍ୟାଳୟର ସମ୍ପାଦକ ଦାୟିତ୍ବ ତୁଲାଇଥିଲେ। ଶିକ୍ଷା କ୍ଷେତ୍ରରେ ଠାକୁରମୁଣ୍ଡା ବ୍ଲକ ଅଞ୍ଚଳ ପାଇଁ ତାଙ୍କର ଅତୁଳନୀୟ ଅବଦାନ ଥିଲା । ସେ ବିଜେପିର ପଶ୍ଚିମ ମୟୂରଭଞ୍ଜ ସାଙ୍ଗଠନିକ ଜିଲାର ପୂର୍ବତନ ଉପସଭାପତି ଥିଲେ। ତାଙ୍କ ମୃତ୍ୟୁରେ ଠାକୁରମୁଣ୍ଡା ବ୍ଲକ ବିଜେପି କମିଟି ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। ତେବେ ପିତାଙ୍କ ସହ ଯୁବକ ପୁତ୍ରର ମୃତ୍ୟୁ ପରିବାର ଉପରେ ଚଡ଼କ ପକାଇଛି।



