ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟରେ ଓଡ଼ିଶା ସରକାର ବନାମ ପୀତବାସ ସାହୁ ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାର ଓକିଲଙ୍କ ଅନୁପସ୍ଥିତି ଯୋଗୁଁ ବିଚାରପତି ପି ଏସ ନରସିଂହା ଓ ବିଚାରପତି ଅତୁଲ ଏସ ଚନ୍ଦୁରକରଙ୍କ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରିଛନ୍ତି। ବୁଧବାର ଶୁଣାଣି ବେଳେ ଓଡ଼ିଶା ସରକାର ପ୍ରତିନିଧିଙ୍କ ଅନୁପସ୍ଥିତ ନେଇ ଖଣ୍ଡପୀଠ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ବିଚାରପତି ପି ଏସ ନରସିଂହା ଟିପ୍ପଣୀ କରିଛନ୍ତି ଯେ ଏସବୁ କ’ଣ ଘଟୁଛି, ଓଡ଼ିଶା ସରକାର ଏତେ ଉଦାସୀନ କାହିଁକି। ନ୍ୟାୟାଳୟଙ୍କ ଆଦେଶନାମାକୁ ରାଜ୍ୟ ମୁଖ୍ୟ ସଚିବଙ୍କ ନିକଟକୁ ପଠାଇ ଅବଗତ କରାଇବାକୁ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧କୁ ଧାର୍ଯ୍ୟ ହୋଇଛି।
ଚଳିତ ମାସ ୩ରେ ସର୍ବୋଚ୍ଚ ନ୍ୟାୟାଳୟରେ ଓଡ଼ିଶା ସରକାରଙ୍କ ମାମଲା ପରିଚାଳନା ପାଇଁ ୬୯ ଜଣ ଆଇନଜୀବୀ ପ୍ୟାନେଲଭୁକ୍ତ ହୋଇଛନ୍ତି। ଏଥିରେ ୧୮ ଓଡ଼ିଆ ଆଇନଜୀବୀ ଅଛନ୍ତି। ରାଜ୍ୟରେ ମୋହନ ଚରଣ ମାଝୀ ସରକାର ଗଠନର ୧୬ ମାସ ପରେ ସର୍ବୋଚ୍ଚ ନ୍ୟାୟାଳୟରେ ଓଡ଼ିଶା ସରକାରଙ୍କ ଆଇନଜୀବୀ ପ୍ୟାନେଲ ପୁନର୍ଗଠିତ ହୋଇଛି। ପୂର୍ବରୁ ନବୀନ ପଟ୍ଟନାୟକ ସରକାରଙ୍କ ଦ୍ୱାରା ନିଯୁକ୍ତ ପ୍ୟାନେଲଭୁକ୍ତ ଆଇନଜୀବୀଙ୍କୁ ଦାୟିତ୍ୱ ମୁକ୍ତ କରାଯାଇଛି ବୋଲି ରାଜ୍ୟ ଆଇନ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତିରେ ଦର୍ଶାଯାଇଥିଲା। ଫଳରେ ଓଡ଼ିଶା ସରକାର ବନାମ ପୀତବାସ ସାହୁ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି ବେଳେ ବିଜେଡି ସରକାର ଅମଳରେ ନିୟୋଜିତ ଆଡ଼ଭୋକେଟ ଅନ ରେକର୍ଡ କୋର୍ଟ ରୁମରେ ଉପସ୍ଥିତ ହୋଇନଥିଲେ। ଅନ୍ୟପକ୍ଷରେ ନୂତନ ପ୍ୟାନେଲଭୁକ୍ତ ଆଇନଜୀବୀଙ୍କୁ ଶୁଣାଣି ବେଳେ ଉପସ୍ଥିତ ରହିବାକୁ ରାଜ୍ୟ ଆଇନ ବିଭାଗ ତରଫରୁ କୁହାଯାଇ ନଥିଲା। ଯଦ୍ୱାରା ସର୍ବୋଚ୍ଚ ନ୍ୟାୟାଳୟରେ ଓଡ଼ିଶା ସରକାରଙ୍କୁ ଅପଦସ୍ଥ ହେବାକୁ ପଡ଼ିଛି।



