www.samajalive.in
Monday, December 8, 2025
14.1 C
Bhubaneswar

ଟ୍ବେଣ୍ଟି-୨୦ କ୍ରିକେଟ୍‌ ବିଶ୍ବକପ୍‌ ସ୍ଥଗିତ ହେବା ସମ୍ଭାବନା ରହିଛି : ଫିଞ୍ଚ୍‌

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋବର ୧୮ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଟ୍ବେଣ୍ଟି୨୦ କ୍ରିକେଟ୍ ବିଶ୍ବକପ୍‌ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି। ତେବେ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ବିଶ୍ବବ୍ୟାପୀ ଯେପରି ପରିସ୍ଥିତି ସୃଷ୍ଟି ହୋଇଛି ତାହାକୁ ଦୃଷ୍ଟିରେ ରଖି ଏହି ବିଶ୍ବକପ୍‌ ୩ ମାସ ପର୍ଯ୍ୟନ୍ତ ସ୍ଥଗିତ ହେବାର ସମ୍ଭାବନା ରହିଛି ବୋଲି ମତ ଦେଇଛନ୍ତି ଅଷ୍ଟ୍ରେଲିଆ ଦିନିକିଆ ଦଳର ଅଧିନାୟକ ଆରୋନ୍‌ ଫିଞ୍ଚ୍‌।
ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ଫିଞ୍ଚ୍‌ କହିଛନ୍ତି ଟ୍ବେଣ୍ଟି୨୦ ବିଶ୍ବକପ୍‌ ନିର୍ଦ୍ଧାରିତ ସମୟରେ ଆୟୋଜିତ ହେବ ବୋଲି ସେ ଆଶା ରଖି ନାହାନ୍ତି। କରୋନା ଭୂତାଣୁ ସଂକ୍ରମଣକୁ ନେଇ ବିଶ୍ବବ୍ୟାପୀ ଯେପରି ପରିସ୍ଥିତି ସୃଷ୍ଟି ହୋଇଛି ତାହାକୁ ଦୃଷ୍ଟିରେ ରଖି ଏହି ବିଶ୍ବକପ୍‌ ଆୟୋଜନ ୩ ମାସ ପର୍ଯ୍ୟନ୍ତ ସ୍ଥଗିତ ରହିଲେ ଆଶ୍ଚର୍ଯ୍ୟ ହେବାର କିଛି କାରଣ ନାହିଁ। ସେହିପରି କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଗଲେ ଫାଙ୍କା ଷ୍ଟାଡ଼ିୟମରେ ମ୍ୟାଚ୍‌ ଖେଳାଯିବା ନେଇ କୌଣସି ଅସୁବିଧା ନାହିଁ ବୋଲି ଫିଞ୍ଚ୍‌ ମତ ଦେଇଛନ୍ତି। ପରିସ୍ଥ୍‌ିତିରେ ଉନ୍ନତି ଆସିବା ପରେ କ୍ରିକେଟ୍‌ ମ୍ୟାଚ୍‌ ଆୟୋଜନ କରାଗଲେ ସମସ୍ତେ ଲାଭବାନ୍‌ ହେବେ। ତେବେ ଷ୍ଟାଡ଼ିୟମରେ ଦର୍ଶକ ଉପସ୍ଥିତ ରହନ୍ତୁ କି ନାହିଁ ତାହା କ୍ରିକେଟର୍‌ଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଫିଞ୍ଚ୍‌ କହିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଏକ ଦିନିକିଆ ମ୍ୟାଚ୍‌ ଫାଙ୍କା ଷ୍ଟାଡ଼ିୟମରେ ଆୟୋଜିତ ହୋଇଥିଲା। ମ୍ୟାଚ୍‌ ଆରମ୍ଭ ହେବାର ୪/୫ ଓଭର କ୍ରିକେଟର୍‌ଙ୍କୁ କିଛିଟା ଅସ୍ବାଭାବିକ ଲାଗିଥିଲା। ତେବେ ପରବର୍ତ୍ତୀ ସମୟରେ କ୍ରିକେଟର୍‌ମାନେ ସ୍ବାଭାବିକ ଭାବେ ନିଜ ପ୍ରଦର୍ଶନ କରିଥିଲେ ବୋଲି ଫିଞ୍ଚ୍‌ ସ୍ପଷ୍ଟ କରି ଦେଇଛନ୍ତି।
ଅନ୍ୟପକ୍ଷରେ ଚଳିତ ଶେଷ ବେଳକୁ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି। ୪ଟି ଯାକ ଟେଷ୍ଟ ମ୍ୟାଚ୍‌ ଆଡିଲେଡ୍‌ ଓଭାଲ୍‌ ଷ୍ଟାଡ଼ିୟମରେ ଆୟୋଜନ ପାଇଁ କିଛିଦିନ ତଳେ ଅଷ୍ଟ୍ରେଲିଆ ଦଳର ଦ୍ରୁତ ବୋଲର ଜୋସ୍‌ ହାଜେଲଉଡ୍‌ ମତ ଦେଇଥିଲେ। ତେବେ କରୋନା ଭୂତାଣୁ ସଂକ୍ରମଣଜନିତ ସ୍ଥିତି ସେତେବେଳକୁ କ’ଣ ଥିବ ଏବଂ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ୍‌ ଆୟୋଜିତ ହୋଇପାରିବ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଜୁଲାଇ ପୂର୍ବରୁ ନିଷ୍ପତ୍ତି ହେବ ନାହିଁ : ହ୍ବାଇଟ୍

ଖ୍ରୀଷ୍ଟଚର୍ଚ୍ଚ : ଆସନ୍ତା ଅକ୍ଟୋବର ୧୮ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ ନିର୍ଦ୍ଧାରିତ ସମୟରେ ହେବ କିମ୍ବା କିଛିମାସ ଘୁଞ୍ଚିବ ତାହାକୁ ନେଇ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ଲାଗି ରହିଛି। କରୋନା ଭୂତାଣୁ ସଂକ୍ରମଣକୁ ନେଇ ବିଶ୍ବବ୍ୟାପୀ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହାକୁ ନେଇ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଆୟୋଜନ ଉପରେ କେତେକ ମହଲରୁ ଆଶଙ୍କା ପ୍ରକାଶ ପାଇଛି।
ଅନ୍ୟପକ୍ଷରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଆୟୋଜନ ସଂପର୍କରେ ଜୁଲାଇ ମାସ ପୂର୍ବରୁ କୌଣସି ନିଷ୍ପତ୍ତି ଗ୍ରହଣ କରାଯିବାର ସମ୍ଭାବନା ନାହିଁ ବୋଲି ମତ ଦେଇଛନ୍ତି ନ୍ୟୁଜିଲାଣ୍ଡ କ୍ରିକେଟ୍‌ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡେଭିଡ୍‌ ହ୍ବାଇଟ୍। ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ହ୍ବାଇଟ୍‌ କହିଥିଲେ ବିଶ୍ବକପ୍‌ ଆୟୋଜନ ପାଇଁ ବେଶ୍‌ କିଛି ସମୟ ରହିଛି। ତେଣୁ ବର୍ତ୍ତମାନ ଠାରୁ ଏହାକୁ ନେଇ ଅଧିକ ଚିନ୍ତିତ ହେବାର କୌଣସି କାରଣ ନାହିଁ। ଆସନ୍ତା ଜୁଲାଇ ବେଳକୁ କରୋନା ଭୂତାଣୁ ସଂକ୍ରମଣକୁ ନେଇ ପରିସ୍ଥିତି କ’ଣ ଥିବ ତାହା ଦେଖିବାକୁ ପଡ଼ିବ। ସେତେବେଳର ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ବକପ୍‌ ଆୟୋଜନ ସଂପର୍କରେ ଯାହାକିଛି ନିଷ୍ପତ୍ତି ହେବ। ୨୦୨୧ରେ ନ୍ୟୁଜିଲାଣ୍ଡରେ ମହିଳା ବିଶ୍ବକପ୍‌ ଆୟୋଜିତ ହେବାକୁ ଥିବା ବେଳେ ଏହି ବିଶ୍ବକପ୍‌କୁ ସ୍ଥଗିତ ରଖାଯିବା ସଂପର୍କରେ ବର୍ତ୍ତମାନ ଠାରୁ କୌଣସି ପ୍ରକାର ଆଲୋଚନା କରାଯାଇ ନ ଥିବା ହ୍ବାଇଟ୍‌ ସ୍ପଷ୍ଟ କରି ଦେଇଛନ୍ତି। ୨୦୨୧ ମହିଳା ବିଶ୍ବକପ୍‌ ଆୟୋଜନ ସଂପର୍କରେ ବର୍ତ୍ତମାନ ଠାରୁ ଅଲୋଚନା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ ମତ ଦେଇଛନ୍ତି। ଅନ୍ୟପକ୍ଷରେ ଆଗାମୀ ଦିନରେ ନ୍ୟୁଜିଲାଣ୍ଡ ଦଳ ନେଦରଲାଣ୍ଡ୍‌ସ ଗସ୍ତରେ ଯାଇ କ୍ରିକେଟ୍‌ ସିରିଜ୍‌ ଖେଳିବାକୁ ଥିବା ବେଳେ କରୋନା ଭୂତାଣୁ ସଂକ୍ରମଣଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ସିରିଜ୍‌କୁ ସ୍ଥଗିତ ରଖାଯାଇଥିବା ହ୍ବାଇଟ୍‌ ସୂଚନା ଦେଇଛନ୍ତି। ସେହିପରି ଆସନ୍ତା ଜୁନ୍‌ ଓ ଜୁଲାଇରେ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଦଳ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ଗସ୍ତରେ ଯାଇ କ୍ରିକେଟ୍‌ ସିରିଜ୍‌ ଖେଳିବାକୁ ଥିବା ବେଳେ ଏହି ଗସ୍ତ ସମ୍ଭବପର ହେବା ନେଇ ଆଶଙ୍କା ରହିଥିବା ହ୍ବାଇଟ୍ ମତ ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories