ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀରେ ଥିବା ଘରୋଇ ବିଦ୍ୟାଳୟ ଦୀପ ଭାରତୀ ପବ୍ଲିକ ସ୍କୁଲରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୫ମ ଶ୍ରେଣୀ ଛାତ୍ରୀ ଏସିଡ୍କୁ ପାଣି ଭାବି ପିଇଦେବା ଫଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଛାତ୍ରୀଙ୍କ ନାମ ସଞ୍ଜନା ଏବଂ ସେ ହର୍ଶ ବିହାର ଅଞ୍ଚଳରେ ପରିବାର ସହ ରୁହନ୍ତି। ପୁଲିସ ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁ କରିଥିବା ଡିସିପି ଅତୁଲ କୁମାର ଠାକୁର କହିଛନ୍ତି।
ପୁଲିସ ସୂଚନା ମୁତାବକ, ଜଣେ ଛାତ୍ରୀ ଘରୁ ପାଣି ବୋତଲ ଆଣିବା ବଦଳରେ ଭୁଲବଶତଃ ଉକ୍ତ ଏସିଡ ବୋତଲ ସ୍କୁଲକୁ ନେଇ ଆସିଥିଲେ। ଉକ୍ତ ବୋତଲଟି ସବୁଜ ରଙ୍ଗର ଏକ ମୃଦୁ ପାନୀୟ ବୋତଲ ଥିଲା। ସେଥିରେ ଶୌଚାଳୟ ସଫେଇରେ ବ୍ୟବହାର ହେଉଥିବା ଏସିଡ୍ ରଖାଯାଇଥିଲା। ବୋତଲଟି ସବୁଜ ରଙ୍ଗର ହୋଇଥିବାରୁ ସେଥିରେ ଏସିଡ୍ କି ପାଣି ଥିଲା ତାହା ଛାତ୍ରୀ ଜଣକ ଜାଣି ନ ପାରି ସ୍କୁଲ ଧରି ଚାଲିଆସିଥିଲେ। ତେବେ ମଧ୍ୟାହ୍ନ ସମୟରେ ସେ ସଞ୍ଜନାଙ୍କ ସହ ମିଶି ମଧ୍ୟାହ୍ନଭୋଜନ କରିଥିଲେ। ଏହି ସମୟରେ ସଞ୍ଜନା ପାଣି ଭାବି ସମ୍ପୃକ୍ତ ଛାତ୍ରୀଙ୍କ ବୋତଲ ଖୋଲି ପିଇଦେଇଥିଲେ। ଏହାପରେ ତାଙ୍କ ତଣ୍ଟି ଏବଂ ପେଟ ଜଳାପୋଡ଼ା ହେବା ସହ ସେ ଚିତ୍କାର କରିଥିଲେ। ସ୍କୁଲ କର୍ମଚାରୀମାନେ ତୁରନ୍ତ ତାଙ୍କୁ ଗୁରୁ ତେଜ ବାହାରଦୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।



