ଭୁବନେଶ୍ଵର: ମଧ୍ୟପ୍ରଦେଶରେ କଫ୍ ସିରପ୍ ଖାଇ ଶିଶୁ ମୃତ୍ୟୁ ଘଟଣା ସାମ୍ନାକୁ ଆସିବା ପରେ ଆକ୍ସନ ମୋଡରେ କେନ୍ଦ୍ର ଓ ରାଜ୍ୟ ସରକାର। ତାମିଲନାଡୁରୁ ଓଡ଼ିଶା ସହ ୪ଟି ରାଜ୍ୟକୁ ଆସିଥିଲା ଏହି ଘାତକ ‘କୋଲଡ୍ରିଫ’ କଫ୍ ସିରପ୍। ମଧ୍ୟପ୍ରଦେଶ ଘଟଣା ପରେ କେନ୍ଦ୍ର ସରକାର ସତର୍କତା ମୂଳକ ମାର୍ଗଦର୍ଶିକା ଜାରି କରିଛନ୍ତି। ସେପଟେ ଘଟଣାକୁ ନେଇ ରାଜ୍ୟ ଭେଷଜ ନିୟନ୍ତ୍ରକ ତତ୍ପରତା ପ୍ରକାଶ କରିଚନ୍ତି। ପିଲାଙ୍କୁ କଫ ସିରପ ନ ଦେବା ଲାଗି ପରାମର୍ଶ ଦିଆଯାଇଛି।
ରାଜ୍ୟ ଭେଷଜ ନିୟନ୍ତ୍ରକ ମାମିନା ପଟ୍ଟନାୟକ କହିଛନ୍ତି ଯେ, “ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ତାମିଲନାଡୁର ପୁଡୁଚେରୀ ସମେତ ଓଡ଼ିଶାର ବରଗଡ଼ ଜିଲ୍ଲାକୁ ଗତ ଅଗଷ୍ଟ ମାସରେ ଏହି କଫ୍ ସିରପ୍ ଆସିଥିଲା। ବରଗଡ଼କୁ ୧୩୦ଟି କଫ୍ ସିରପ୍ ଆସିଥିଲା। ମାତ୍ର ହୋଲସେଲରେ ହିଁ ଆମେ ଫର୍ମ ୧୫ ଆଧାରରେ ସେସବୁ ଔଷଧକୁ ଫ୍ରିଜ୍ କରିଦେଇଛୁ। ସେ ଔଷଧ କେଉଁଠାରେ ବି ଡିଷ୍ଟ୍ରିବ୍ୟୁଟ୍ ହୋଇନି କି କେହି ମଧ୍ୟ ବ୍ୟବହାର କରିନାହାନ୍ତି କି ସେବନ କରିନାହାନ୍ତି। ପ୍ରତି ଏଲୋପାଥିକ ଔଷଧର ପାର୍ଶ୍ବପ୍ରତିକ୍ରିୟା ଅଛି। ଏହି ଔଷଧରେ ଡାଇଥେଲ ଗାଏକୋଲ ରହୁଛି, ଯେଉଁଥିପାଇଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। କେନ୍ଦ୍ର ସରକାର ଜାରି କରିଥିବା ମାର୍ଗଦର୍ଶିକା ମୁତାବକ ଆମେ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ନେଇଛୁ। ଏନେଇ ଏକ ଟାସ୍କ ଫୋର୍ସ ଯାଞ୍ଚ କରୁଛନ୍ତି। ରାଜ୍ୟର କେମିଷ୍ଟ ଏବଂ ଡ୍ରଗିଷ୍ଟମାନଙ୍କ ସହ ଆମେ ଆଲୋଚନା କରିଛୁ,” ବୋଲି କହିଛନ୍ତି ରାଜ୍ୟ ଭେଷଜ ନିୟନ୍ତ୍ରକ।
ଏହା ସହ ସେ ଆହୁରି କହିଛନ୍ତି ଯେ, “ତାମିଲନାଡୁରୁ ଓଡ଼ିଶା ସହ ୪ଟି ରାଜ୍ୟକୁ ଏହି କଫ୍ ସିରପ୍ ଆସିଥିଲା। ମଧ୍ୟପ୍ରଦେଶ ଘଟଣା ପରେ କେନ୍ଦ୍ର ସରକାର ସତର୍କତା ମୂଳକ ମାର୍ଗଦର୍ଶିକା ଜାରି କରିଛନ୍ତି। ୨ ବର୍ଷରୁ କମ୍ ପିଲାଙ୍କୁ କଫ୍ ସିରପ୍ ସମ୍ପୂର୍ଣ୍ଣ ବ୍ୟାନ କରାଯାଇ ନାହିଁ। ଡାକ୍ତରଙ୍କ ପରାମର୍ଶ ନେଇ ଦେଇ ପାରିବେ। ଲୋକଲ ମାନ୍ୟୁଫାକ୍ଚର କମ୍ପାନୀଙ୍କ ସହ ବୈଠକ କରାଯାଇଛି। ସମସ୍ତଙ୍କୁ ସତର୍କ ରହିବାକୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ଆମ ରାଜ୍ୟରେ କଫ୍ ସିରଫକୁ ନେଇ କୌଣସି ପାର୍ଶ୍ବ ପ୍ରତିକ୍ରିୟା ହୋଇନାହିଁ। ତାହା ସହ ଆମେ ଟାକ୍ସ ଫୋର୍ସ ସହାୟତାରେ ଚଢ଼ାଉ ଜାରି ରଖିଛୁ ଏବଂ ଏହା ଆଗକୁ ରହିବ,” ବୋଲି ରାଜ୍ୟ ଭେଷଜ ନିୟନ୍ତ୍ରକ ମାମିନା ପଟ୍ଟନାୟକ କହିଛନ୍ତି।
ଏ ନେଇ ଶିଶୁ ସ୍ୱାସ୍ଥ୍ୟ ବିଶେଷାଜ୍ଞ ଜାନକୀ ବଲ୍ଲବ ପଟ୍ଟନାୟକଙ୍କ କହିବା ହେଲା ଯେ, “ଆମେ ପ୍ରଥମେ ଜାଣିବା ଆବଶ୍ୟକ ଯେ କଫ୍ ସିରପ୍ ପିଲାଙ୍କୁ କାହିଁକି ଦିଆଯାଏ ଏବଂ କେଉଁ ପରିସ୍ଥିତିରେ ଦିଆଯାଉଛି। ବିଶେଷ ଭାବେ ଥଣ୍ଡା ଓ କାଶ ପାଇଁ ଏହାକୁ ଦିଆଯାଇଥାଏ। ଶିଶୁଙ୍କୁ ଆଲର୍ଜି ହୋଇଥିଲେ ମଧ୍ୟ ଦିଆଯାଇଥାଏ। ଏପଟେ କଫ ହୋଇଥିଲେ ମଧ୍ୟ ଶିଶୁଙ୍କୁ ଦିଆଯାଇଥାଏ କଫ୍ସିରପ୍। କିନ୍ତୁ ବାରମ୍ବାର ଏହି କଫ୍ ସିରପ୍ ଦେଲେ ପିଲାମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ। ଯାହା ଫଳରେ ନିମୋନିଆ ଓ ଭାଇରାଲ କରେଇ ଦେଇଥାଏ।”
କ’ଣ ରହିଛି କେନ୍ଦ୍ରର ପରାମର୍ଶ ?
ଶିଶୁ ଚିକିତ୍ସାରେ ଔଷଧ ବ୍ୟବହାର ଉପରେ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଡାକ୍ତରମାନେ ପିଲାମାନଙ୍କ ପାଇଁ କାଶ ସିରପ୍ ଠିକ ଭାବେ ଲେଖିବା ଏବଂ ବଣ୍ଟନ କରିବା ଉପରେ ଦୃଷ୍ଟି ଦେବା ଆବଶ୍ୟକ। ପିଲାମାନଙ୍କ ମଧ୍ୟରେ ଅଧିକାଂଶଙ୍କଠାରେ ତୀବ୍ର କାଶ ରୋଗ ହୋଇଥାଏ। କାଶ ଏବଂ ଥଣ୍ଡା ଔଷଧ ୨ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଦିଆଯାଇପାରିବ ନାହିଁ କିମ୍ବା ଦିଆଯିବା ଉଚିତ୍ ନୁହେଁ। ଏଗୁଡ଼ିକ ସାଧାରଣତଃ ୫ ବର୍ଷରୁ କମ୍ ବୟସ ଏବଂ ତା’ଠାରୁ ଅଧିକ ବୟସର ପିଲାମାନଙ୍କ ପାଇଁ ସୁପାରିସ କରାଯାଏ। ଯେକୌଣସି ବ୍ୟବହାର ପାଇଁ ସତର୍କତାର ସହିତ କ୍ଲିନିକାଲ୍ ମୂଲ୍ୟାଙ୍କନ କରାଯିବା ଉଚିତ। ଏହା ସହିତ ଅନୁରୋଧ କରାଯାଉଛି ଯେ, ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଏବଂ ଆପଣଙ୍କ ଅଧିକାର କ୍ଷେତ୍ର ଅନ୍ତର୍ଗତ ସମସ୍ତ କ୍ଲିନିକାଲ୍ ପ୍ରତିଷ୍ଠାନ/ସ୍ୱାସ୍ଥ୍ୟସେବା ସୁବିଧା ସରକାରୀ ଡିସପେନସାରୀ, ପିଏଚସି, ସିଏଚସି, ଜିଲ୍ଲା ହସ୍ପିଟାଲ ଏବଂ ଚିକିତ୍ସା ପ୍ରତିଷ୍ଠାନଗୁଡ଼ିକରେ ଏହି ପରାମର୍ଶକୁ କାର୍ଯ୍ୟକାରୀ ଏବଂ ପ୍ରସାରିତ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ କହିଛି।

ତାମିଲନାଡୁ ସରକାର ଶ୍ରୀସାନ ଫାର୍ମାସ୍ୟୁଟିକାଲ ଦ୍ୱାରା ନିର୍ମିତ କଫ୍ ସିରପ୍ କୋଲଡ୍ରିଫ୍ ବିକ୍ରୟ ଉପରେ ତୁରନ୍ତ ନିଷେଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଔଷଧ ନିୟନ୍ତ୍ରଣ ବିଭାଗ କୋଲଡ୍ରିଫ୍ ସିରପ୍, ବ୍ୟାଚ୍ ନମ୍ବର ଏସଆର-୧୩ (ନିର୍ମାଣ ତାରିଖ ମେ ୨୦୨୫, ଅବଧି ଏପ୍ରିଲ ୨୦୨୭) ସମ୍ପର୍କରେ ତୁରନ୍ତ ନିୟାମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହାର ଫର୍ମୁଲେସନ୍ ହେଉଛି ପାରାସିଟାମୋଲ୍, ଫେନାଇଲେଫ୍ରାଇନ୍ ହାଇଡ୍ରୋକ୍ଲୋରାଇଡ୍, କ୍ଲୋରଫେନିରାମାଇନ୍ ମାଲେଏଟ୍ ସିରପ୍। ଏହି ସିରପ୍ ବ୍ୟାଚ୍ ଶ୍ରୀସାନ ଫାର୍ମାସ୍ୟୁଟିକାଲସ୍, ବିଲଡିଂ ନମ୍ବର ୭୮୭, ବାଙ୍ଗାଲୋର ହାଇୱେ, ସୁଙ୍ଗୁଭାରଚାଥିରାମ, କାଞ୍ଚିପୁରମ୍ ଜିଲ୍ଲା, ତାମିଲନାଡୁ-୬୦୨୧୦୬ରେ ନିର୍ମିତ ହୋଇଥିଲା।
ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ, ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲ୍ଲାରେ ୧ରୁ ୭ ବର୍ଷ ବୟସର ୬ ଜଣ ଶିଶୁଙ୍କ ମୃତ୍ୟୁ ପାଇଁ କୋଲଡ୍ରିଫ୍ ସିରପ୍ (ବ୍ୟାଚ୍ ନମ୍ବର ଏସଆର-୧୩)ର ସନ୍ଦେହଜନକ ଭୂମିକା ସମ୍ପର୍କରେ ତାମିଲନାଡୁ ସରକାର ୧ ଅକ୍ଟୋବର ୨୦୨୫ରେ ମଧ୍ୟପ୍ରଦେଶ ଡ୍ରଗ୍ସ କଣ୍ଟ୍ରୋଲ୍ ଅଥରିଟିଙ୍କଠାରୁ ସୂଚନା ପାଇଥିଲେ। ପିଲାମାନଙ୍କର ହଠାତ୍ କିଡନୀ ଫେଲ୍ ହୋଇଥିବାର ଖବର ମିଳିଛି ଏବଂ ପ୍ରାଥମିକ ବିଷ ବିଜ୍ଞାନ ସିରପ୍ରେ ଡାଇଥଲିନ୍ ଗ୍ଲାଇକଲ୍ (ଡିଇଜି) ସଂକ୍ରମଣ ପ୍ରକାଶ କରିଛି। ଏହାର ଅର୍ଥ ହେଉଛି କଫ୍ ସିରପ୍ ଦୂଷିତ ଥିଲା।



