ନୂଆଦିଲ୍ଲୀ: ବିଧାନସଭାରେ ଗୃହୀତ ହୋଇଥିବା ବିଲ୍ଗୁଡିକୁ ଅନୁମୋଦନ କରିବା ପ୍ରସଙ୍ଗରେ ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ କ୍ଷମତାକୁ ନେଇ ଯେଉଁ ବିବାଦର ସୂତ୍ରପାତ ହୋଇଛି, ସେହି ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ଗୁରୁବାର ଏସଂକ୍ରାନ୍ତରେ ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଏହି ପ୍ରସଙ୍ଗରେ ରାଜ୍ୟ ସରକାର ରିଟ୍ ପିଟିସନ ଦାଏର କରିପାରିବେନି। ପ୍ରଧାନ ବିଚାରପତି ଜଷ୍ଟିସ ବି.ଆର. ଗବଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ସାମ୍ବିଧାନିକ ପୀଠରେ ମାମଲାର ଶୁଣାଣି କରାଯାଉଛି। ସମ୍ବିଧାନର ଧାରା ୩୨ ଅନୁଯାୟୀ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଥିବା ମାମଲାରେ ରାଜ୍ୟ ସରକାର ରିଟ୍ ପିଟିସନ ଦାଏର କରିପାରିବେ କି ନାହିଁ, ତାହା ଜାଣିବାକୁ ରାଷ୍ଟ୍ରପତି ସୁପ୍ରିମକୋର୍ଟଙ୍କ ମତାମତ ଲୋଡିଛନ୍ତି ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପୀଠଙ୍କୁ ଅବଗତ କରାଇଥିଲେ। ଏହା ବ୍ୟତୀତ ସମ୍ବିଧାନର ଧାରା ୩୬୧କୁ ନେଇ ମଧ୍ୟ ରାଷ୍ଟ୍ରପତି ମତାମତ ଲୋଡିଥିବା ସେ ପୀଠଙ୍କୁ ଜଣାଇଛନ୍ତି। ଏହି ଧାରା ଅନୁଯାୟୀ ନିଜର କାର୍ଯ୍ୟ ପରିସୀମା ପ୍ରସଙ୍ଗରେ ରାଷ୍ଟ୍ରପତି କିମ୍ବା ରାଜ୍ୟପାଳ କୌଣସି ଅଦାଲତଙ୍କ ନିକଟରେ ଉତ୍ତରଦାୟୀ ରହିବେ ନାହିଁ। ଏହି ପରିପ୍ରେକ୍ଷୀରେ ମେହେଟ୍ଟା ଯୁକ୍ତି ଦର୍ଶାଇଥିଲେ ଯେ ସମ୍ବିଧାନର ଧାରା ୩୨ ଅନୁଯାୟୀ ରାଷ୍ଟ୍ରପତି କିମ୍ବା ରାଜ୍ୟପାଳଙ୍କ ବିରୋଧରେ ଯଦି କୌଣସି ରାଜ୍ୟ ସରକାର ଅଦାଲତଙ୍କ ଦ୍ବାରସ୍ଥ ହୁଅନ୍ତି, ତେବେ ଏହା ଶୁଣାଣି ଯୋଗ୍ୟ ହେବ ନାହିଁ। ପୁନଶ୍ଚ ଅଦାଲତ ଏହି ପ୍ରସଙ୍ଗରେ ରାଷ୍ଟ୍ରପତି କିମ୍ବା ରାଜ୍ୟପାଳଙ୍କୁ କୌଣସି ନିର୍ଦେଶ ଦେଇପାରିବେନି।
ସୂଚନାଯୋଗ୍ୟ ବିଲ୍ ଅନୁମୋଦନ ପ୍ରସଙ୍ଗକୁ ନେଇ ତାମିଲନାଡୁରେ କ୍ଷମତାସୀନ ଡିଏମକେ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ତାମିଲନାଡୁ ବିଧାନସଭାରେ ୧୦ଟି ବିଲ୍ ଗୃହୀତ ହୋଇସାରିଥିବାବେଳେ ରାଜ୍ୟପାଳ ଆର.ଏନ.ରବି ଏହାକୁ ଅନୁମୋଦନ କରିନଥିଲେ କିମ୍ବା ସୁପାରିସ ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇନଥିଲେ। ଏହାକୁ ବିରୋଧ କରି ତାମିଲନାଡୁ ସରକାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରିଥିଲେ। ଜଷ୍ଟିସ ଜେ.ବି.ପାର୍ଦିୱାଲା ଓ ଜଷ୍ଟିସ ଆର.ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପ୍ରିଲ ୮ରେ ରାୟ ପ୍ରକାଶ କରିଥିଲେ। ଏଥିରେ ବିଲ୍ ଅନୁେମାଦନ ପ୍ରସଙ୍ଗରେ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ସମ୍ବିଧାନର ଧାରା ୨୦୦ ଅନୁଯାୟୀ ଯଦିଓ କୌଣସି ବିଲ୍କୁ ରାଜ୍ୟପାଳ କେତେ ଦିନ ନିଜ ପାଖରେ ଅଟକାଇ ପାରିବେ, ସେ ସମ୍ପର୍କରେ ନିର୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରାଯାଇନାହିଁ, ତଥାପି ପ୍ରଶାସନିକ ଦୃଷ୍ଟିକୋଣରୁ ରାଜ୍ୟପାଳ ଏକ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ଖଣ୍ଡପୀଠ ନିର୍ଦେଶ ଦେଇଥିଲେ। ଯଦି ରାଜ୍ୟପାଳ କୌଣସି ବିଲ୍ ସମ୍ପର୍କରେ ନିଷ୍ପତ୍ତି ନେଇ ନପାରନ୍ତି, ତେବେ ୩ ମାସ ମଧ୍ୟରେ ସେ ଏହା ବିଧାନସଭାରେ ପୁନଃ ଆଲୋଚନା ପାଇଁ ପଠାଇବେ। ବିଧାନସଭାରେ ପୁଣି ଗୃହୀତ ହେବାର ଏକ ମାସ ମଧ୍ୟରେ ରାଜ୍ୟପାଳ ଏହାକୁ ଅନୁମୋଦନ କରିବା ଜରୁରୀ ବୋଲି ଖଣ୍ଡପୀଠ ନିର୍ଦେଶ ଦେଇଥିଲେ।
ଯଦି ଭବିଷ୍ୟତରେ ରାଜ୍ୟପାଳ ଏହି ନିର୍ଦେଶକୁ ଅବଜ୍ଞା କରନ୍ତି, ତେବେ ଆଇନ ଅନୁଯାୟୀ ସେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଥିଲେ। ଯଦି ବିଧାନସଭାରେ ଗୃହୀତ ବିଲ୍କୁ ଅନୁମୋଦନ କରିବା ନିମନ୍ତେ ସଂପୃକ୍ତ ରାଜ୍ୟର ରାଜ୍ୟପାଳଙ୍କ ନିକଟରୁ ସୁପାରିସ କରାଯାଇଥାଏ, ତେବେ ରାଷ୍ଟ୍ରପତି ୩ ମାସ ମଧ୍ୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ବାଧ୍ୟ ବୋଲି ସୁପ୍ରିମକୋର୍ଟ ସେତେବେଳେ ସ୍ପଷ୍ଟ କରିଥିଲେ। ସୂଚନାଯୋଗ୍ୟ, ଆଜିର ଶୁଣାଣିରେ ପ୍ରଧାନ ବିଚାରପତି ଗବଇଙ୍କ ଅଧ୍ୟକ୍ଷତାରେ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ବିକ୍ରମନାଥ, ପିଏସି ନରସିଂହ ଓ ବିଚାରପତି ଏ.ଏସ୍. ଚନ୍ଦୁରକରଙ୍କୁ ନେଇ ଗଠିତ ପୀଠ ରହିଥଲେ।



