www.samajalive.in
Monday, December 8, 2025
14.1 C
Bhubaneswar

ଅଜେୟ କଳାକାର ଅଜୟ

ତେଲକୋଇ: ସମଗ୍ର ତେଲକୋଇ ଅଞ୍ଚଳ ରେ ପୂଜା କିମ୍ବା କୌଣସି ଉସ୍ଚବ ଅନୁଷ୍ଠିତ ହେଲେ ପ୍ରଥମେ ଖୋଜା ପଡନ୍ତି ଅଜୟ କୁମାର ବିଶ୍ବାଳ। ସମସ୍ତେ ତାଙ୍କୁ ଝୁନୁ ବୋଲି ଜାଣନ୍ତି। ମୂର୍ତ୍ତି, ସାଜସଜ୍ଜାଠୁ ଆରମ୍ଭ କରି ମନୋରଞ୍ଜନ ପର୍ଯ୍ୟନ୍ତ ସବୁ ସମ୍ଭାଳି ନିଅନ୍ତି ସେ। ଦୀର୍ଘ ୩୩ ବର୍ଷର କଳାକାର ଜୀବନରେ ସେ ନିଜକୁ ଜଣେ ଚିତ୍ରକର, ମୂର୍ତ୍ତିକାର, ଗୀତିକାର, ନର୍ତ୍ତକ, ମୃଣ୍ମୟକଳା ଗୁରୁ, ନୃତ୍ୟଗୁରୁ, କଳା ବିଚାରପତି ଏବଂ ଉତ୍ତମ ସଂଗଠକ ଭାବେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି। ତାଙ୍କ ଶିଷ୍ୟମାନେ କଳା ମାଧ୍ୟମରେ ପରିବାର ପ୍ରତିପୋଷଣ କରିବାରେ ସକ୍ଷମ ହୋଇ ପାରିଥିବା ବେଳେ କିଛି ଶିଷ୍ୟ ଜିଲ୍ଲା ତଥା ରାଜ୍ୟ ସ୍ତରରେ ମଧ୍ୟ ସମ୍ମାନିତ ହୋଇଛନ୍ତି ଏବଂ ଦୁଇଜଣ ଖୋଦ ରାଜ୍ୟପାଳଙ୍କ ହାତରୁ ପୁରସ୍କୃତ ହୋଇଛନ୍ତି।

ତେଲକୋଇ ମୁଖ୍ୟାଳୟର ପୂର୍ବବିହାର ଭାବେ ଜଣା ଭୂୟାଁସାହିର ସ୍ବର୍ଗତ ରବିନାରାୟଣ ବିଶ୍ବାଳ ଓ ହୀରାମଣି ବିଶ୍ବାଳଙ୍କ ତିନି ପୁଅଙ୍କ ମଧ୍ୟରୁ ବଡପୁଅ ଅଜୟ (ଝୁନୁ)। ବାପା ରବିନାରାୟଣ ଥିଲେ ଜଣେ ଖୋଳିଆ (ଖୋଳବାଦକ), ଗୀତିକାର ଏବଂ ମଞ୍ଚ ଅଭିନେତା। ତାଙ୍କଠୁ କଳାକୁ ଯେପରି ଉତ୍ତରାଧିକାରୀ ସୂତ୍ର ରେ ପାଇଛନ୍ତି ଅଜୟ । କିନ୍ତୁ ବାପାଙ୍କଠୁ କଳାରେ ସେ ଆଉ ଦୁଇପାଦ ଆଗରେ। ସାରା ଅଞ୍ଚଳରେ ଯେଉଁଠି ବି କୌଣସି କଳାସମନ୍ବୟ ଘଟେ ସେଠି ଅଜୟଙ୍କ ଉପସ୍ଥିତି ଅବଶ୍ୟମ୍ଭାବୀ। ଏଥିରେ ଅଦ୍ୟାବଧି ପ୍ରତିଟି ପାଦରେ ତାଙ୍କ ଜନ୍ମଦାତ୍ରୀ ହୀରାମଣି ତାଙ୍କୁ ପ୍ରେରଣା ରୁପକ ଆଶୀର୍ବାଦ ଦେଇଆସିଛନ୍ତି। ଏହା ମଧ୍ୟରେ ୨୦୦୦ ମସିହାରେ ସେ ତେଲକୋଇ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକ ଜୀବନ ଆରମ୍ଭ କଲେ। କିନ୍ତୁ କଳାର ହାତ ସେ କେବେ ଛାଡି ନାହାନ୍ତି।

- Advertisement -

୧୯୮୮ ମସିହାରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ବାଲ୍ୟବନ୍ଧୁ କ୍ଷୀରୋଦ ସେଠୀଙ୍କ ସହ ମିଶି ସାହିରେ ସରସ୍ବତୀ ପୂଜା କରିବାକୁ ଯୋଜନା କଲେ ଓ ଏହି ପୂଜାରେ ନିଜେ ମୂର୍ତ୍ତି ନିର୍ମାଣ କଲେ। ଏହିଠାରୁ ଆରମ୍ଭ ହେଲା ଅଜୟଙ୍କ ମୃଣ୍ମୟ କଳାକାର ଜୀବନ। ଏହା ପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ତେଲକୋଇ ତଥା ତେଲକୋଇ ବାହାରୁ ତାଙ୍କର ବହୁ ଶିଷ୍ୟ ଅନ୍ୟ ଅନ୍ୟ ମଞ୍ଚରେ ମୃଣ୍ମୟ କଳାରେ ସମ୍ମାନିତ ହୋଇଥିବା ବେଳେ ତାଙ୍କର ଜଣେ ଶିଷ୍ଯ ସଂଗ୍ରାମ କେଶରୀ ଚୌହାନ ମୃଣ୍ମୟ କଳା ପାଇଁ ରାଜ୍ୟପାଳଙ୍କ ହାତରୁ ପୁରସ୍କୃତ ମଧ୍ଯ ହୋଇଛନ୍ତି। ଚଳିତ ବର୍ଷ ଗଣେଶ ପୂଜା ଅବସରରେ ଅଜୟ ନିଜ କଳାନୈପୁଣ୍ୟ ଏବଂ ଅଭିଜ୍ଞତାର ପରିଚୟ ସ୍ବରୂପ ଏକ ୨୫ ମୁଣ୍ଡ ଓ ୫୦ ହାତ ବିଶିଷ୍ଟ ଗଣେଶ ମୂର୍ତ୍ତି ନିର୍ମାଣ କରିଥିବା ବେଳେ ବିଭିନ୍ନ ଅଞ୍ଚଳର ବିପୁଳ ସଂଖ୍ୟକ କଳାପ୍ରେମୀ କେବଳ ମୂର୍ତ୍ତି ଦେଖିବାକୁ ତେଲକୋଇ ପୂଜା ମଣ୍ଡପ ରେ ପହଞ୍ଚିଥିଲେ। କେନ୍ଦୁଝର ଜିଲ୍ଲାର ତେଲକୋଇ ସମେତ ଝୁମ୍ପୁରା, ହରିଚନ୍ଦନପୁର, ବାଂଶପାଳ, ସଦର ଅନୁଗୋଳ ଜିଲ୍ଲାର ପାଲଲହଡା, ଖମାର ଦେବଗଡ ଜିଲ୍ଲାର ଠିଆନାଳ, ବାଇଧରନଗର ଏବଂ ଢେଙ୍କାନାଳ ଜିଲ୍ଲାର ପଙ୍ଗାତିରା ଆଦି ଅଞ୍ଚଳ ରେ ପୂଜା ଅବସର ରେ ବିଭିନ୍ନ ପୂଜା ମଣ୍ଡପ ରେ ନିଜ ମୃଣ୍ମୟକଳାର ଦକ୍ଷତା ପ୍ରଦର୍ଶନ କରିଛନ୍ତି।

ସେହିପରି ମଞ୍ଚ ପରିବେଷଣ, ନୃତ୍ୟ, ସଂଗୀତ, ନୃତ୍ୟ ନିର୍ଦେଶନାରେ ମଧ୍ୟ ସେ ଛୋଟବେଳୁ ସିଦ୍ଧହସ୍ତ। ୯ମ ପଢୁଥିବା ବେଳେ ଶିକ୍ଷୟତ୍ରୀ ଅହଲ୍ୟା ଦାସଙ୍କ ନିମନ୍ତ୍ରଣରେ ପ୍ରଥମ ମଞ୍ଚାରୋହଣ ଏବଂ ନୃତ୍ୟ ନିର୍ଦ୍ଦେଶନାର ଆରମ୍ଭ। ଆଉ ପଛକୁ ପାଦ ଫେରାଇନାହାନ୍ତି ଝୁନୁ। ଏହାପରେ ଗ୍ରାମ୍ଯ ମଞ୍ଚ ପୁଣି ଯାତ୍ରା ପେଣ୍ଡାଲ ପୁଣି କେବେ ରାସ ମଣ୍ଡପ ତ କେବେ ପୂଜା ମଣ୍ଡପ ଏହିଭଳି ଭାବେ ତାଙ୍କ ନୃତ୍ଯ କଳା ସୁଗନ୍ଧ ପରି ସାରା ଅଞ୍ଚଳ ରେ ଖେଳିଗଲା। ଏବେ ୪୯ ବର୍ଷ ବୟସ ରେ ମଧ୍ଯ ସେ ଯେବେ ପାଦରେ ଘୁଙ୍ଗୁର ବାନ୍ଧନ୍ତି ମଞ୍ଚରେ ଯେମିତି ବିଦ୍ୟୁତ ତରଙ୍ଗ ଖେଳିଯାଏ। କେବଳ ନୃତ୍ୟ ନୁହେଁ ମଞ୍ଚରେ ହାସ୍ୟ ଚରିତ୍ର ଠାରୁ ଆରମ୍ଭ କରି ନାରୀ ଚରିତ୍ର ପର୍ଯ୍ୟନ୍ତ ସବୁ ଚରିତ୍ରରେ ନିଖୁଣ ଅଭିନୟ କରି କଳାପ୍ରେମୀଙ୍କୁ ମୁଗ୍ଧ କରିଆସିଛନ୍ତି ।

ସେ +୨ ରେ ପଢୁଥିବା ସମୟରେ ତାଙ୍କ ସ୍ୱରଚିତ ଗୀତ ‘ତମ ବାଡିରୁ ମୋତେ’ ବର୍ତ୍ତମାନ ପର୍ଯ୍ୟନ୍ତ ତେଲକୋଇ ଅଞ୍ଚଳର ଶ୍ରୋତାଙ୍କ ମନକୁ ବାନ୍ଧି ରଖିଛି। କେବଳ ସେତିକି ନୁହେଁ ସେ ତାଙ୍କ ଜୀବନରେ ବହୁ ଦକ୍ଷ କଳାକାରଙ୍କ ପାଦରେ ପ୍ରଥମ ଘୁଙ୍ଗୁର ବାନ୍ଧିଛନ୍ତି। ତାଙ୍କ ବହୁ ଶିଷ୍ୟ ଜିଲ୍ଲା ତଥା ରାଜ୍ଯ ସ୍ତରରେ ପୁରସ୍କୃତ ହୋଇଥିବା ବେଳେ ଶ୍ରାବଣୀରାଣୀ ବିଶ୍ବାଳ ରାଜ୍ୟପାଳଙ୍କ ହାତରୁ ପୁରସ୍କାର ଗ୍ରହଣ କରିଛନ୍ତି।

ସେତିକିରେ ତାଙ୍କ କଳା ସୀମିତ ନୁହେଁ, ସେ ଜଣେ ଅଦ୍ଭୁତ ଚିତ୍ରକର ଏବଂ ମଞ୍ଚ/ମେଢ ସଜ୍ଜା ରେ ସିଦ୍ଧହସ୍ତ ମଧ୍ୟ। ବିଭିନ୍ନ ଜିଲ୍ଲାର ବିଭିନ୍ନ ଅଞ୍ଚଳର ପୂଜା ମଣ୍ଡପରେ ପୂଜା ସମୟ ଆସିଲେ ଖୋଜାପଡନ୍ତି ଝୁନୁ। ସେ ବହୁ ମନୋରଞ୍ଜନ କାର୍ଯ୍ୟକ୍ରମରେ ବିଚାରକ ହୋଇ ମଧ୍ୟ ମଞ୍ଚ ଚଢିଛନ୍ତି।

କଳା କ୍ଷେତ୍ରରେ ଅଜୟଙ୍କ ଲୋକପ୍ରିୟତା କେବେ ବି କମ ନହେବାର କାରଣ ହେଉଛି, ସେ କେବେ ନକଲ କରନ୍ତି ନାହିଁ। ପ୍ରତିଥର ତାଙ୍କ ମନରୁ ଆସେ ନୂଆ କଳ୍ପନା ନୂଆ ବିଚାର। ମୃଣ୍ମୟ କଳା ହେଉ କି ନୃତ୍ୟ ହେଉ ଅବା ହେଉ ସାଜସଜ୍ଜା ପ୍ରତି ଥର ନୂଆ ସୃଷ୍ଟିର କଳ୍ପନା ତାଙ୍କୁ କରିପାରିଛି ସ୍ବତନ୍ତ୍ର ଏବଂ ଅଜେୟ।

ସେହିପରି ସେ ଜଣେ ଉତ୍ତମ ସଂଗଠକ ଓ ଆୟୋଜକ ମଧ୍ୟ। ଏକାଧିକ ସଂଗଠନର ଆବାହନ କରିବା ସହ ବର୍ଷ ବର୍ଷ ଧରି ତେଲକୋଇରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ ଆୟୋଜନ କରିବାରେ ସେ ସଫଳ ଭୂମିକା ଗ୍ରହଣ କରିଛନ୍ତି। ତାଙ୍କ ଗଠିତ କଳା କହ୍ନେଇ କଳା ବିକାଶ କେନ୍ଦ୍ର ଦ୍ବାରା ୨୦୧୦ ମସିହାଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରୁ ବାହୁଡା ଯାତ୍ରା ଯାଏଁ ନବରାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଅଜୟଙ୍କ ଆବାହନରେ ଗଠିତ କଳା ସଂସ୍କୃତି ସଂଗଠନ ୧୯୯୭ ମସିହାରୁ ଗଣେଶ ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ କରି ଆସୁଛି। ସେ ସମାକୋଇ ସାଂସ୍କୃତିକ ପରିଷଦର ସଭାପତି ଅଛନ୍ତି। ସେହିପରି ସେ ନିଜ ୮ ଜଣ ବନ୍ଧୁ ତଥା ସହଯୋଗୀଙ୍କ ସହ ମିଶି ଆରମ୍ଭ କରିଥିଲେ ଚାରିଗଡ ମହୋତ୍ସବ ମହାସଂଘ ଯାହା ପରବର୍ତ୍ତୀ ସମୟରେ ଚାରିଗଡ ବାଇଶିପଲ୍ଲି ବିକାଶ ମଞ୍ଚର ବିରାଟ ରୂପ ଧାରଣ କଲା।

ଅଜୟ ନିଜ କଳାନୈପୁଣ୍ୟତାର ସମସ୍ତ ଶ୍ରେୟ ନିଜ ମାଆ ହୀରାମଣି ଦେବୀଙ୍କର ବୋଲି ପ୍ରକାଶ କରିଥିବା ବେଳେ ସର୍ବଦା ସହଯୋଗ କରି ଆସିଥିବା କ୍ଷୀରୋଦ ସେଠୀ ଏବଂ ମଣ୍ଟୁ ବେହେରାଙ୍କୁ ଧନ୍ୟବାଦ ଦେବାକୁ ଭୁଲିନାହାନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories