ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସୁରକ୍ଷା ବ୍ୟବସ୍ଥାକୁ ହ୍ରାସ କରାଯାଇଛି। ତାଙ୍କ ପାଇଁ ରହିଥିବା ଏସପିଜି ସୁରକ୍ଷା ପ୍ରତ୍ୟାହାର କରିନିଆଯାଇଛି। ବର୍ତ୍ତମାନ ତାଙ୍କୁ ଜେଡ୍ ପ୍ଲସ ସୁରକ୍ଷା ପ୍ରଦାନ କରାଯିବ। ସୁରକ୍ଷା ସଂସ୍ଥାଗୁଡ଼ିକର ତଥ୍ୟକୁ ମୂଲ୍ୟାଙ୍କନ କରି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି। ମନମୋହନଙ୍କ ଜୀବନ ପ୍ରତି କମ୍ ବିପଦ ରହିଥିବା ଦର୍ଶାଯାଇ ଏସପିଜି ସୁରକ୍ଷା କାଢ଼ି ନିଆଯାଇଥିବା ଜଣାପଡ଼ିଛି।
ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ବିବୃତି ଜାରି କରି କହିଛି ଯେ, ସୁରକ୍ଷା ସମ୍ପର୍କିତ ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ବୃତ୍ତିଗତ ଆଧାର ଉପରେ ନିଆଯାଇଛି। ନିର୍ଦ୍ଧାରିତ ସମୟ ମଦ୍ୟରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଥାଏ। ଏହା ଏକ ସାଧାରଣ ପ୍ରକ୍ରିୟା ଏବଂ ଏହା ଅଧୀନରେ ହିଁ ସୁରକ୍ଷା ହ୍ରାସ ଓ ବୃଦ୍ଧି ନିଷ୍ପତ୍ତି ନିଆଯାଇଥାଏ। ଦେଶରେ ଏସପିଜି ସୁରକ୍ଷା କମ୍ ଲୋକଙ୍କୁ ଦିଆଯାଇଥାଏ। ଏସପିଜିରେ ସର୍ବଶ୍ରେଷ୍ଠ ସୁରକ୍ଷାକର୍ମୀ ସାମିଲ ହୋଇଥାନ୍ତି। ବର୍ତ୍ତମାନ ୪ ଜଣଙ୍କୁ ଏପରି ସୁରକ୍ଷା ଯୋଗାଇ ଦିଆଯାଉଛି। ସେମାନେ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ତାଙ୍କ ଦୁଇ ସନ୍ତାନ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା।



