ନୂଆଦିଲ୍ଲୀ:କଳାଧନ ଜମାକାରୀ ସାବଧାନ ! ଖୁବଶୀଘ୍ର କଳାଧନ ସଂପର୍କରେ ରହସ୍ୟ ଉନ୍ମୋଚନ ହେବ। କେତେଜଣ ଭାରତୀୟଙ୍କର ଜମାଖାତା ସ୍ବିସ୍ ବ୍ୟାଙ୍କରେ ଅଛି ତାହା ଜଣାପଡିବ। ସ୍ବିଜରଲାଣ୍ଡ ଓ ଭାରତ ଦୁଇଦେଶର ସରକାର ଏ ନେଇ ସକ୍ରିୟତାର ସହ କାର୍ଯ୍ୟକରିବା ଆରମ୍ଭ କରିଦେଇଛନ୍ତି । ଏହା ସହିତ ନିୟମ କାନୁନ କଡାକଡ଼ି କରିଛନ୍ତି । ସେପ୍ଟମ୍ବର ୩୦ ସୁଦ୍ଧା ସ୍ବିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମାକାତା ସଂପର୍କରେ ସୂଚନା ମିଳିବ। ଦୁଇଦେଶ ବ୍ୟାଙ୍କିଙ୍ଗ ସମ୍ବନ୍ଧୀୟ ସୂଚନା ଆଦାନ ପ୍ରଦାନ କରିବେ । ଦୁଇଦେଶ ମଧ୍ୟରେ ସ୍ବୟଂଚାଳିତ ତଥ୍ୟ ହସ୍ତାନ୍ତର (ଏଇଓଆଇ) ନେଇ ବୁଝାମଣା ହୋଇଥିଲା। ଯାହା ୨୦୧୮ରୁ କାର୍ଯ୍ୟକାରୀ ହୋଇଛି। ଫଳରେ ଏହା ଅଧୀନରେ ବ୍ୟାଙ୍କ କାରବାର ସହିତ ଜଡିତ ତଥ୍ୟ ବିନିମୟ ହୋଇ ପାରିବ।
ଗଣମାଧ୍ୟମ ଖବର ଅନୁସାରେ ସ୍ବିସ୍ ଅର୍ଥ ମନ୍ତ୍ରାଣୟ ଏବଂ ସ୍ବିସ୍ ଫେଡେରାଲ ଟିକସ ପ୍ରଶାସନର ଅଧିକାରୀମାନେ କହିଛନ୍ତି, ବୋଧହୁଏ ସ୍ବିଜରଲାଣ୍ଡରେ ଥିବା ସମସ୍ତ ଭାରତୀୟଙ୍କ ବ୍ୟାଙ୍କ ଖାତା ସଂପର୍କରେ ଭାରତୀୟ ଟିକସ ଅଧିକାରୀମାନଙ୍କୁ ଦେବାକୁ ପଡିପାରେ। ଟିକସ ସଂସ୍ଥା ଅନୁସାରେ, ଭାରତ ସମେତ ୭୩ଟି ଦେଶକୁ ଚଳିତ ବର୍ଷ ସ୍ବିସ୍ ବ୍ୟାଙ୍କ ଖାତା ସଂପର୍କରେ ସୂଚନା ମିଳିବ।
ସୂଚନାଯୋଗ୍ୟ ସ୍ବିସ୍ ବ୍ୟାଙ୍କରେ କଳାଧନ ଜମା ତାଲିକାରେ ଭାରତ ୭୪ତମ ସ୍ଥାନରେ ଅଛି।



