ନୂଆଦିଲ୍ଲୀ: ମୁଜାଫରପୁର ଆଶ୍ରୟସ୍ଥଳ ବଳାତ୍କାର ମାମଲାରେ ସୁପ୍ରିମକୋର୍ଟ ପୁଣି ଥରେ ବିହାର ସରକାରଙ୍କୁ ସମାଲୋଚନା କରିଛନ୍ତି। ମାମଲାର ଶୁଣାଣି ଅବସରରେ ବିହାରର ମୁଖ୍ୟ ଶାସନ ସଚିବ ମଙ୍ଗଳବାର କୋର୍ଟରେ ହାଜର ହୋଇଥିଲେ। ଉଚିତ ସମୟରେ କେଉଁ କାରଣରୁ ମାମଲା ରୁଜୁ କରାଗଲା ନାହିଁ ବୋଲି ଖଣ୍ଡପୀଠ ବିହାର ମୁଖ୍ୟ ଶାସନ ସଚିବଙ୍କୁ ପ୍ରଶ୍ନ କରିଥିଲେ। କିପରି କରୁଛନ୍ତି ତଦନ୍ତ? ବିଳମ୍ବିତ ଏଫଆଇଆରର ମୂଲ୍ୟ କ’ଣ ରହିଲା ବୋଲି କୋର୍ଟ ପକ୍ଷରୁ ପ୍ରଶ୍ନ କରାଯାଇ ଥିଲା।
ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁଯାୟୀ ନାବାଳିକାଙ୍କ ସହ ବଳାତ୍କାର କରାଯାଇ ଥିଲା। ଅଥଚ ପୁଲିସ ଧାରା ୩୭୭ରେ ମାମଲା ରୁଜୁ କଲା ନାହିଁ କାହିଁକି? ଜାଣିଶୁଣି ଏଫଆଇଆରରେ ହାଲୁକା ଧାରା ଲଗାଇବା ପ୍ରଚ୍ଛଦରେ କ’ଣ ରହିଛି ଉଦ୍ଦେଶ୍ୟ? ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ଏଭଳି ଏକ ଅମାନବୀୟ ଓ ଲଜ୍ଜାଜନକ ଘଟଣାରେ ବିହାର ସରକାରଙ୍କ ଟାଳଟୁଳ ନୀତିକୁ ନେଇ କୋର୍ଟ କ୍ଷୋଭ ପ୍ରକାଶ କରିବା ସହ ଯେଉଁ ନାବାଳିକା ବଳାତ୍କାରର ଶିକାର ହେଲେ ସେମାନେ କ’ଣ ଭାରତୀୟ ନୁହନ୍ତି କି ବୋଲି ଖଣ୍ଡପୀଠ ପାଲଟା ପ୍ରଶ୍ନ କରିଥିଲେ? ଦୀର୍ଘ ସମାଲୋଚନା ପରେ ଆଗାମୀ ଶୁଣାଣି ବୁଧବାରକୁ ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମକୋର୍ଟ। ୨୪ଘଣ୍ଟା ମଧ୍ୟରେ ଏଫଆଇଆରରେ ପରିବର୍ତ୍ତନ କରି ଏଥିରେ ଅଭିଯୁକ୍ତଙ୍କ ବିରୋଧରେ ଧାରା ୩୭୭ ଲଗାଇବାକୁ କୋର୍ଟ ନିର୍ଦେଶ ଦେଇଥିଲେ। ଶୁଣାଣି ସମୟରେ ବିହାର ମୁଖ୍ୟ ଶାସନ ସଚିବ କୋର୍ଟରେ ହାଜର ରହିବାକୁ ନିର୍ଦେଶ ଦେଇ ଖଣ୍ଡପୀଠ ବିହାର ଆଶ୍ରୟ ଗୃହକୁ ନେଇ କେତେ ସମ୍ବେଦନଶୀଳ ତାହା ପ୍ରମାଣିତ କରିଛନ୍ତି। ପୂର୍ବରୁ ମଧ୍ୟ ଅଭିଯୁକ୍ତ ତଥା ପ୍ରାକ୍ତନ ସମାଜ କଲ୍ୟାଣ ମନ୍ତ୍ରୀ ମଞ୍ଜୁ ବର୍ମା ଫେରାର ଥିବା ଘଟଣାରେ ସୁପ୍ରିମକୋର୍ଟ ବିହାର ସରକାରଙ୍କୁ ସମାଲୋଚନା କରିଥିଲେ।
ମୁଜାଫରପୁର ଆଶ୍ରୟସ୍ଥଳ ଘଟଣା ଅମାନବୀୟ ଓ ଲଜ୍ଜାଜନକ: ସୁପ୍ରିମକୋର୍ଟ
Popular Categories



