କଟକ/କୁଜଙ୍ଗ/ତିହିଡି : ବସୁନ୍ଧରା ଯୋଜନାରେ ଜାଲିଆତି କରି ଅଯୋଗ୍ୟ ହିତାଧିକାରୀଙ୍କୁ ଜମି ଆବଣ୍ଟନ କରିଥିବା ଅଭିଯୋଗରେ କୁଜଙ୍ଗ ତହସିଲର ପୂର୍ବତନ ତହସିଲଦାର ତଥା ବର୍ତ୍ତମାନ ଭଦ୍ରକ ଜିଲା ତିହିଡି ତହସିଲଦାର ରମେଶଚନ୍ଦ୍ର ପଣ୍ଡାଙ୍କୁ ସୋମବାର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ତହସିଲଦାର ଶ୍ରୀ ପଣ୍ଡାଙ୍କ ସମେତ କୁଜଙ୍ଗ ତହସିଲରେ ସେହି ସମୟରେ କାର୍ଯ୍ୟ କରୁଥିବା ୪ଜଣ ରାଜସ୍ବ ନିରୀକ୍ଷକ(ଆରଆଇ)ଙ୍କୁ ମଧ୍ୟ ଗିରଫ କରାଯାଇଛି। ଆଜି ସନ୍ଧ୍ୟାରେ ସମସ୍ତ ଅଭିଯୁକ୍ତଙ୍କୁ ସ୍ବତନ୍ତ୍ର ଦୁର୍ନୀତି ନିବାରଣ ଅଦାଲତରେ ହାଜର କରାଯାଇଥିଲା। ଜାମିନ ଆବେଦନ ଖାରଜ ହୋଇଯିବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ଜାଲିଆତି ଘଟଣାରେ ଅଧିକ ତଥ୍ୟ ହାସଲ କରିବା ସକାଶେ ବିଭାଗ ପକ୍ଷରୁ କଟକ, ଭବନେଶ୍ବର, ଭଦ୍ରକ, ଜଗତସିଂହପୁର ଜିଲା ସମେତ ଏକକାଳୀନ ୯ଟି ସ୍ଥାନରେ ଚଢ଼ଉ ଜାରି ରହିଛି।
ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ପକ୍ଷରୁ ଗରିବ ଜନସାଧାରଣଙ୍କୁ ମାଗଣାରେ ଜମି ଯୋଗାଇ ଦେବା ପାଇଁ ‘ବସୁନ୍ଧରା’ ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନାରେ ଗରିବ ହିତାଧିକାରୀଙ୍କୁ ଚିହ୍ନଟ କରି ସରକାରୀ ଜମି ଆବଣ୍ଟନ କରାଯାଇଥାଏ। ଜଗତସିଂହପୁର ଜିଲା କୁଜଙ୍ଗ ବ୍ଲକରେ ଏହି ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଦୁର୍ନୀତି ନିବାରଣ ବିଭାଗରେ ଅଭିଯୋଗ ହୋଇଥିଲା। ଏମିତି କି ତତ୍କାଳୀନ ତହସିଲଦାର ଶ୍ରୀ ପଣ୍ଡା ଓ ଅନ୍ୟ ୪ଜଣ ରାଜସ୍ବ ନିରୀକ୍ଷକ ଜାଲ୍ ହିତାଧିକାରୀଙ୍କ ସହାୟତାରେ କୋଟି କୋଟି ଟଙ୍କାର ସରକାରୀ ଜମି ଆତ୍ମସାତ୍ କରିଥିଲେ। ଏ ସଂକ୍ରାନ୍ତରେ ବିଭାଗ ପ୍ରାଥମିକ ତଦନ୍ତ କରି ଘଟଣାର ସତ୍ୟତା ରହିଥିବା ଜାଣିବା ପରେ ଅଭିଯୁକ୍ତ ତହସିଲଦାରଙ୍କ ବିରୋଧରେ ତଦନ୍ତ କରିବାକୁ ଦୁର୍ନୀତି ନିବାରଣ ବିଭାଗର ସ୍ବତନ୍ତ୍ର ଅଦାଲତରେ ଆବେଦନ କରାଯାଇଥିଲା। ଅଦାଲତଙ୍କ ନିର୍ଦେଶକ୍ରମେ ବିଭାଗ ପକ୍ଷରୁ ଜଣେ ଅତିରିକ୍ତ ଅାରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ବରେ ୧୧ଜଣ ଡିଏସପି ଓ ୬ଜଣ ଇନ୍ସପେକ୍ଟର ଚଢ଼ଉରେ ସାମିଲ ଅଛନ୍ତି।
ଜଗତସିଂହପୁର ଜିଲାର କୁଜଙ୍ଗ ତହସିଲ ଅଧୀନସ୍ଥ ଝିମାଣି ସର୍କଲ(ମଣ୍ଡଳ)ର ପୂର୍ବତନ ତଥା ବର୍ତ୍ତମାନ ତିର୍ତ୍ତୋଲ ତହସିଲର ରାଜସ୍ବ ନିରୀକ୍ଷକ ସନ୍ତୋଷ ମଲ୍ଲିକ, ପାରାଦୀପଗଡ଼ର ତତ୍କାଳୀନ ରାଜସ୍ବ ନିରୀକ୍ଷକ ନରେନ୍ଦ୍ର ଲେଙ୍କା, କୁଜଙ୍ଗର ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକ ସୁବାସ ଚନ୍ଦ୍ର ଦାସ ଏବଂ ପାଣ୍ଡୁଆ ସର୍କଲ( ମଣ୍ଡଳ)ର ତତ୍କାଳୀନ ତଥା ବର୍ତ୍ତମାନ ଏରସମା ତହସିଲର ରାଜସ୍ବ ନିରୀକ୍ଷକ ଜ୍ୟୋତିଭୂଷଣ ବାରିକଙ୍କୁ ଗିରଫ କରାଯାଇଛି। ତହସିଲଦାର ଶ୍ରୀ ପଣ୍ଡାଙ୍କ ସରକାରୀ କାର୍ଯ୍ୟାଳୟ, ବାସଭବନ ସମେତ ୯ ଟି ସ୍ଥାନରେ ଏକକାଳୀନ ଚଢ଼ଉ ଅବ୍ୟାହତ ରହିଛି। ବର୍ତ୍ତମାନ ସୁଦ୍ଧା କେତେ ସମ୍ପତ୍ତି ମିଳିଲାଣି, ତାହା ଜଣାପଡ଼ି ନାହିଁ। ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
‘ବସୁନ୍ଧରା’ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ଜମି ଆବଣ୍ଟନ : ତହସିଲଦାର,୪ ରାଜସ୍ବ ନିରୀକ୍ଷକ ଗିରଫ
Popular Categories



