www.samajalive.in
Monday, December 8, 2025
14.1 C
Bhubaneswar

ନବଜାତକଙ୍କୁ ସୁରକ୍ଷା ଦେବ ‘ସୁନେତ୍ର’

ଭୁବନେଶ୍ୱର : ଧାର୍ଯ୍ୟ ସମୟ ଆଗରୁ ଜନ୍ମ ନେଉଥିବା ଏବଂ କମ୍‍ ଓଜନର ଶିଶୁଙ୍କ ଚକ୍ଷୁରେ ସମସ୍ୟା ଦେଖା ଦେଇଥାଏ। ଏହାର ଚିକିତ୍ସା ମଧ୍ୟ ଅତ୍ୟନ୍ତ ବ୍ୟୟବହୁଳ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁନେତ୍ର ଯୋଜନାରେ ଏହି ରୋଗର ବିନା ମୂଲ୍ୟରେ ଚିକିତ୍ସା ବ୍ୟବସ୍ଥା ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ ହସ୍ପିଟାଲର ଏସ୍‍ଏନ୍‍ସିୟୁ ସମେତ ଏସ୍‍ସିବି ମେଡିକାଲ କଲେଜ, ଭିମ୍‍ସାର, ଏମ୍‍କେସିଜି, ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଏସ୍‍ଏନ୍‍ସିୟୁକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମୂଲ୍ୟବାନ୍‍ ଯନ୍ତ୍ରପାତି ଯୋଗାଇ ଦିଆଯାଇଛି।
ହସ୍ତଗତ ସୂଚନା ଅନୁସାରେ ସମୟ ପୂର୍ବରୁ ଏବଂ କମ୍ ଓଜନ ସହିତ ଜନ୍ମ ହେଉଥିବା ଶିଶୁଙ୍କ ଚକ୍ଷୁର ଅନ୍ତଃପଟଳ ରକ୍ତବାହୀ ଶିରା ପ୍ରଶିରା ଗୁଡିକ ଅନେକ ସମୟରେ ଅସ୍ୱାଭାବିକ ଭାବେ ବଢିଥାଏ । ଠିକ୍ ସମୟରେ ଏହାର ଚିକିତ୍ସା ନହେଲେ ଶିଶୁମାନଙ୍କ ବୟସ ବୃଦ୍ଧି ସହିତ ଦୃଷ୍ଟିଶକ୍ତି ହରାଇବାର ସମ୍ଭାବନା ଦେଖାଦିଏ। ଜନ୍ମ ପରେ ସ୍ବତନ୍ତ୍ର ନବଜାତ ସଘନ ୟୁନିଟ୍ (ଏସ୍‍ଏନ୍‍ସିୟୁ)ରେ ରହୁଥିବା ପିଲାଙ୍କ ଚକ୍ଷୁର ଆରଓପି ସ୍କ୍ରିନିଂ କରାଯିବାପରେ ଏହି ରୋଗ ସମ୍ପର୍କରେ ଜଣା ପଡ଼ିଥାଏ। ଏହି ରୋଗର ପରୀକ୍ଷା ଲାଗି ପ୍ରାୟ ଦେଢ କୋଟି ଟଙ୍କା ମୂଲ୍ୟର ‘ରେଟ୍‍କ୍ୟାମ୍‍’ ଓ କୋଟିଏରୁ ଅଧିକ ଟଙ୍କା ମୂଲ୍ୟର ଲେଜର ଯନ୍ତ୍ର ଆବଶ୍ୟକ ହୋଇଥାଏ। ରେଟ୍‍କ୍ୟାମ୍‍ରେ ଶିଶୁଙ୍କ ଚକ୍ଷୁର ପରୀକ୍ଷାପରେ ଆବଶ୍ୟକସ୍ଥଳେ ସେମାନଙ୍କର ଲେଜର ଚିକିତ୍ସା କିମ୍ବା ଇଞ୍ଜେକସନ ଦେବାର ଆବଶ୍ୟକତା ଥାଏ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସୁନେତ୍ର ଯୋଜନାରେ ରାଜ୍ୟର ପ୍ରମୁଖ ଡ଼ାକ୍ତରଖାନା ଗୁଡ଼ିକରେ ଚିକିତ୍ସା ବ୍ୟବସ୍ଥା କରିଛନ୍ତି। କ୍ୟାପିଟାଲ ହସ୍ପିଟାଲର ଏସ୍‍ଏନ୍‍ସିୟୁରେ ଶିଶୁ ବିଶେଷଜ୍ଞଙ୍କ ସହିତ ଦିଲ୍ଲୀ ଏମ୍‍ସରୁ ସ୍ୱତନ୍ତ୍ର ତାଲିମପ୍ରାପ୍ତ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ଅଶ୍ୱିନୀ ମେହେର୍ଦ୍ଦା ଏବଂ ତାଙ୍କ ଟିମ୍‍ ଏହି ଜଟିଳ ଚିକିତ୍ସା କରୁଛନ୍ତି। ଏଥିପାଇଁ ହସ୍ପିଟାଲର ଏସ୍‍ଏନ୍‍ସିୟୁ ନିକଟରେ ସ୍ୱତନ୍ତ୍ର ଭାବେ କୋଠରି ପ୍ରସ୍ତୁତ ହୋଇଛି।
ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ହସ୍ତଗତ ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା କ୍ୟାପିଟାଲ ହସପିଟାଲରେ ୧୮୬ ଶିଶୁଙ୍କ ଚକ୍ଷୁର ଆରଓପି ସ୍କ୍ରିନିଂ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୬ଜଣ ଶିଶୁଙ୍କ ଚକ୍ଷୁରେ ଲେଜର ଚିକିତ୍ସା ଓ ଆଉ ୬ଜଣଙ୍କୁ ଆଣ୍ଟି ଭେଜ୍‍ ଇଞ୍ଜେକସନ୍‍ ଦିଆଯାଇଛି। ଏହି ଇଞ୍ଜେକସନର ବଜାର ମୂଲ୍ୟ ୨୦ହଜାର ଟଙ୍କାରୁ ଅଧିକ ହୋଇଥିବାବେଳେ ରାଜ୍ୟ ସରକାର ସୁନେତ୍ର ଯୋଜନାରେ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ପୂର୍ବରୁ ସୁନେତ୍ର ଯୋଜନାରେ କ୍ୟାପିଟାଲ ହସ୍ପିଟାଲରେ ବ୍ୟୟବହୁଳ ରେଟିନା ଅପରେସନ ଆରମ୍ଭ ହୋଇଛି। ଘରୋଇ ଡାକ୍ତରଖାନା ଗୁଡିକରେ ଏଥିପାଇଁ ରୋଗୀଙ୍କୁ ୫୦ରୁ ୬୦ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବାବେଳେ ଏଠାରେ ଏହା ବିନାମୂଲ୍ୟରେ ହୋଇପାରୁଛି । ଏଥି ସହିତ ମଧୁମେହ ଆକ୍ରାନ୍ତ ରୋଗୀଙ୍କ ଚକ୍ଷୁରେ ଆବଶ୍ୟକ ପଡୁଥିବା ଦାମୀ ଇଞ୍ଜେକସନ ମଧ୍ୟ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories