ନୂଆଦିଲ୍ଲୀ: ବିସିସିଆଇ ବରିଷ୍ଠ ମନୋନୟନ କମିଟିର ନୂତନ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଅଜିତ ଅଗରକର। ଅଶୋକ ମାଲହୋତ୍ରା, ଯତିନ ପରାଞ୍ଜ୍ପେ ଓ ସୁଲକ୍ଷଣା ନାଏକଙ୍କୁ ନେଇ ଗଠିତ ବିସିସିଆଇର କ୍ରିକେଟ ପରାମର୍ଶଦାତା କମିଟି (ସିଏସି) ସର୍ବସମ୍ମତ ଭାବେ ଅଗରକରଙ୍କୁ ମନୋନୟନ କମିଟିର ଅଧ୍ୟକ୍ଷ ବାଛିଛନ୍ତି। ଫେବୃଆରୀରେ ଚେତନ ଶର୍ମା ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଉକ୍ତ ପଦ ଖାଲି ପଡ଼ିଥିଲା। କେନ୍ଦ୍ରାଞ୍ଚଳର ପ୍ରତିନିଧି ଓଡ଼ିଶାର ଶିବସୁନ୍ଦର ଦାସ ଅନ୍ତରୀଣ ଅଧ୍ୟକ୍ଷ ଦାୟିତ୍ବ ତୁଲାଉଥିଲେ। ଅଗରକର ବିସିସିଆଇ ବରିଷ୍ଠ ମନୋନୟନ କମିଟିର ୫ମ ସଦସ୍ୟ ହୋଇଛନ୍ତି। ଶିବସୁନ୍ଦର, ସଲିଲ ଆଙ୍କୋଲା, ସୁବ୍ରତ ବାନାର୍ଜୀ ଓ ଏସ୍. ଶରତ କମିଟିର ଅନ୍ୟ ୪ ଜଣ ସଦସ୍ୟ ରହିଛନ୍ତି।
ଅଗରକରଙ୍କ ନିଯୁକ୍ତି ସହ କମିଟିରେ ପଶ୍ଚିମାଞ୍ଚଳରୁ ୨ ସଦସ୍ୟ ରହିଛନ୍ତି। ସଲିଲ ଆଙ୍କୋଲା ମଧ୍ୟ ପଶ୍ଚିମାଞ୍ଚଳର। ଏଥର ଜାତୀୟ ମନୋନୟନକାରୀ ହେବାକୁ ବିସିସିଆଇ ସମସ୍ତ ୫ଟି ଜୋନ୍ର ପ୍ରତିନିଧିତ୍ବ ରହିବା ନିୟମକୁ ହଟାଇ ଦେଇଛି। ତେଣୁ ପଶ୍ଚିମାଞ୍ଚଳରୁ ୨ ଜଣ ସଦସ୍ୟ ଥିବା ବେଳେ ଉତ୍ତରାଞ୍ଚଳରୁ କେହି କମିଟିରେ ନାହାନ୍ତି। ୪୫ ବର୍ଷ ବୟସ୍କ ଅଗରକର ଭାରତ ପାଇଁ ୨୬ଟି ଟେଷ୍ଟ, ୧୯୧ଟି ଦିନିକିଆ ଓ ୪ଟି ଟ୍ବେଣ୍ଟି୨୦ ମ୍ୟାଚ ଖେଳିଛନ୍ତି। ୫ ଜଣ ସଦସ୍ୟଙ୍କ ମଧ୍ୟରେ ଅଗରକର ସର୍ବାଧିକ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିବାରୁ ବିସିସିଆଇର ନିୟମ ଅନୁସାରେ ସେ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ଅଗରକରଙ୍କ କାର୍ଯ୍ୟକାଳ ୪ ବର୍ଷ ରହିବ। ଅଗଷ୍ଟ ୩ରୁ ଘରୋଇ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ୫ ମ୍ୟାଚ୍ର ଟ୍ବେଣ୍ଟି୨୦ ଶୃଙ୍ଖଳା ଖେଳିବାକୁ ଯାଉଥିବା ବେଳେ ଏଥିପାଇଁ ଦଳ ମନୋନୟନ କରିବା ଅଜିତ ଅଗରକର ନେତୃତ୍ବାଧୀନ ମନୋନୟନ କମିଟିର ପ୍ରଥମ ଦାୟିତ୍ବ ରହିବ। ପରେ ଏସିଆ କପ୍, ଅେଷ୍ଟ୍ରଲିଆ ବିପକ୍ଷ ଘରୋଇ ଦିନିକିଆ ସିରିଜ୍ ଏବଂ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦିନିକିଆ ବିଶ୍ବକପ୍ ପାଇଁ ଭାରତୀୟ ଦଳ ବାଛିବାକୁ ହେବ। ଟ୍ବେଣ୍ଟି୨୦ ବିଶ୍ବକପ୍ ବିଜେତା ଭାରତୀୟ ଦଳର ସଦସ୍ୟ ଥିବା ଅଜିତ ଅଗରକର ମାତ୍ର ୨୧ ବଲ୍ରୁ ଦ୍ରୁତତମ ଦିନିକିଆ ଅର୍ଦ୍ଧଶତକ ମାରିବାର କୀର୍ତ୍ତିମାନ ହାସଲ କରିଛନ୍ତି।
ଅଗରକର ବରିଷ୍ଠ ମନୋନୟନ କମିଟି ଅଧ୍ୟକ୍ଷ
Popular Categories



