
ନ୍ୟାୟ ପାଇଁ ସମୟସୀମା

ଭୁବନେଶ୍ଵର: ବିଲ୍ ମଞ୍ଜୁରୀ ବେଳେ ରାଜ୍ୟପାଳଙ୍କ ଭୂମିକାକୁ ଆହ୍ୱାନ କରି ତାମିଲନାଡୁ ରାଜ୍ୟ ସରକାରଙ୍କ ତରଫରୁ ଦାୟର କରାଯାଇଥିବା ଏକ ଯାଚିକାର ଶୁଣାଣି ବେଳେ ଉଚ୍ଚତମ ନ୍ୟାୟାଳୟ ୮ ଏପ୍ରିଲ ୨୦୨୫ରେ ରାଜ୍ୟପାଳଙ୍କ ଦ୍ୱାରା ବିଲ୍ ମଞ୍ଜୁରୀର ସମୟ ସୀମାକୁ ତିନି ମାସ ପାଇଁ ଧାର୍ଯ୍ୟ କରିଥିଲେ। ତାଙ୍କ ଐତିହାସିକ ରାୟ ଶୁଣେଇବାର ପର ମୁହୂର୍ତ୍ତରେ, ସମ୍ବିଧାନର ଅନୁଚ୍ଛେଦ ୧୪୩ (୧) ରେ ପ୍ରଦତ୍ତ କ୍ଷମତା ବଳରେ ଉଚ୍ଚତମ ନ୍ୟାୟାଳୟ ବିଧାନସଭାରେ ଗୃହୀତ ବିଲ୍ ଉପରେ ରାଷ୍ଟ୍ରପତି/ରାଜ୍ୟପାଳଙ୍କ ମଞ୍ଜୁରୀ ପାଇଁ ନ୍ୟାୟିକ ନିେର୍ଦଶନାମା ଦ୍ୱାରା ସମୟସୀମା ଧାର୍ଯ୍ୟ କରିପାରିବ କି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଚ୍ଚତମ ନ୍ୟାୟାଳୟଙ୍କୁ ପ୍ରଶ୍ନ କରିଥିଲେ। ଉପରୋକ୍ତ ପ୍ରଶ୍ନ ସହ ସମ୍ବିଧାନର ଅନୁଚ୍ଛେଦ ୧୩୧, ୧୪୨, ୧୪୩, ୧୪୫(୩), ୨୦୦, ୨୦୧ ଓ ୩୬୧ ଆଧାରରେ ରାଷ୍ଟ୍ରପତି ଉଚ୍ଚତମ ନ୍ୟାୟାଳୟଙ୍କୁ ମୋଟ ୧୪ଟି ପ୍ରଶ୍ନ ପଚାରିଛନ୍ତି। ଅନୁଚ୍ଛେଦ ୨୦୦ ଅନୁଯାୟୀ, ରାଜ୍ୟପାଳ ଗୋଟିଏ ବିଲ୍କୁ ମଞ୍ଜୁର କରିପାରନ୍ତି, ମଞ୍ଜୁରୀକୁ ଅଟକେଇ ଦେଇପାରନ୍ତି କିମ୍ବା ଏହାକୁ ରାଷ୍ଟ୍ରପତିଙ୍କ ବିଚାର ପାଇଁ ପଠାଇପାରନ୍ତି। ରାଷ୍ଟ୍ରପତିଙ୍କ ପାଇଁ ସଂରକ୍ଷିତ ହୋଇଥିବା ବିଲକୁ ଅନୁଚ୍ଛେଦ ୨୦୧ ଅନୁଯାୟୀ ରାଷ୍ଟ୍ରପତି ମଞ୍ଜୁରୀ ଦେଇପାରନ୍ତି କିମ୍ବା ଅସ୍ୱୀକାର ବି କରିପାରନ୍ତି। ହେଲେ ସମ୍ବିଧାନର ଉଭୟ ଅନୁଚ୍ଛେଦ ୨୦୦ ଓ ୨୦୧ ଏଭଳି କୌଣସି ସମୟସୀମା ଧାର୍ଯ୍ୟ କରିବା ଉପରେ ନୀରବ ଥିବାରୁ ଏକ ନ୍ୟାୟିକ ନିେର୍ଦଶନାମା ଦ୍ୱାରା ସାମ୍ବିଧାନିକ ନୀରବତାକୁ ଉଲ୍ଲଂଘନ କରାଯାଇପାରିବ ନାହିଁ ବୋଲି ରାଷ୍ଟ୍ରପତି ମତ ବ୍ୟକ୍ତ କରି ଯୁକ୍ତି ବାଢ଼ିଛନ୍ତି ଯେ ଏପରି ନ୍ୟାୟିକ ହସ୍ତକ୍ଷେପ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ସାମ୍ବିଧାନିକ କ୍ଷମତାକୁ ସୀମିତ କରିବା ସହ ସଂଘୀୟ ବ୍ୟବସ୍ଥାକୁ ବିକୃତ କରିବ।
ଉଚ୍ଚତମ ନ୍ୟାୟାଳୟଙ୍କ ଉଦ୍ଦେଶ୍ୟ ଥିଲା ଯେ ରାଜ୍ୟପାଳ ଓ ରାଷ୍ଟ୍ରପତି ଲୋକତାନ୍ତ୍ରିକ ପ୍ରକ୍ରିୟାରେ ବାଧା ସୃଷ୍ଟି ନକରନ୍ତୁ ଏବଂ କାଳକ୍ଷେପଣ ନୀତି ନଆପଣେଇ ଏକ ନିର୍ଦିଷ୍ଟ ସମୟସୀମା, ଏଇ ଯେମିତି ତିନିମାସ ଭିତରେ କୌଣସି ବିଲ୍ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରନ୍ତୁ; କିନ୍ତୁ ନ୍ୟାୟାଳୟଙ୍କ ନିେର୍ଦଶନାମା ସାମ୍ବିଧାନିକ ବିଧି ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀଟିଏ ଠିଆ କରେଇ ଏକ ସଂଘୀୟ ସଙ୍କଟ ସୃଷ୍ଟି କଲା। ବର୍ତ୍ତମାନ ଉଚ୍ଚତମ ନ୍ୟାୟାଳୟ କି ଉତ୍ତର ରଖି ଏ ସଂଘୀୟ ସଙ୍କଟର ସମାଧାନ କରିବେ, ତାହା ଗୁରୁତ୍ବପୂର୍ଣ୍ଣ।
ଏହି ପରିପ୍ରେକ୍ଷୀରେ ସାମ୍ପ୍ରତିକ ନ୍ୟାୟିକ ବ୍ୟବସ୍ଥାକୁ ନେଇ ଜଣେ ସାଧାରଣ ନାଗରିକ ହିସାବରେ ଆମ ମନରେ କିନ୍ତୁ ଅନେକ ପ୍ରଶ୍ନ। ନିର୍ଦିଷ୍ଟ ସମୟସୀମା ଭିତରେ ନିଷ୍ପତ୍ତି ନେବା ପାଇଁ ଉଚ୍ଚତମ ନ୍ୟାୟାଳୟଙ୍କ ଉପରୋକ୍ତ ନିେର୍ଦଶନାମା କେବଳ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ପାଇଁ କାହିଁକି? ସେହି ସମାନ ନିେର୍ଦଶନାମା ଜନସ୍ୱାର୍ଥ ସମ୍ବଳିତ ଭାରତର ସମସ୍ତ ସଂସ୍ଥା, ଅନୁଷ୍ଠାନ ଓ ଅଧିକାରୀଙ୍କ ପାଇଁ କାହିଁକି ନୁହେଁ? ବିଶେଷ ଭାବେ ନିଜେ ଉଚ୍ଚତମ ନ୍ୟାୟାଳୟ ଓ ଦେଶର ସମସ୍ତ ନ୍ୟାୟାଳୟ କାହିଁକି ତିନିମାସ ଭିତରେ ମୋକଦ୍ଦମାଗୁଡ଼ିକର ଫଇସଲା କରିବେ ନାହିଁ? ଏଫଆଇଆର କିମ୍ବା ମାମଲାଟିଏ ରୁଜୁ ହେବାର ତିନିମାସ ଭିତରେ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇ କାହିଁକି ଦଫାରଫା ନହେବ? ଜନସାଧାରଣ ଏକ ନିର୍ଦିଷ୍ଟ ସମୟସୀମା ଭିତରେ କାହିଁକି ନ୍ୟାୟ ପାଇବେ ନାହିଁ? ସାଧାରଣ ଜନତାଟିଏ ନ୍ୟାୟ ପାଇଁ ତଳ କୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ବର୍ଷବର୍ଷ ଧରି କାହିଁକି ଦୌଡୁଥିବ? ଉଚ୍ଚତମ ନ୍ୟାୟାଳୟଙ୍କ ନିେର୍ଦଶକୁ ସମାଲୋଚନା କରିବା ଆମର ଉଦ୍ଦେଶ୍ୟ ନୁହେଁ; ମାତ୍ର ‘କହି ଦେଉ ଥାଇ ପରକୁ, ବୁଦ୍ଧି ନଦିଶଇ ଘରକୁ’ ନ୍ୟାୟରେ ଉଚ୍ଚତମ ନ୍ୟାୟାଳୟଙ୍କ ନିଷ୍ପତ୍ତି ଗ୍ରହଣଯୋଗ୍ୟ ହେଉ ନାହିଁ। ରାଷ୍ଟ୍ରପତିଙ୍କ ପ୍ରଶ୍ନ ସଂଘୀୟ ବ୍ୟବସ୍ଥା ଉପରେ ଆଧାରିତ; ହେଲେ ଆମର ପ୍ରଶ୍ନ ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପାଇଁ ଉଦ୍ଦିଷ୍ଟ।
ଆଜି ଭାରତ ଏକ ଗଭୀର ନ୍ୟାୟିକ ସଙ୍କଟର ଚଉଛକିରେ ଦଣ୍ଡାୟମାନ। ଉଚ୍ଚତମ ନ୍ୟାୟାଳୟଙ୍କ ବାର୍ଷିକ ବିବରଣୀ (୨୦୨୩-୨୪) ତଥା ବିଭିନ୍ନ ଅଧ୍ୟୟନ ଅନୁଯାୟୀ, ଦେଶର ଉପ ନ୍ୟାୟାଳୟ, ଉଚ୍ଚ ନ୍ୟାୟାଳୟ ଓ ସୁପ୍ରିମକୋର୍ଟରେ ଅନ୍ୟୂନ ୫ କୋଟିରୁ ଅଧିକ ମାମଲା ବିଚାରାଧୀନ ରହିଛି। ମୋଟ ବିଚାରାଧୀନ ମାମଲାର ୮୫%, ଅର୍ଥାତ୍ ପାଖାପାଖି ୪.୫ କୋଟି ମାମଲା କେବଳ ଜିଲା ଓ ସେସନ୍ସ କୋର୍ଟରେ ଯାହାର ୮% ଦଶ ବର୍ଷରୁ ଅଧିକ ସମୟ ଧରି ବିଚାରାଧୀନ ଅଛି। ଏଗୁଡ଼ିକରୁ ଅଧିକାଂଶ ଅାପରାଧିକ ମାମଲା। ଉଦାହରଣ ସ୍ୱରୂପ, ନଏଡାରେ ୪.୧ ଲକ୍ଷ ମଧ୍ୟରୁ ୩.୮ ଲକ୍ଷ ମାମଲା ଅପରାଧ ସମ୍ପର୍କିତ। ସେହିପରି ଉଚ୍ଚ ନ୍ୟାୟାଳୟମାନଙ୍କରେ ପ୍ରାୟ ୬୨ ଲକ୍ଷ ମାମଲା ବିଚାର ଅପେକ୍ଷାରେ ଯାହାର ୨୧%, ୧୦ ବର୍ଷରୁ ଅଧିକ ସମୟ ଧରି ବିଚାରାଧୀନ ଅଛି ଏବଂ ପ୍ରାୟ ୬୨, ୦୦୦ ମାମଲା ୩୦ ବର୍ଷ ଧରି ଚାଲୁଅଛି। ଉଚ୍ଚତମ ନ୍ୟାୟାଳୟର ଅବସ୍ଥା ଅନ୍ୟ ତୁଳନାରେ ଭଲ ହେଲେ ବି ଏଠି ପ୍ରାୟ ୮୩, ୦୦୦ ମାମଲା ବିଚାରାଧୀନ ଅଛି ଯାହାର ୬୫%ରୁ ଅଧିକ ମାମଲାରେ ପ୍ରାଥମିକ ଶୁଣାଣି ମଧ୍ୟ ଆରମ୍ଭ ହୋଇନି। ସିଭିଲ୍ ମାମଲାର ୪୧% ଓ ଅାପରାଧିକ ମାମଲାର ୪୩% ଭୂମି, ସଂପତ୍ତି, ଅସୁବିଧା, ଠକେଇ ଓ ସ୍ଥାନୀୟ ବିବାଦ ସମ୍ପର୍କିତ। କାରାଗାରରେ ବନ୍ଦୀ ଥିବା ମୋଟ କଏଦୀଙ୍କ ମଧ୍ୟରୁ ୭୦% ବିଚାରାଧୀନ କଏଦୀ, ଯେଉଁମାନେ ବର୍ଷବର୍ଷ ଧରି ଏପରିକି ଦଶନ୍ଧି ଦଶନ୍ଧି ଧରି ନ୍ୟାୟ ଅପେକ୍ଷାରେ। ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ କେବଳ ଏକ ମୂଲ୍ୟହୀନ ନାରା ହୋଇ ରହିଯାଇଛି।
ଏହି ପରିପ୍ରେକ୍ଷୀରେ, ଇତିହାସରେ ଏକ ଅଦ୍ଭୁତ ଉଦାହରଣ ଦେଖିବାକୁ ମିଳେ। ୧୭ଶ ଶତାବ୍ଦୀରେ ଶିବାଜୀଙ୍କ ଶାସନକାଳରେ ମରାଠା ସାମ୍ରାଜ୍ୟ ନ୍ୟାୟ, ଶିକ୍ଷା ଓ ଜନମଙ୍ଗଳ ଉପରେ ଆଧାରିତ ଥିଲା। ସଂପତ୍ତି, ଭୂମି ବିବାଦ କିମ୍ବା ଜଳ ବଣ୍ଟନ ପରି ସାଧାରଣ ମାମଲାଗୁଡ଼ିକୁ ଗାଁ ସ୍ତରରେ କେବଳ ଘଣ୍ଟାଏ ଭିତରେ ସମାଧାନ କରାଯାଉଥିଲା। ଛୋଟ ଅପରାଧ- ଯଥା ଚୋରି, ମାରପିଟ କିମ୍ବା ଅନ୍ୟାନ୍ୟ ଦୃଶ୍ୟମାନ ଅପରାଧଗୁଡ଼ିକୁ ସ୍ଥାନୀୟ ଅଧିକାରୀଙ୍କ ଦ୍ୱାରା ଦିନକ ମଧ୍ୟରେ ସମାଧାନ ହେଇପାରୁଥିଲା। ଏହାଠାରୁ ବଡ଼ ମାମଲା, ଯଥା ଶାରୀରିକ ନିର୍ଯାତନା, ଭୂମି ଜବରଦଖଲ, ପୁନଃ ଅପରାଧ କିମ୍ବା ଅନ୍ୟାନ୍ୟ ଗମ୍ଭୀର ଅଭିଯୋଗ ସୁବେଦାରମାନଙ୍କ ଦ୍ବାରା ଗୋଟିଏ ସପ୍ତାହ ମଧ୍ୟରେ ସମାଧାନ ହେଉଥିଲା। ଦେଶ ତଥା ନୀତି ସମ୍ବଳିତ କିମ୍ବା ରାଜନୈତିକ ମାମଲା ସ୍ବୟଂ ଶିବାଜିଙ୍କ ରାଜଦରବାରରେ ଶୁଣାଯାଉଥିଲା ଓ ଏହି ମାମଲାଗୁଡ଼ିକୁ ଦୁଇ ତିନି ସପ୍ତାହରେ ଅନ୍ତିମ ନିଷ୍ପତ୍ତି ମିଳୁଥିଲା। ଏହି ସମୟରେ ନା ଥିଲା ଇଣ୍ଟରନେଟ୍, ନା ଥିଲା ଡାଟା ବେସ୍, ନା ଥିଲା ଏଆଇ, ନା ଥିଲା ଇ-ଫାଇଲିଂ। ଯାହା ଥିଲା, କେବଳ ଶିବାଜିଙ୍କ ଅଷ୍ଟପ୍ରଧାନ ମଣ୍ଡଳର ନ୍ୟାୟାଧୀଶ ଓ ପଣ୍ଡିତରାଓଙ୍କ ଦ୍ୱାରା ନ୍ୟାୟ ବ୍ୟବସ୍ଥାରେ ନିୟମିତତା ଓ ଧାର୍ମିକ ଅନୁଶାସନ ସହ ପ୍ରଜାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ପାଇଁଁ ଏକ ରାଜନୈତିକ ନିଷ୍ଠା ଓ ପ୍ରତିବଦ୍ଧତା। ଶିବାଜିଙ୍କ ତ୍ୱରିତ ଓ ନ୍ୟାୟପୂର୍ଣ୍ଣ ବ୍ୟବସ୍ଥା କେବଳ ଏକ ଇତିହାସ ନୁହେଁ- ଏହା ଗୋଟିଏ ସ୍ମୃତି, ଏକ ପ୍ରେରଣା ଓ ଗୋଟିଏ ରୋଡମ୍ୟାପ୍- ଯାହା ଏହି ମନ୍ତ୍ର ଦେଇଥାଏ: ତ୍ୱରିତ ନ୍ୟାୟ କେବଳ ଆଧୁନିକତାର ଏକ ବିଳାସପୂର୍ଣ୍ଣ ବ୍ୟାପାର ନୁହେଁ; ଏହା ଏକ ନିଷ୍ଠାର ଫଳ।
ଦୁର୍ଭାଗ୍ୟବଶତଃ, ଆଜିର ଡିଜିଟାଲ ଦୁନିଆରେ ସେକାଳ ପଖାଳର ଘୋର ଅଭାବ। ଏକବିଂଶ ଶତାବ୍ଦୀରେ ତ୍ୱରିତ ନ୍ୟାୟ ପ୍ରଦାନରେ ବିଳମ୍ବର ମୂଳ କାରଣ ହେଉଛି ନିମ୍ନ ଅଦାଲତରେ ବିଚାରପତିଙ୍କ ଅଭାବ। ୨୦୨୩ ଆରମ୍ଭରେ ପ୍ରାୟ ୫,୦୦୦ରୁ ଅଧିକ ବିଚାରପତି ପଦ ଖାଲି ଥିଲା। ତଥ୍ୟାନୁସାରେ, ହାଇକୋର୍ଟଗୁଡିକରେ ଜୁଲାଇ ୨୦୨୪ ସୁଦ୍ଧା ୧,୧୧୪ ମଧ୍ୟରୁ ୩୩୨ ବିଚାରପତି ପଦ ଖାଲି ଥିଲା। ଭାରତରେ ପ୍ରତି ୧୦ ଲକ୍ଷ ଲୋକ ପାଇଁ ମାତ୍ର ୨୧ ଜଣ ବିଚାରପତି ଅଛନ୍ତି, ଯାହା ବ୍ରିଟେନରେ ୫୧ ଓ ଆମେରିକାରେ ୧୦୭। ଅଧିକନ୍ତୁ, ଅଦାଲତ ଭବନର ଅଭାବ, ଟେକ୍ନୋଲୋଜି ଓ ପ୍ରଶିକ୍ଷଣର ଅଭାବ, ଅନୁବାଦରେ ବିଳମ୍ବ, ଆବେଦନ ପ୍ରକ୍ରିୟାରେ ଜଟିଳତା ଏବଂ ଅଦାଲତ ଓ ଆଇନଜୀବୀଙ୍କ ମଧ୍ୟରେ ସମନ୍ୱୟର ଅଭାବ ଏହି ବିଳମ୍ବକୁ ଆହୁରି ବଢ଼ାଇଛି। ଅନେକ ଅଞ୍ଚଳରେ ଆଇନଜୀବୀଙ୍କ ଅଭାବ ମଧ୍ୟ ବିଳମ୍ବକୁ ପ୍ରଭାବିତ କରେ। ବିଳମ୍ବର ଅନ୍ୟ ଏକ କାରଣ ହେଉଛି ଅସଂଖ୍ୟ ଅପିଲ ମାମଲା, ଯାହା ବହୁ ମାତ୍ରାରେ ନିମ୍ନ ଅଦାଲତରୁ ଆସେ ଯେଉଁଠି ପ୍ରାୟ ୪୬% ମାମଲାରେ ସରକାର ପ୍ରତିପକ୍ଷ ଭାବେ ରହିଥାନ୍ତି।
ଏହି ସମସ୍ୟାଗୁଡ଼ିକୁ ଦୂର କରିବା ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ସ୍ଥାପନ କରିବା ସହ କିଛି ପଦକ୍ଷେପ ଗ୍ରହଣ କରାଯାଇଛି ସତ; କିନ୍ତୁ ୧,୦୨୩ଟି ଅଦାଲତ ଗଠନ ଲକ୍ଷ୍ୟ ଥିଲେ ବି ରାଜ୍ୟ ସରକାରମାନଙ୍କ ରୁଚି ଓ ବିଚାରପତି ଅଭାବରୁ ଏହା ୭୯୦ରେ ଅଟକିଯାଇଛି। ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ୭୫୨ଟି ଅଦାଲତ କାର୍ଯ୍ୟକ୍ଷମ ଥିଲେ। ଡିଜିଟାଲ ଦିଗରେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟ ହାଇକୋର୍ଟଗୁଡ଼ିକୁ ମାମଲା ରେକର୍ଡ ଡିଜିଟାଇଜ କରିବା ଓ ଏକ ମ୍ୟାନେଜମେଣ୍ଟ ରେଜିଷ୍ଟ୍ରାର ନିଯୁକ୍ତି ପାଇଁ ପରାମର୍ଶ ଦେଇଛନ୍ତି। ଏଥିସହିତ ଅନ୍ୟ ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା, ଯେପରିକି ଲୋକ ଅଦାଲତ ଓ ଅନୁରୋଧ ଅନୁମୋଦନ ପ୍ରକ୍ରିୟାକୁ ବଢ଼ାଇ ଭାର ହ୍ରାସ କରିବା ଚେଷ୍ଟା ମଧ୍ୟ ଚାଲିଛି। ପ୍ରସ୍ତୁତି ଅଛି, କିନ୍ତୁ ନାହିଁ ସଂକଳ୍ପ ଓ ନିଷ୍ଠା। ଶିବାଜିଙ୍କ ଶାସନ ଜନସାଧାରଣଙ୍କ ଆଶା ଓ ବିଶ୍ୱାସ ଉପରେ ଗଠିତ ଥିଲା। ଏବର ନ୍ୟାୟ ବ୍ୟବସ୍ଥା ଆଉଥରେ ସେହି ବିଶ୍ୱାସକୁ ଧାରଣ କରିବାର ସମୟ ଉପନୀତ।
“ନ୍ୟାୟର ଚକ ଗଡ଼ିବା ଉଚିତ, କିନ୍ତୁ ସେହି ଗତିରେ ନୁହେଁ ଯାହା ବିଶ୍ୱାସକୁ ଚୂରମାର୍ କରିଦେବ”- ୨୦୨୩ ମସିହାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ଏହି ମହତ୍ତ୍ୱପୂର୍ଣ୍ଣ ମତାମତ ଆଧାରରେ ନ୍ୟାୟିକ ବ୍ୟବସ୍ଥାରେ ସୁଧାର ଆଣିବାକୁ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକାଙ୍କ ମିଳିତ ପ୍ରୟାସର ଆବଶ୍ୟକତା ରହିଛି। ରାଷ୍ଟ୍ରପତିଙ୍କ ୧୪ ଗୋଟି ପ୍ରଶ୍ନ ସହ ଜନସାଧାରଣଙ୍କର ଅନେକ ପ୍ରଶ୍ନ ଆଜି ଉତ୍ତର ଅପେକ୍ଷାରେ। କାଳକ୍ଷେପଣ ନୀତି ସର୍ବାଦୌ ବର୍ଜନୀୟ।
Comments are closed.