ସମ୍ବଲପୁର : ସମ୍ବଲପୁର ଡାକ ମଣ୍ଡଳ ତରଫରୁ ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେଉଥିବା ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ସୁକନ୍ୟା ସମୃଦ୍ଧି ମହୋତ୍ସବ ପାଳିତ ହୋଇଯାଇଛି । ସ୍ଥାନୀୟ ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସମ୍ବଲପୁର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ ମୁଖ୍ୟ ଅତିଥି, ଜିଲା ସମାଜ କଲ୍ୟାଣ ଅଧିକାରୀ ସବିତା ଦାଶ, ସ୍ୱଳ୍ପ ସଞ୍ଚୟ ଅଧିକାରୀ ନିଳାଞ୍ଚଳ ସେଠୀ ଏବଂ ପ୍ରଧାନ ଆଚାର୍ଯ୍ୟ ବ୍ରଜ କିଶୋର ହୋତା ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ସ୍ଥାନୀୟ ଡାକ ମଣ୍ଡଳ ଅଧିକ୍ଷକ ବିପିନ ବିହାରୀ ନେଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସମ୍ବଲପୁର ପଶ୍ଚିମ ଉପଖଣ୍ଡ ଡାକ ନିରୀକ୍ଷକ ଶ୍ରାବଣୀ ପ୍ରଧାନ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶକ୍ରମେ ସମଗ୍ର ଭାରତର ୭୫ଟି ଡାକ ମଣ୍ଡଳରେ ସୁକନ୍ୟା ସମୃଦ୍ଧି ମହୋତ୍ସବ ପାଳନ କ୍ରମରେ ସମ୍ବଲପୁର ମଣ୍ଡଳ ଅନ୍ୟତମ । ୧୦ ବର୍ଷରୁ କମ ଶିଶୁ କନ୍ୟା ମାନଙ୍କ ପାଇଁ ଭାରତ ସରକାରଙ୍କ ଦ୍ୱାରା ଏହି ଯୋଜନା ସାମାଜିକ ଓ ଆର୍ଥିକ ଅଭିବୃଦ୍ଧି ପାଇଁ ବିଶେଷ ସହାୟକ ହେବ। ଏହି ଯୋଜନା ଉପରେ ଡାକ ମଣ୍ଡଳ ଅଧିକ୍ଷକ ନେଗୀ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥି ବିଧାୟକ ନାୟକ ଏହି ଯୋଜନାକୁ କଲ୍ୟାଣକାରୀ ଯୋଜନା ଏବଂ ଡାକ ବିଭାଗର ଉଦ୍ୟମକୁ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମ ଉପଲକ୍ଷେ ପୂର୍ବରୁ ଆୟୋଜିତ ହୋଇଥିବା ଫିଲାଟେଲୀ ପ୍ରତିଯୋଗୀତାର ବକ୍ତୃତା ଓ ଚିତ୍ରାଙ୍କନର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଡାକ ବିଭାଗର କର୍ମଚାରୀ ମାନଙ୍କୁ ଅଧିକ ସଂଖ୍ୟାରେ ସୁକନ୍ୟା ଯୋଜନା ଖାତା ଖୋଲିଥିବାରୁ ପୁରସ୍କୃତ କରାଯାଇଥିଲା। ଶେଷରେ ଶିଶୁ କନ୍ୟା ମାନଙ୍କ ଦ୍ୱାରା ତ୍ରିରଙ୍ଗା ବେଲୁନ ଉଡା ଯାଇଥିଲା। କ୍ଷେତରାଜପୁର ଉପ ଡାକପାଳ ବି. ଶାନ୍ତିସୁଧା ସଭା ପରିଚାଳନା କରିଥିବା ବେଳେ ଶେଷରେ ଗୋଲବଜାର ଉପ ଡାକଘରର କଳ୍ପନା ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



