ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ମାମଲା ଖାରଜ, ଜାରି ରହିବ ଉଚ୍ଛେଦ

ନୂଆଦିଲ୍ଲୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦକୁ ବିରୋଧ କରି ସୁପ୍ରିମକୋର୍ଟରେ ଦାୟର ହୋଇଥିବା ପିଟିଶନ ଖାରଜ ହୋଇଯାଇଛି। ଫଳରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ କାର୍ଯ୍ୟ ଜାରି ରହିବ। ଆମିକସ୍‌ କ୍ୟୁରି ଓ ସଲିସିଟର୍‌ ଜେନେରାଲ ପୁରୀ ଆସି ସ୍ଥିତି ପରଖିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ପୁରୀ ଆସିବାକୁ ଉଭୟ ସମ୍ମତି ପ୍ରକାଶ କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ୧୭ରେ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷର ଓକିଲ ଶ୍ୱେତକେନ୍ଦୁ ମିଶ୍ର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ମେଘନାଦ ପାଚେରୀର ୭୫ ମିଟର ପରିଧି ମଧ୍ୟରେ ଥିବା ସମସ୍ତ କୋଠା, ମଠ, ଦୋକାନକୁ ଉଚ୍ଛେଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଏହାକୁ ବିରୋଧ କରି ଇଣ୍ଟର କଣ୍ଟିନେଣ୍ଟାଲ ଲୟର୍ସ ଆସୋସିଏସନ୍‌ର ଦେବାଶିଷ ମିଶ୍ର ଏବଂ ଚେନ୍ନାଇର ଏକ ଏନ୍‌ଜିଓର ଜଣେ କର୍ମକର୍ତ୍ତା ଅରବିନ୍ଦ ଲୋଚନ୍ନା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଲଗାଇବାକୁ ସେମାନେ ପୃଥକ ପୃଥକ ଭାବେ ଆବେଦନ କରି ଅନୁରୋଧ କରିଥିଲେ । ଏହି ଆବେଦନକୁ ଖାରଜ କରିବାକୁ ଆଡଭୋକେଟ୍‌ ଜେନେରାଲ କୋର୍ଟଙ୍କୁ ଅନୁରୋଧ କରିଥିଲେ । ଜଷ୍ଟିସ ବି.ପି. ଦାସଙ୍କ କମିଶନର ସୁପାରିଶ ଅନୁସାରେ ଉଚ୍ଛେଦ କରାଯାଉଥିବା ଏଜି ପକ୍ଷ ରଖିଥିଲେ । ଏହା ଆଇନ ଅନୁଯାୟୀ କରାଯାଉଛି । ଏହା ସହ ଆମିକସ୍‌ କ୍ୟୁରି ଓ ସଲିସିଟର୍‌ ଜେନେରାଲଙ୍କୁ ପୁରୀ ଆସି ସ୍ଥିତି ପରଖିବାକୁ ଆମନ୍ତ୍ରଣ କରିଥିଲେ । ଏଥିରେ ସୁପ୍ରିମକୋର୍ଟ ରାଜି ହୋଇ ଉଭୟଙ୍କୁ ପୁରୀ ଆସିବା ପାଇଁ ପରାମର୍ଶ ଦେଇଛନ୍ତି । ଆସନ୍ତା ୯ ଓ ୧୦ରେ ପୁରୀ ଆସିବାକୁ ଉଭୟ ସମ୍ମତି ପ୍ରକାଶ କରିଛନ୍ତି। ସେପ୍ଟେମ୍ବର ୧୭ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି ।

Comments are closed.