ସୁଭଦ୍ରା ଯୋଜନାରେ କଟକ ଜିଲ୍ଲାରେ ଉପକୃତ ହେବେ ୮ ଲକ୍ଷ ହିତାଧିକାରୀ
କଟକ: ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ତଥା ସେମାନଙ୍କୁ ଓ ସେମାନଙ୍କ ପରିବାରକୁ ସୁରକ୍ଷା ଯୋଗାଇବା ପାଇଁ ରାଜ୍ୟ ସରକାର ସୁଭଦ୍ରାର ଯୋଜନା ଆରମ୍ଭ କରିଛନ୍ତି। ଏହା ମହିଳାମାନଙ୍କ ସାମାଜିକ ଓ ଅର୍ଥନୈତିକ ଅବସ୍ଥାକୁ ଦୃଢ଼ କରିବ ବୋଲି କୁହାଯାଇଛି।
ଶୁକ୍ରବାର ଏ ସମ୍ପର୍କରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସୁଭଦ୍ରା ଯୋଜନାରେ କଟକ ଜିଲ୍ଲାରେ ପ୍ରାୟ ୮ ଲକ୍ଷ ହିତାଧିକାରୀ ଉପକୃତ ହେବେ। ଆସନ୍ତାକାଲିଠାରୁ କଟକ ଜିଲ୍ଲାର ୩ ହଜାର ୩୧୮ଟି ଅଙ୍ଗନବାଡି କେନ୍ଦ୍ରରେ ବିନା ମୂଲ୍ୟରେ ସୁଭଦ୍ରା ଆବେଦନ ଫର୍ମ ଉପଲବ୍ଧ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ବ୍ଲକ୍ କାର୍ଯ୍ୟାଳୟ, ସହରାଂଚଳ ସ୍ଥାନୀୟ ସଂସ୍ଥା, ମୋ ସେବା କେନ୍ଦ୍ର ଓ ସାଧାରଣ ସେବା କେନ୍ଦ୍ରଗୁଡିକରେ ମଧ୍ୟ ଏହି ଆବେଦନ ଫର୍ମ ଉପଲବ୍ଧ ହେବ ବୋଲି ସେ କହିଛନ୍ତି।
କଟକ ଜିଲ୍ଲାରେ ସୁଭଦ୍ରା ଯୋଜନାର କାର୍ଯ୍ୟାନ୍ୱୟନ ନେଇ ବିସ୍ତୃତ ସୂଚନା ଦେଉଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ। pic.twitter.com/SpUXPP137E
— Samaja Live (@samajalive) August 30, 2024
ଏହି ଆବେଦନ ପ୍ରକ୍ରିୟାରେ ଆସନ୍ତା ସେପ୍ଟେମ୍ବର ୨ ତାରିଖରୁ ଫର୍ମ ପଞ୍ଜିକରଣ ଆରମ୍ଭ ହେବ। ଆବେଦନକାରୀ ମୁଦ୍ରିତ ଫର୍ମ ପୂରଣ କରି ଅଫଲାଇନ୍ ମାଧ୍ୟମରେ ନିକଟସ୍ଥ ମୋ ସେବା କେନ୍ଦ୍ର ବା ସାଧାରଣ ସେବା କେନ୍ଦ୍ରରେ ଫର୍ମ ଦାଖଲ କରିବେ। ଏଥିଲାଗି ଆବେଦନ ସମ୍ପୂର୍ଣ୍ଣ ଦେୟମୁକ୍ତ ବୋଲି ଜଣାପଡିଛି। ପ୍ରତ୍ୟେହ ସକାଳ ୯ଟାରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ହିତାଧିକାରୀମାନଙ୍କୁ ଫର୍ମ ଉପଲବ୍ଧ ହେବ ଏବଂ ସେହି ସମୟ ମଧ୍ୟରେ ଫର୍ମ ପଞ୍ଜିକରଣ କରାଯିବ।
ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଯୋଗ୍ୟତା। ଆବେଦନକାରୀ…
୧. ଓଡ଼ିଶାର ବାସିନ୍ଦା ହୋଇଥିବେ।
୨. ଜାତୀୟ ଖାଦ୍ୟ ନିରାପତା ଆଇନ୍ / ରାଜ୍ୟ ଖାଦ୍ୟ ନିରାପତା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବେ
୩. ବୟସ ୧ ଜୁଲାଇ ୨୦୨୪ ସୁଦ୍ଧା ୨୧ – ୬୦ ବର୍ଷ ମଧ୍ୟରେ ହୋଇଥିବ
୪. ଯଦି ଜଣେ ମହିଳା ୨୦୨୪ ଜୁଲାଇ ୧ ପରେ ୨୧ ବର୍ଷ ବୟସ ଅତିକ୍ରମ କରିବେ ତେବେ ଯୋଜନା ଅବଧିର ଅବଶିଷ୍ଟ ବର୍ଷଗୁଡିକ ପାଇଁ ତାଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ମିଳିବ। ସେହିପରି ଯେଉଁ ମହିଳା ୨୦୨୪ ଜୁଲାଇ ୧ ପରେ ୬୦ ବର୍ଷ ପୂରଣ କରିବେ ତାଙ୍କୁ ଯୋଜନା ଅବଧିର ଅବଶିଷ୍ଟ ବର୍ଷଗୁଡିକ ପାଇଁ ଏହି ସହାୟତା ଦିଆଯିବ ନାହିଁ।
୫. ଯଦି ସୁଭଦ୍ରା ଯୋଜନାର ଅନ୍ୟ ସମସ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବେ ତେବେ ପାରିଶ୍ରମିକ ଗ୍ରହଣ କରୁଥିବା କର୍ମଚାରୀ ଯେପରିକି – ଆଶା, ଅଙ୍ଗନବାଡି କର୍ମୀ, ସିଆରପି, ଏମ୍ବିକେ ଇତ୍ୟାଦି ଏବଂ ଆଉଟସୋସିଂ ଏଜେନ୍ସି ମାଧ୍ୟମରେ ନିୟୋଜିତ ସମସ୍ତ କର୍ମଚାରୀ ମଧ୍ୟ ଏହି ଯୋଜନା ଅଧୀନରେ ଯୋଗ୍ୟ ବିବେଚିତ ହେବେ।
Comments are closed.