www.samajalive.in
Tuesday, December 9, 2025
15.1 C
Bhubaneswar

ପଞ୍ଜାବ କଂଗ୍ରେସକୁ ଧକ୍କା : ନିର୍ବାଚନ ରାଜନୀତି ଛାଡ଼ିଲେ ସୁନୀଲ ଜାଖଡ଼

ଲୁଧିଆନା : ପଞ୍ଜାବ କଂଗ୍ରେସକୁ ସୋମବାର ବଡ଼ ଧକ୍କା ଲାଗିଛି। ଦଳର ବରିଷ୍ଠ ନେତା ସୁନୀଲ ଜାଖଡ଼ ସକ୍ରିୟ ନିର୍ବାଚନ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି; କିନ୍ତୁ ଦଳରେ ରହିବେ ବୋଲି କହିଛନ୍ତି। ଦଳରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରମୁଖ ଦାବିଦାର ଥିବା ୬୮ ବର୍ଷୀୟ ଜାଠ ନେତା ସୁନୀଲ ହେଉଛନ୍ତି ଲୋକସଭାର ପୂର୍ବତନ ବାଚସ୍ପତି ତଥା କେନ୍ଦ୍ରମନ୍ତ୍ରୀ ବଳରାମ ଜାଖଡ଼ଙ୍କ ପୁଅ। ରବିବାର ସେ ଲୁଧିଆନାଠାରେ ଆଭାସିରେ ଆୟୋଜିତ ରାହୁଲ ଗାନ୍ଧୀଙ୍କ ନିର୍ବାଚନ ସଭାରେ ଉପସ୍ଥିତ ଥିଲେ। କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବା ସମୟରେ ଅମରିନ୍ଦରଙ୍କ ଉତ୍ତରାଧିକାରୀ ହେବା ପାଇଁ ତାଙ୍କ ପ୍ରତି ୪୨ବିଧାୟକଙ୍କ ସମର୍ଥନ ଥିବା କହି ଝଡ଼ ସୃଷ୍ଟି କରିଥିଲେ। ସେତେବେଳେ ସେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସବୁଠୁ ଆଗୁଆ ଥିଲେ ମଧ୍ୟ ଚରଣଜିତ ସିଂହ ଚାନ୍ନିଙ୍କୁ ଏଥିପାଇଁ ମନୋନୀତ କରାଯାଇଥିଲା। ସୁନୀଲ ଆବୋହର ଆସନରୁ ତିନି ଥର ବିଧାୟକ ତଥା ଗୁରୁଦାସପୁରରୁ ଥରେ ଲୋକସଭା ସଦସ୍ୟ ହୋଇଛନ୍ତି। ପଞ୍ଜାବ ପ୍ରଦେଶ କଂଗ୍ରେସର ସଭାପତି ମଧ୍ୟ ରହିଥିଲେ। ଏହି ପଦରୁ ତାଙ୍କ ଇସ୍ତଫା ପରେ ନବଜୋତ ସିଂହ ସିଧୁ ସଭାପତି ହୋଇଥିଲେ। ଅକାଳୀ ଦଳ ଓ ବିଜେପି ମେଣ୍ଟ ସରକାର ସମୟରେ ସେ ବିଧାନସଭାରେ ବିରୋଧୀ ଦଳ ନେତା ଥିଲେ। ଚଳିତ ନିର୍ବାଚନରେ ସୁନୀଲ ପ୍ରାର୍ଥୀ ହୋଇ ନ ଥିଲେ ମଧ୍ୟ ତାଙ୍କ ପୁତୁରା ସନ୍ଦୀପ ଜାଖଡ଼ ଆବୋହରରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories