www.samajalive.in
Sunday, December 7, 2025
13.1 C
Bhubaneswar

ଜାତୀୟସ୍ତରରେ କଟକ ଦହିବରା ନମ୍ବର-୧

କଟକ : (ସୁଧାଂଶୁ ଆଚାର୍ଯ୍ୟ): କଟକର ପ୍ରସିଦ୍ଧ ଦହିବରା ଆଳୁଦମ ଜାତୀୟସ୍ତରରେ ପ୍ରଥମ ହୋଇଛି । ଦିଲ୍ଲୀରେ ଅନୁଷ୍ଠିତ ୧୧ତମ ‘ଜାତୀୟ ଷ୍ଟ୍ରିଟ୍‌ଫୁଡ୍ ଫେଷ୍ଟିଭାଲ-୨୦୧୯’ରେ କଟକର ଦହିବରା ଆଳୁଦମକୁ ପ୍ରଥମ ପୁରସ୍କାର ମିଳିଛି; ଆଉ ଏହି ପୁରସ୍କାର ହାତେଇଛନ୍ତି କଟକର ଦହିବରା ବ୍ୟବସାୟୀ ପ୍ରଦୀପ୍ତ କୁମାର ସାହୁ (ବାବୁଲା)। ବାବୁଲା ଏହି ଫେଷ୍ଟିଭାଲରେ ଅଂଶଗ୍ରହଣ କରି ଦହିବରା ଆଳୁଦମକୁ ୧ ନମ୍ବର କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଗତ ଡିସେମ୍ବରରେ ସମଗ୍ର ଦେଶରୁ ବିଭିନ୍ନ ରାସ୍ତାକଡ଼ ଖାଦ୍ୟକୁ ନେଇ ୨୯ ଜଣ ପ୍ରତିଯୋଗୀ ୨୫୦ ଷ୍ଟଲ ପକାଇଥିଲେ। ଏଥିମଧ୍ୟରୁ କଟକର ଦହିବରା ଆଳୁଦମ୍‌ର ସ୍ବାଦ ଓ ଦର୍ଶକଙ୍କ ଆକର୍ଷଣ ଦେଖି ଜୁରି ମେମ୍ବର ଦହିବରା ଆଳୁଦମକୁ ପ୍ରଥମ କରିଥିଲେ। ଜାତୀୟସ୍ତରରେ ଓଡ଼ିଶାକୁ ୧ ନମ୍ବର କରାଇ ରାଜ୍ୟକୁ ଗର୍ବ ଆଣିଦେଇଛନ୍ତି ବାବୁଲା। ଦୀର୍ଘ ୩୦ ବର୍ଷ ଧରି ସେ ଦହିବରା ବେପାର କରିଆସୁଛନ୍ତି। ୧୪ ବର୍ଷ ବୟସରୁ ପରିବାରର ଆର୍ଥିକ ସ୍ଥିତି ଦୃଢ଼ କରିବା ପାଇଁ ସେ ଚାଲିଆସିଥିଲେ କଟକ। ଆଉ ବାଛି ନେଇଥିଲେ ଦହିବରା ଆଳୁଦମ ବ୍ୟବସାୟ। ଏବେ ଏହି ଦହିବରା ତାଙ୍କୁ ପ୍ରସିଦ୍ଧି ଆଣିଦେଇଛି। ସେ କଟକ ସେଲଟରଛକ ଷ୍ଟେଟ ବ୍ୟାଙ୍କ ସାମ୍ନାରେ ବ୍ୟବସାୟ କରୁଛନ୍ତି। ଦିଲ୍ଲୀଯାତ୍ରା ଓ ସେଠାରେ ଦହିବରା ପ୍ରତି ଲୋକଙ୍କ ଆକର୍ଷଣ ସଂକ୍ରାନ୍ତରେ ବାବୁଲା ଯାହା କହନ୍ତି…।
ଦିଲ୍ଲୀର ଷ୍ଟ୍ରିଟ୍‌ଫୁଡ ଫେଷ୍ଟିଭାଲ କେମିତି ଡାକରା ଆସିଲା ?
-ଜାତୀୟ ଷ୍ଟ୍ରିଟ୍‌ଫୁଡ୍ ଫେଷ୍ଟିଭାଲରେ ଅଂଶଗ୍ରହଣ ପାଇଁ ମୋତେ ସେମାନେ ଡାକିଥିଲେ। ୨୦୦୪ରେ କଟକରେ ଅନୁଷ୍ଠିତ ଦହିବରା ପ୍ରତିଯୋଗିତାରେ ମୁଁ  ପ୍ରଥମ ହୋଇଥିଲି। ୟ୍ୟୁ-ଟ୍ୟୁବ୍‌ରେ ସେମାନେ ମୋ ଦହିବରା ପ୍ରସ୍ତୁତି ସଂକ୍ରାନ୍ତରେ ସୂଚନା ନେଇଥିଲେ। ତେଣୁ ଷ୍ଟ୍ରିଟ୍‌ଫୁଡ ଫେଷ୍ଟିଭାଲରେ ଭାଗ ନେବା ପାଇଁ ଅନୁରୋଧ କରିଥିଲେ।
ଷ୍ଟଲରେ ଦହିବରା କିଭଳି ପ୍ରସ୍ତୁତ କଲେ ?
-ଦହିବରା ଆଳୁଦମ ପ୍ରସ୍ତୁତ ପାଇଁ ସମସ୍ତ ସାମଗ୍ରୀ ଆମକୁ ଯୋଗାଇ ଦିଆଯାଇଥିଲା। ମୋର ପ୍ରଥମ ଲକ୍ଷ୍ୟ ଥିଲା ଦହିବରା ଆଳୁଦମ କିଭଳି ସ୍ବାଦିଷ୍ଟ ହେବ। ସାମଗ୍ରୀ ମିଳିବା ପରେ ଆମେ ସେଠାରେ ଖାଦ୍ୟ ପ୍ରସ୍ତୁତ କଲୁ। ସମସ୍ତେ ଖାଇବା ପରେ ସ୍ବାଦକୁ ଅନୁଭବ କରି ଓଡ଼ିଶା ୧ ନମ୍ବର ହେଲା ବୋଲି ଘୋଷଣା କରିଥିଲେ।
ଦହିବରା ଖାଇବା ପରେ ଲୋକଙ୍କ ମତ କ’ଣ ଥିଲା ?
-ଷ୍ଟଲରେ ଦହିବରା ଆଳୁଦମ ଖାଇବା ପାଇଁ ଅହେତୁକ ଭାବେ ଭିଡ଼ ହୋଇଥିଲା। ସେମାନେ ବି ଏହି ଖାଦ୍ୟ ଖାଇବା ପରେ ଦହିବରା ସ୍ବାଦକୁ ଭୁରିଭୁରି ପ୍ରଶଂସା କରିଥିଲେ। ଏହି ଖାଦ୍ୟ କିଭଳି ପ୍ରସ୍ତୁତ ହୁଏ ଓ କେଉଁଠିକାର ଖାଦ୍ୟ ବୋଲି ପଚାରୁଥିଲେ। ପରେ ଜୁରି ମେମ୍ବରମାନେ ଦହିବରାକୁ ଚାଖିଥିଲେ। ଏହାପରେ ଦହିବରା ଆଳୁଦମ ପ୍ରଥମ ବୋଲି ଘୋଷଣା କରିଥିଲେ।
ଦୈନିକ କିଭଳି ଦହିବରା ପ୍ରସ୍ତୁତ କରନ୍ତି ?
-ଦୈନିକ ସକାଳ ୫ଟାରୁ ପ୍ରସ୍ତୁତିରେ ଲାଗିଯାଉ। ଏଥିରେ ମୋ ପତ୍ନୀଙ୍କ ସହିତ ପୁଅ ଓ ଆଉ ଦୁଇଜଣ ସହଯୋଗ କରନ୍ତି। ଅପରାହ୍ଣ ୪ଟାରୁ ବିକ୍ରି ଆରମ୍ଭ ହୋଇଥାଏ। ଏବେ ଦୁଇଘଣ୍ଟା ଭିତରେ ହାଣ୍ଡି ଶେଷ ହୋଇଯାଉଛି।
ଦହିବରା ବ୍ୟବସାୟ କାହିଁକି କଲେ ?
-ଖୋର୍ଦ୍ଧାରେ ମୋର ଘର; କଟକର ଶିବାଜି ନଗରରେ ରହୁଛି। ୧୪ ବର୍ଷ ବୟସରେ ଏହି ବ୍ୟବସାୟ କରିବାକୁ ବାଧ୍ୟ ହେଲି। ବେଗୁନିଆ ସ୍କୁଲରେ ମୁଁ ମେଧା ବିଦ୍ୟାର୍ଥୀ ଥିଲି। ତେବେ ପରିବାରରେ ଆର୍ଥିକ ସ୍ଥିତି ଖରାପ ସାଙ୍ଗକୁ ବଡ଼ ଭଉଣୀ ବାହାଘର ପାଇଁ ଅର୍ଥ ଆବଶ୍ୟକ ପଡ଼ିଲା। ଏଇଠୁ ହିଁ ମୋର ଦହିବରା ବ୍ୟବସାୟ କରିବାକୁ ମନସ୍ଥ କଲି, ବାସ୍‌ ସେବେଠାରୁ ୩୦ ବର୍ଷ ହେଇଗଲାଣି। ଏହି ବ୍ୟବସାୟରେ ଏବେ ମୁଁ ବହୁତ ଖୁସି ଅଛି। ଆଉ ପୁରସ୍କାର ପାଇ ଆହୁରି ଖୁସି ଲାଗୁଛି।
ଶ୍ରେୟ କାହାକୁ ଦେବେ ?
-ମୋର ପତ୍ନୀ ମଲ୍ଲିକାରାଣୀ ସାହୁ, ପୁଅ ଓ ଅନ୍ୟ ଦୁଇଜଣ ସହଯୋଗ କରନ୍ତି। ସେମାନଙ୍କୁ ସମସ୍ତ ଶ୍ରେୟ ଯାଉଛି। ବାଙ୍ଗାଲୋର, ବିଳାସପୁର ଭଳି ସ୍ଥାନକୁ ଦହିବରା ପ୍ରସ୍ତୁତି ପ୍ରଶିକ୍ଷଣ ପାଇଁ ଡାକରା ଆସିବା ପରେ ମୁଁ ପ୍ରଶିକ୍ଷଣ ଦେବାକୁ ଯାଇଥାଏ।
ଆଗକୁ ଲକ୍ଷ୍ୟ କ’ଣ ଅଛି ?
-କଟକର ପ୍ରସିଦ୍ଧ ଦହିବରା ଆଳୁଦମକୁ ଜାତୀୟସ୍ତରରେ ପ୍ରସିଦ୍ଧି ଅର୍ଜନ କରାଇବା। ଆଉ ଏଥିପାଇଁ ମୁଁ ଉଦ୍ୟମ ମଧ୍ୟ କରୁଛି। କିନ୍ତୁ ସରକାରୀସ୍ତରରେ ଯଦି ମୋତେ ଏକ ଭେଣ୍ଡିଂଜୋନ ଦିଆଯାଆନ୍ତା ତେବେ ମୁଁ ଆହୁରି ଭଲ ବ୍ୟବସାୟ କରି ମୋ ଲକ୍ଷ୍ୟ ପଥରେ ଆଗେଇ ଚାଲନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories