ଓଡ଼ିଆ ଭାଷାରେ ବୈଷୟିକ ପାଠ୍ୟକ୍ରମ ଶିକ୍ଷାଦାନ ସଚେତନତା କାର୍ଯ୍ୟକ୍ରମ
ଡେସ୍କ: ଓଡ଼ିଆ ଭାଷାରେ ବୈଷୟିକ ପାଠ୍ୟକ୍ରମ ଶିକ୍ଷାଦାନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ କଲେଜ ଅଫ ଆଇଟି ଓ ମ୍ୟାନେଜମେଣ୍ଟ ଏଜୁକେଶନ-ସାଇମ ଠାରେ ଅନୁଷ୍ଠିତ ହୋଇଛି। ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷାର ଗାରିମା ଓ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଜ୍ଞାନ ଆହୋରଣ ନିମନ୍ତେ ଓଡ଼ିଆ ଭାଷାରେ ଲିଖିତ ପାଠ୍ୟକ୍ରମ କିଭଳି ସରଳ ଓ ବୋଧଗମ୍ୟ ଏହା ଉପରେ ସେ ଉଲ୍ଲେଖ କରିଥିଲେ ।
ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅମୀୟ କୁମାର ରଥ ଯୋଗଦେଇ କହିଲେ ଯେ ଓଡିଆ ଭାଷାରେ ପାଠ୍ୟପୁସ୍ତକ ବିଭିନ୍ନ ବୈଷୟିକ ମହାବିଦ୍ୟାଳୟକୁ ଯୋଗାଇ ଦେବା ନିମନ୍ତେ ବିପିୟୁଟି ସମସ୍ତ ସହଯୋଗ କରିବା ସହ ଆଲୋଚକ ଓ ଅନୁବାଦକ ମାନଙ୍କ ସହ ନିରନ୍ତର ଯୋଗାଯୋଗ ସ୍ଥାପନ କରିବାରେ ସଫଳ ହୋଇଛି।
ସେହିଭଳି ବିପିୟୁଟି ପୂର୍ବତନ କୁଳପତି ପ୍ରଫେସର ଓମକାର ନାଥ ମହାନ୍ତି, ଓଡିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ (ଓୟୁଟିଆର)କୁଳପତି ଡଃ ବିଭୁତି ଭୂଷଣ ବିଶ୍ୱାଳ ଓଡ଼ିଆ ଭାଷାର ସର୍ବ ପ୍ରାଚୀନତା ଦୃଷ୍ଟିରୁ ଏହା ସର୍ବଜନବିଦିତ ହୋଇପାରିବ ଏବଂ ଓଡ଼ିଆରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରସ୍ତୁତି ଅତ୍ୟନ୍ତ ଉପାଦେୟ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିପିୟୁଟିର ଏକ ପୁସ୍ତିକା ଏବଂ ଜାତୀୟ ଶିକ୍ଷା ନୀତି – ୨୦୨୦ ସଂକ୍ରାନ୍ତୀୟ ପାଠ୍ୟକ୍ରମ ରୂପରେଖ ଉନ୍ମୋଚନ କରିଥିଲେ।
Comments are closed.