କଲକାତା: କୁହାଯାଏ ଚୋରି ପାଇଁ ବୁଦ୍ଧିର ଆବଶ୍ୟକ ଅଧିକ। ଚୋରି କରିବା ପାଇଁ ସାଜିଦ୍ ହୁସେନ୍ ନାମକ ଜଣେ ଯୁବକ ଏକ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି। ସମ୍ଭ୍ରାନ୍ତ ଭାବରେ ଚୋରି କରିବା ପାଇଁ ସେ ବିଭିନ୍ନ ବିମାନବନ୍ଦରକୁ ବାଛି ନେଇଥିଲେ। ଏଥିପାଇଁ ସେ ଶସ୍ତା ଓ ଫେରସ୍ତ କରାଯାଇପାରୁଥିବା ବିମାନ ଟିକେଟ୍ କିଣି ଟର୍ମିନାଲ୍ ଭିତରକୁ ଯାଉଥିଲେ। ଧାଡ଼ିରେ ଠିଆ ହେବା ସମୟରେ ଓ ଭିଡ଼ର ସୁଯୋଗ ନେଇ ସେ ଯାତ୍ରୀଙ୍କଠାରୁ ମନିପର୍ସ ଓ ମୋବାଇଲ ଆଦି ଚୋରି କରି ନେଉଥିଲେ। ଏହାପରେ ପୋଷାକ ପରିବର୍ତ୍ତନ କରି ବିମାନରେ ଚାଲି ଯାଉଥିଲେ କିମ୍ବା ବିମାନ ଯାତ୍ରା ବାତିଲ କରି ଟର୍ମିନାଲ ବାହାରକୁ ଚାଲି ଆସୁଥିଲେ।
ଝାଡ଼ଖଣ୍ଡ ମଧୁପୁର ଅଞ୍ଚଳର ଏହି ବ୍ୟକ୍ତି ଜଣକ ସୋମବାର କଲକାତା ବିମାନବନ୍ଦରରୁ ଗିରଫ ହୋଇଛନ୍ତି। ତାଙ୍କଠାରୁ ସୁନା ଚେନ୍, କାନଫୁଲ ଓ ନଗଦ ୩୫୦୦ ଟଙ୍କା ଜବତ କରାଯାଇଛି। କଲକାତାରୁ କୋଚି ଯାଉଥିବା ଜଣେ ଯାତ୍ରୀଙ୍କଠାରୁ ସେ ଚୋରି କରିବା ପରେ ଅଭିଯୋଗ ଆଧାରରେ ସିଆଇଏସ୍ଏଫ୍ ସିସିଟିଭି ଯାଞ୍ଚ କରିଥିଲା। ଏହାପରେ ତାଙ୍କ କାରନାମା ପଦାକୁ ଆସିଥିଲା। ପ୍ରଥମେ ଫୁଟେଜ୍ ଯାଞ୍ଚ ବେଳେ କିଛି ଜଣାପଡ଼ିନଥିଲା। କିଛି ସମୟ ପରେ ବିମାନବନ୍ଦର କର୍ମଚାରୀମାନେ ଏକ ଖାଲି ମନିପର୍ସ ଆଣି କର୍ତ୍ତୃପକ୍ଷଙ୍କୁ ଦେଇଥିଲେ। ଯେଉଁ ସ୍ଥାନରୁ ମନି ପର୍ସ ମିିଳିଥିଲା ସେହି ସ୍ଥାନର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିଲା। ଜଣେ ବ୍ୟକ୍ତି ମନିପର୍ସ ପଡ଼ିଥିବା ସ୍ଥାନରୁ ଶୌଚାଳୟକୁ ଯାଇଥିବା ଏବଂ ସେଠାରୁ ପୁଣି ଆଉ ଏକ ସାର୍ଟ ପିନ୍ଧି ବାହାରିବା ସିସିଟିଭି ଫୁଟେଜ୍ରୁ ଦେଖାଯିବା ପରେ ସନ୍ଦେହରେ ହୁସେନ୍ଙ୍କୁ ପଚରାଉଚରା କରାଯାଇଥିଲା। ଏହାପରେ ହୁସେନ୍ଙ୍କୁ ପୁଲିସ ଜିମା ଦିଆଯାଇଥିଲା।
ଚୋରି ପାଇଁ ବିମାନ ଟିକେଟ୍ କିଣୁଥିଲେ ଏହି ବ୍ୟକ୍ତି
Popular Categories



