ବିକଳ୍ପ ଶକ୍ତି ସନ୍ଧାନର ସମୟ
ସୂର୍ଯ୍ୟମଣି ବେହେରା

ପରିବେଶବିତ୍, ବିଶେଷଜ୍ଞ, ଗବେଷକ ତଥା ଅନେକ ବିଶ୍ବସ୍ତରୀୟ ସଂସ୍ଥା ବାରମ୍ବାର ଚେତାବନୀ ଦେଇଆସୁଛନ୍ତି ଯେ ଆମ ପୃଥିବୀର ଜୀବାଶ୍ମ ଇନ୍ଧନ ଭଣ୍ଡାର ଅତିଶୀଘ୍ର ନିଃଶେଷ ହୋଇଯିବ ଏବଂ ପେଟ୍ରୋଲ ମିଳିବ ନାହିଁ। କେବଳ ସେତକ ନୁହେଁ, ବିଶ୍ବତାପନ ଏବଂ ତଜ୍ଜନିତ ବ୍ୟାପକ ଜଳବାୟୁ ପରିବର୍ତ୍ତନ ପୃଥିବୀ ପ୍ରତି ଭୟଙ୍କର ବିପଦ ସୃଷ୍ଟି କରିବ। ସଂପ୍ରତି ଯେଉଁ ହାରରେ କୋଇଲା, ତୈଳ ଏବଂ ପ୍ରାକୃତିକ ଗ୍ୟାସ ବ୍ୟବହାର କରାଯାଉଛି ଏବଂ ଯେଉଁ ହାରରେ ଏହାର ବୃଦ୍ଧି ଘଟି ଚାଲିଛି, ସେତିକିବେଳେ ଶକ୍ତିର କ୍ରମବର୍ଦ୍ଧିଷ୍ଣୁ ଚାହିଦା ମେଣ୍ଟାଇବାପାଇଁ ଏବଂ ସମଗ୍ର ଜୀବମଣ୍ଡଳକୁ ଚଳଚଞ୍ଚଳ କରି ରଖିବାପାଇଁ ପାରମ୍ପରିକ ଶକ୍ତି ବଦଳରେ ବିକଳ୍ପ ଶକ୍ତିର ସଦ୍ବିନିଯୋଗ ଉପରେ ଗୁରୁତ୍ବ ଦେଇ ଅନୁସନ୍ଧାନ କରିବାର ସମୟ ଆସିଯାଇଛି। ଏଥିପାଇଁ ସମସ୍ତ ଦେଶ ତତ୍ପର ହୋଇ କାର୍ଯ୍ୟ କରୁଛନ୍ତି। ଫଳାଫଳକୁ ଅପେକ୍ଷା। ଆଉ ଟିକେ ଚିନ୍ତାକଲେ ଜଣାଯାଏ ଯେ ସୂର୍ଯ୍ୟ ସକଳ ଶକ୍ତିର ଆଧାର। ଏହି ସୌର ଶକ୍ତିର ବିନିଯୋଗ ପାଇଁ ଅନେକ ଗବେଷଣା ହୋଇଛି ଏବଂ ଏହାର ସଦ୍ବିନିଯୋଗ ମଧ୍ୟ ଊଣା ଅଧିକେ ଚାଲିଛି। ସେହିପରି ନାଭିକୀୟ ବା ଆଣବିକ ଶକ୍ତି, ଭୂତାପଜ ଶକ୍ତି, ଜଳ ବିଦ୍ୟୁତ୍ ଶକ୍ତି, ବାୟୁ ଶକ୍ତି, ତରଙ୍ଗ ଶକ୍ତି ପରି ଅନେକ ଶକ୍ତି ଉତ୍ସ ଉପରେ ଗବେଷଣା ଚାଲିଛି। ଅନେକ କ୍ଷେତ୍ରରେ ସୁଫଳ ମିଳିଛି ଏବଂ ବ୍ୟବହାର ମଧ୍ୟ ହେଉଛି।
ଜୈବ ଇନ୍ଧନ ବା ବାଇଓ ଡିଜେଲ ଉପରେ ମଧ୍ୟ ଗବେଷଣା ଚାଲିଛି। ତା’ର ଉପବିଭାଗ ଭାବରେ ବାଇଓ ମାସ୍ (ଜୈବ ବସ୍ତୁ), ବାଇଓ ଆଲକୋହଲ (ଜୈବସୁରା) ଏବଂ ବାଇଓ ଗ୍ୟାସ୍ (ଜୈବ ଗ୍ୟାସ) ଉପରେ ଅନେକ ଅନୁଶୀଳନ ପରେ ଏଗୁଡ଼ିକ ଯେ ବିକଳ୍ପ ଶକ୍ତିର ଗୋଟିଏଗୋଟିଏ ଉତ୍ସ ଏହା ପ୍ରମାଣିତ ହୋଇସାରିଛି। ଏ ଦିଗରେ ସାଫଲ୍ୟ ବିମଣ୍ଡିତ ବିକଳ୍ପ ଶକ୍ତି ଭାବରେ ଦୃଷ୍ଟି ଆକର୍ଷଣ କରୁଥିବା ଗୋଟିଏ, ଦୁଇଟି ଦୃଷ୍ଟାନ୍ତ ଆଲୋଚନା କଲେ ଆମେ ଏହାର ତାତ୍ପର୍ଯ୍ୟ ଭଲ ଭାବରେ ଉପଲବ୍ଧି କରିପାରିବା।
ବର୍ତ୍ତମାନ ଇଥାନଲ୍ କଥା ଦେଖାଯାଉ। ଇଥାନଲ୍ ବା ଇଥାଇଲ ଆଲକୋହଲ ଏକ େଜୖବିକ ତରଳ ପଦାର୍ଥ। ଶକ୍ତିର ଉତ୍ସ ଭାବରେ ଏହାର ଆଉ ଏକ ନାମ ହେଉଛି ବାଇଓ ଇଥାନଲ୍। ଏହା ମୁଖ୍ୟତଃ ଆଖୁ, ଷ୍ଟାର୍ଚ ଏବଂ ସେଲୁଲୋଜ ଜାତୀୟ ପଦାର୍ଥରୁ ପ୍ରସ୍ତୁତ ହୋଇଥାଏ। ଯେଉଁ ପଦ୍ଧତିରେ ଏହା ପ୍ରସ୍ତୁତ କରାଯାଇଥାଏ ତା’ର ନାମ ହେଉଛି ଅମ୍ଳୀଭବନ ବା ଇଂରାଜୀରେ କୁହାଯାଏ ‘ଫରମେଣ୍ଟସନ’। ଅଣୁଜୀବ ଇଷ୍ଟ ଦ୍ବାରା ଏହା ଆଖୁଜାତୀୟ ପଦାର୍ଥକୁ ଆମ୍ବିଳା କରି ଦେଇଥାଏ।
ଗବେଷଣାରୁ ଯେତେବେଳେ ଜଣାପଡ଼ିଲା ଯେ ଇଥାନଲ ଯାନବାହନ ଇନ୍ଧନ ଭାବରେ ବ୍ୟବହୃତ ହୋଇପାରିବ, ସେତେବେଳେ ଏହାର ଉତ୍ପାଦନ ପାଇଁ ଅନେକ କମ୍ପାନୀ ଆଗେଇ ଆସି କାର୍ଯ୍ୟ କରୁଛନ୍ତି। ଖାଲି ଇଥାନଲକୁ ଇନ୍ଧନ ଭାବରେ ବ୍ୟବହାର କରିହେବ। ତାଛଡ଼ା ଏହା ସହିତ କିଛି ପେଟ୍ରୋଲ ମିଶାଇ ମଧ୍ୟ ବ୍ୟବହାର କରିହେବ। ପେଟ୍ରୋଲ ସହିତ ଇଥାନଲ ମିଶ୍ରଣକୁ ଗ୍ୟାସଲ୍ ବୋଲି ନାମିତ କରାହୋଇ ବ୍ୟବହୃତ ହେଉଛି। ବ୍ରାଜିଲ, ଉତ୍ତର ଆମେରିକା, ଚୀନ୍, ଫ୍ରାନ୍ସ ପ୍ରଭୃତି ପାଶ୍ଚାତ୍ୟ ରାଷ୍ଟ୍ରରେ ଏହାର ବହୁଳ ବ୍ୟବହାର ଚାଲିଛି। ସ୍ବଳ୍ପ ପରିମାଣରେ ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗତ ହେଉଥିବା ଦୃଷ୍ଟିରୁ ଏହା ପରିବେଶକୁ ମଧ୍ୟ ପ୍ରଦୂଷଣ କରୁନାହିଁ। ତା’ଛଡ଼ା ସବୁଜ ଗୃହ ପ୍ରଭାବକୁ ମଧ୍ୟ ନିୟନ୍ତ୍ରଣ କରିପାରୁଛି। ସୁତରାଂ ବିକଳ୍ପ ଶକ୍ତିର ଉତ୍ସ ଭାବରେ ଇଥାନଲ୍ ବା ବାଇଓ ଇଥାନଲ ଯେ ନିର୍ବିବାଦ ଭାବରେ ବ୍ୟବହାର କରାଯାଇପାରିବ, ଏହା ନିଃସନ୍ଦେହରେ କୁହାଯାଇପାରେ।
ବୃକ୍ଷଲତାର ତୈଳରେ ବାଇଓ-ଡିଜେଲ ଥାଏ। ରସାୟନ୍ବିତଙ୍କ ଭାଷାରେ ଏହା ଏକ ଇଷ୍ଟର୍। ତେଲରେ ରହିଥିବା ପରିପୃକ୍ତ ଚର୍ବିଯୁକ୍ତ ଅମ୍ଳ ମିଥାନଲ୍ କିମ୍ବା ଇଥାନଲ ମିଶି ଏହା ସୃଷ୍ଟି ହୋଇଥାଏ।
ମିଥାଇଲ ଆଲକୋହଲ ନେଇଥିଲେ ମିଥାଇଲ ଇଷ୍ଟର ହେବ ଏବଂ ଇଥାଇଲ ଆଲକୋହଲ ନେଇଥିଲେ ଇଥାଇଲ ଇଷ୍ଟର ହେବ। ଖାଦ୍ୟ ଉପଯୋଗୀ ତେଲ ହେଉ କିମ୍ବା ଖାଦ୍ୟ ଅନୁପଯୋଗୀ ତେଲ: କରଞ୍ଜତେଲ, ଜାଟ୍ରୋଫା ତେଲରୁ ହିଁ ବାଇଓ ଡିଜେଲ ପ୍ରସ୍ତୁତ ହୋଇଥାଏ।
ଏ ସମ୍ପର୍କରେ େବୖଜ୍ଞାନିକ ତଥ୍ୟ ଲୋକଲୋଚନକୁ ଆସିବାପରେ ଦେଶର ବିଭିନ୍ନ ସ୍ଥାନରେ ବାଇଓ ଡିଜେଲ କାରଖାନା ସ୍ଥାପିତ ହୋଇ ଉତ୍ପାଦିତ ହେଉଛି। କରଞ୍ଜ ମଞ୍ଜିରୁ କିମ୍ବା ଜାଟ୍ରୋଫା ମଞ୍ଜିରୁ ତେଲ ବାହାର କରି ବାଇଓ ଡିଜେଲ ପ୍ରସ୍ତୁତ କରାଯାଇଥାଏ। ଓଡ଼ିଶାରେ ଏହା ଉପରେ ଗବେଷଣା ହେଉଛି। ଜାଟ୍ରୋଫାର ଅନ୍ୟ ନାମଗୁଡ଼ିକ ହେଉଛି- ବାଇଗବ, ବାଇଜଡ଼ା ବା ରାମଜଡ଼ା।
ଏକ ମଜାକଥା ହେଉଛି ଡିଜେଲ ପରିବର୍ତ୍ତେ ଏହି ଜାଟ୍ରୋଫା ମଞ୍ଜିରୁ ବାଇଓ ଡିଜେଲ ପ୍ରସ୍ତୁତ କରାଯାଇ ବ୍ୟବହୃତ ହେଲେ ତହିଁରୁ ଧୂଆଁର ପରିମାଣ ଖୁବ୍ କମ୍ ନିର୍ଗତ ହେଉଥିବା ଦୃଷ୍ଟିରୁ ପରିବେଶ ପ୍ରଦୂଷିତ ହୁଏନାହିଁ। ସେଥିପାଇଁ କୁହାଯାଇଥାଏ- ଭବିଷ୍ୟତ ଡିଜେଲ ହେଉଛି ଏହି ବାଇଓ ଡିଜେଲ।
ଏ ତ ଗଲା ଇଥାନଲ ଆଉ ବାଇଓ ଡିଜେଲର କଥା। ଠିକ୍ ସେମିତି ଆଉ ଏକ ପରିବେଶ ବନ୍ଧୁ ଭାବରେ ପରିଚିତ ବିକଳ୍ପ ଶକ୍ତି ଉତ୍ସ ଜୈବୀୟ ଉଦଜାନ ଉପରେ ମଧ୍ୟ ଅନେକ କଥା ଜଣାପଡ଼ିଲାଣି। ଉଦ୍ଭିଦରୁ ଜାତ କ୍ଲୋରୋଫ୍ଲାଷ୍ଟ ସଂଗ୍ରହ କରି ହାଇଡ୍ରୋଜେନେଜ ଏନଜାଇମ୍ ମାଧ୍ୟମରେ ଉଦ୍ଜାନ ଗ୍ୟାସ ପ୍ରସ୍ତୁତ କରି ଜୈବିକ ଇନ୍ଧନକୋଷ ଭାବରେ ବ୍ୟବହୃତ ହେବାର ନଜିର ଲୋକଲୋଚନକୁ ଆସିଗଲାଣି।
ଏହି ସବୁ ବିକଳ୍ପ ଶକ୍ତି ଉତ୍ସ ଉପରେ ଆହୁରି ଅଧିକ ଗବେଷଣା ହେଉଛି। ଆଶା ଏବଂ ବିଶ୍ବାସ, ଜୀବାଶ୍ମ ଇନ୍ଧନ ଭଣ୍ଡାର ଶେଷ ହେବା ବେଳକୁ ଅନେକ ନୂତନ ବିକଳ୍ପ ଅଣପାରମ୍ପରିକ ଶକ୍ତି ଉତ୍ସ ଲୋକଲୋଚନକୁ ଆସି ଭବିଷ୍ୟତ ଶକ୍ତି ସଂକଟକୁ ଦୂର କରିପାରିବ।
Comments are closed.