www.samajalive.in
Monday, December 8, 2025
16.1 C
Bhubaneswar

ମହିଳା ପୁଲିସ ଅଧିକାରୀଙ୍କୁ ସଶ୍ରମ କାରାଦଣ୍ଡ ଓ ଜରିମାନା

ସୁନ୍ଦରଗଡ଼ ଦୁର୍ନୀତି ନିବାରଣ ଅଦାଲତର ଗୁରୁତ୍ବପୂର୍ଣ୍ଣ ରାୟ

ସୁନ୍ଦରଗଡ଼: ଆଜି ସୁନ୍ଦରଗଡ଼ ଦୁର୍ନୀତି ନିବାରଣ ଅଦାଲତର ସ୍ବତନ୍ତ୍ର ଜଜ୍‌ ଅଶ୍ବିନୀ କୁମାର ନାଏକ ୨୦୦୭ ମସିହାରେ ଲାଞ୍ଚ କାରବାରରେ ସଂପୃକ୍ତ ଥିବା ଜୈନିକା ମହିଳା ପୁଲିସ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ଜରିମାନା ଆଦାୟ କରିବା ପାଇଁ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ବିଭାଗୀୟ ସୂତ୍ରରୁ ପ୍ରକାଶ, ରାଉରକେଲା ମହିଳା ଥାନାରେ ୨୦୦୭ ମସିହାରେ ଅବସ୍ଥାପିତ ମହିଳା ପୁଲିସ ଅଧିକାରୀ ବୁଧୁନି ମିଞ୍ଜ ଉଚ୍ଚ ନ୍ୟାୟାଳୟରୁ ଜାମିନ ପାଇଥିବା ଜୈନିକ ଅଭିଯୁକ୍ତଙ୍କ ଜାମିନ ନିର୍ଦେଶନାମାକୁ କାର୍ଯ୍ୟକାରୀ କରିବା ପାଇଁ କୁଆଡ଼େ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଉଚ୍ଚ ନ୍ୟାୟାଳୟର ନିର୍ଦେଶନାମା ଥାଇ ମଧ୍ୟ ମହିଳା ପୁଲିସ ଅଧିକାରୀ ଏଭଳି ଲାଞ୍ଚ ମାଗିବାକୁ ଅଭିଯୁକ୍ତ ତଥା ଅଭିଯୋଗକାରୀ ଅସହମତି ପ୍ରକାଶ କରିବାରୁ ତାଙ୍କ ପରିବାର ବର୍ଗଙ୍କୁ ପୁନଶ୍ଚ ଗିରଫ କରିବେ ବୋଲି ଏହି ମହିଳା ଅଧିକାରୀ ଜଣକ ଧମକ ଦେଇଥିଲେ। ଶେଷରେ କଥାବାର୍ତ୍ତା ହୋଇ ଏହି ଟଙ୍କା ତତ୍କାଳୀନ ଥାନା ଅଧିକାରୀ( ଥାନା ଇନ୍ସପେକ୍ଟର) ବା ଏହି ମହିଳା ଥାନା ଅଧିକାରୀଙ୍କୁ ୫ହଜାର ଟଙ୍କା ଦେବାକୁ କଥା ଛିଣ୍ଡିଥିଲା।

ଏ ସଂପର୍କରେ ଅଭିଯୋଗକାରୀ ସନ୍ତୋଷ କୁମାର ସ ସମ୍ବଲପୁରସ୍ଥିତ ଦୁର୍ନୀତି ନିବାରଣ ଏସ.ପିଙ୍କ ଠାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଦୁର୍ନୀତି ନିବାରଣ ବିଭାଗର ଅଧିକାରୀମାନେ ୯.୧.୨୦୦୭ ଦିନ ଥାନା ଆଖପାଖ ଅଞ୍ଚଳରେ ଲୁଚି ରହି ଲାଞ୍ଚ କାରବାର ସମୟକୁ ଅପେକ୍ଷା କରିଥିବା ବେଳେ ଅଭିଯୋଗକାରୀ ଲାଞ୍ଚ ୫ହଜାର ଟଙ୍କାକୁ ମହିଳା ପୁଲିସ ଅଧିକାରୀ ବୁଧୁନିଙ୍କୁ ଦେଇଥିଲେ। ପରେ ଦୁର୍ନୀତି ନିବାରଣ ବିଭାଗର ଅଧିକାରୀମାନେ ଲାଞ୍ଚ ଟଙ୍କା ଜବତ କରିବା ସହ ପ୍ରୋକ୍ତା ମହିଳା ଅଧିକାରୀଙ୍କୁ ଗିରଫ କରି ଅଦାଲତକୁ ପଠାଇ ଥିଲେ। ଦୀର୍ଘଦିନର ଶୁଣାଣି ପରେ ଗତ ୭.୯.୨୦୨୧ ଦିନ ଏହି ମାମଲା ଉପରେ ଅଦାଲତରେ ବେଶ ଯୁକ୍ତିତର୍କ ହୋଇଥିଲା। ଅଭିଯୁକ୍ତଙ୍କ ପକ୍ଷରୁ ତାଙ୍କ ଓକିଲଙ୍କ ଯୁକ୍ତି ସତ୍ତ୍ବେ ସ୍ବତନ୍ତ୍ର ପିପି ଧର୍ମେଶ ପଟେଲଙ୍କ ଦୃଢ଼ ଯୁକ୍ତି ଓ ସମଗ୍ର ଘଟଣାକ୍ରମର ପାରିପାର୍ଶ୍ବିକ ଅବସ୍ଥାର ସଠିକ ଉପସ୍ଥାପନକୁ ସ୍ବତନ୍ତ୍ର ଜଜ୍‌ ନାଏକ ଅଭିଯୁକ୍ତ ମହିଳା ପୁଲିସ ଅଧିକାରୀଙ୍କୁ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଦଫାରେ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ହଜାର ଟଙ୍କା ଜରିମାନା ଦେବା ପାଇଁ ନିଜ ରାୟରେ ସ୍ପଷ୍ଟ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୩ମାସ କାରାଦଣ୍ଡ ଭୋଗିବା ପାଇଁ ନିର୍ଦେଶ ଦେଇଛନ୍ତି। ଆଜି ଦୁର୍ନୀତି ନିବାରଣ ଅଦାଲତର ଏହି ରାୟ ସମଗ୍ର ଜିଲାର ପୁଲିସ ଅଧିକାରୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇପଡ଼ିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories