ଭୁବନେଶ୍ବର: ରାଜ୍ୟରେ ୫ ବର୍ଷ ଭିତରେ ୩୦ ହଜାର କି.ମି. ରାସ୍ତା ଓ ୫୦୦ ସେତୁ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ବିଭିନ୍ନ ଯୋଜନା ଓ ବଜେଟ୍ ମାଧ୍ୟମରେ ବିଭାଗକୁ ମିଳୁଥିବା ଅର୍ଥର ଶତପ୍ରତିଶତ ଉପଯୋଗ କରି ରାଜ୍ୟବାସୀଙ୍କୁ ଉନ୍ନତମାନର ଗମନାଗମନ ସୁବିଧା ଯୋଗାଇ ଦିଆଯିବ। ପାହାଡ଼ିଆ ଅଞ୍ଚଳରେ ଉତ୍ତମମାନର ରାସ୍ତା ନିର୍ମାଣ କରିବା ଓ ନିମ୍ନମାନର କାମ କରୁଥିବା ଠିକାଦାର ଓ ଦାୟିତ୍ବରେ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦେଶ ଦେଇଥିଲେ। ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଉଥିବା ଠିକାଦାରଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ।
ବୈଠକରୁ ଜଣାପଡ଼ିଛି ଯେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସ୍ୱାଇ)ରେ ଅଦ୍ୟାବଧି ଅନୁମୋଦନ ପ୍ରାପ୍ତ ୭୩,୯୮୪.୮୮ କି.ମି. ରାସ୍ତା ମଧ୍ୟରୁ ୭୦,୭୧୧.୨୪ କି.ମି. ରାସ୍ତା ନିର୍ମାଣ କରି ଓଡ଼ିଶା ଭାରତବର୍ଷରେ ଚତୁର୍ଥ ସ୍ଥାନ ହାସଲ କରିଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ, ଆକାଂକ୍ଷୀ ବ୍ଲକ, ନକ୍ସଲ ପ୍ରଭାବିତ ଅଞ୍ଚଳରେ ସଡ଼କ ଓ ସେତୁ ନିର୍ମାଣ କରାଯିବ। ଚତୁର୍ଥ ପର୍ଯ୍ୟାୟରେ ୧,୦୨୧ଟି ଯୋଗାଯୋଗ ବିହୀନ ଜନବସତି ପାଇଁ ୯୪୨ଟି ସଡ଼କ ଓ ୮ଟି ସେତୁ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ସେହିଭଳି ୧୦୦ରୁ ଅଧିକ ପିଭିଟିଜି ବର୍ଗର ଜନବସତିଗୁଡ଼ିକର ସଂଯୋଗୀକରଣ ପାଇଁ ପିଏମ୍ ଜନମନ୍ ଯୋଜନାରେ ୭୩ଟି ଗ୍ରାମରେ ୬୬ଟି ରାସ୍ତା ଓ ୪ଟି ସେତୁ ନିର୍ମାଣକୁ ମଞ୍ଜୁରି ମିଳିଛି।
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ୪୫୦୦.୩୦ କି.ମି. ରାସ୍ତା ନିର୍ମାଣ କରାଯାଇଥିବା ବେଳେ ୨୦୨୫-୨୬ ଆର୍ଥିକ ବର୍ଷରେ ୩୪୬୯.୯୪ କୋଟି ଟଙ୍କା ବ୍ୟୟବରାଦରେ ୫୦୦୦ କି.ମି. ରାସ୍ତା ନିର୍ମାଣ ପାଇଁ ବ୍ୟବସ୍ଥା କରାଯାଇଛି। ସେତୁ ବନ୍ଧନ ଯୋଜନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ୧୮୬ଟି ସେତୁ ନିର୍ମାଣ କରାଯାଇଥିବା ବେଳେ ୨୦୨୫-୨୬ ଆର୍ଥିକ ବର୍ଷରେ ୩୦୦ଟି ସେତୁ ନିର୍ମାଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଏଥିସହିତ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳର ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟରେ ଛାତ୍ରାବାସ, ମହାବିଦ୍ୟାଳୟ ଗୃହ ନିର୍ମାଣ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ନିର୍ମାଣ, ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ, କଲ୍ୟାଣ ମଣ୍ଡପ ଇତ୍ୟାଦି ନିର୍ମାଣ କାର୍ଯ୍ୟ ମଧ୍ୟ ଜାରି ରହିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ବିଭାଗ ପକ୍ଷରୁ ୪୫୧ଟି କୋଠାବାଡ଼ି ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ୨୦୨୫-୨୬ ଆର୍ଥିକ ବର୍ଷରେ ୧୨୨୯ଟି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି।



