କ୍ଷୁଧାମୁକ୍ତ ବିଶ୍ବ ସମ୍ଭବ

ନଟବର ଷଡ଼ଙ୍ଗୀ

“୨୦୧୯ରେ ପୃଥିବୀରେ ଭୋକିଲାମାନଙ୍କ ସଂଖ୍ୟା ଥିଲା ୬୫ କୋଟି। କୋଭିଡ ୧୯ ମହାମାରୀ ଯୋଗୁଁ ୨୦୨୦ ବେଳକୁ ଏହି ସଂଖ୍ୟା ୮୧.୧ କୋଟିରେ ପହଞ୍ଚିଲା।’’ (ଷ୍ଟେଟସମ୍ୟାନ -୨୨ ଏପ୍ରିଲ ୨୦୨୨) ‘ଦି ନିଉ ଇଣ୍ଡିଆନ ଏକ୍ସପ୍ରେସ’ ୬ମେ, ୨୦୨୨ରେ ପ୍ରକାଶ କଲେ ୨୦୨୧କୁ ପୃଥିବୀରେ ଭୋକିଲାଙ୍କ ସଂଖ୍ୟା ବର୍ଷକ ମଧ୍ୟରେ ୪ କୋଟି ବଢିଛି; ତଥାପି ମିଳିତ ଜାତିସଂଘ ପ୍ରତିଶ୍ରୁତି ରଖୁଛି ୨୦୩୦କୁ ପୃଥିବୀରେ ଜଣେ ହେଲେ ଭୋକିଲା ରହିବେ ନାହିଁ। ଭାରତରେ ଭୋକିଲାଙ୍କ ସଂଖ୍ୟା ୧୧ କୋଟିରୁ ଅଧିକ। ପୃଥିବୀରେ ଭୋକର ଭୂଗୋଳରେ ଭାରତର ସ୍ଥାନ ୧୦୧। କ୍ୟୁବା ବିଶ୍ବ କ୍ଷୁଧା ତାଲିକାରେ ପ୍ରଥମ ୧୭ଟି ଦେଶ ମଧ୍ୟରେ ସ୍ଥାନ ପାଇଛି। ଏହି ଦେଶରେ କ୍ଷୁଧା ପ୍ରାୟତଃ ଶୂନ। ଭାରତରେ ମୁଣ୍ଡପିଛା ୨୫୩୩ କ୍ୟାଲୋରି ଖାଦ୍ୟ ମିଳୁଛି। ପାକିସ୍ତାନ, ବାଂଲାଦେଶ, ନେପାଳ ଓ ମ୍ୟାଁମାରରେ ପ୍ରତି ଲୋକ ଭାରତୀୟଙ୍କଠାରୁ ଅଧିକ ଖାଦ୍ୟ ପାଇଥାନ୍ତି। ମହାରାଷ୍ଟ୍ର ଭାରତର ଏକ ଧନୀ ରାଜ୍ୟ। ସେଠାରେ ୪୦ ପ୍ରତିଶତ ଶିଶୁ ପୁଷ୍ଟିହୀନତାର ଶିକାର। ବୟସ ଅନୁସାରେ ଉଚ୍ଚତା କମ, ବାଙ୍ଗରା, ଗୁଡୁମପେଟା, କମ ଓଜନ ଓ ହାଡ ମାଳ। ଧନିକ ବର୍ଗ ୩୧୫୦ କ୍ୟାଲୋରି ଖାଦ୍ୟ ଖାଇଥାନ୍ତି। ବ୍ରାଜିଲ ଓ ଭାରତରେ ଖାଦ୍ୟ ବଣ୍ଟନ କେନ୍ଦ୍ରରେ ଭୋକିଲାଙ୍କୁ ଘଉଡେଇବା ପାଇଁ ପୁଲିସ ଲାଠି ଚାଳନା କରିବା ମଧ୍ୟ ଦେଖାଯାଏ।

ମିଳିତ ଜାତିସଂଘର ରିପୋର୍ଟରେ ପୃଥିବୀର ପ୍ରତି ଆଠ ଜଣରେ ଜଣେ ଭୋକିଲା। ପୃଥିବୀର ଜନସଂଖ୍ୟାର ଅର୍ଦ୍ଧେକ ଅର୍ଥାତ ପ୍ରାୟ ୩୫୦ କୋଟି ଅପୁଷ୍ଟିର ଶିକାର। ଦକ୍ଷିଣ ଏସିଆର ବିକାଶଶୀଳ ଦେଶଗୁଡ଼ିକ ପୃଥିବୀର ସବୁଠାରୁ ଅଧିକ ଭୋକିଲା। ଏଫଏଓର ୨୦୦୩ -୦୪ ରିପୋର୍ଟରେ ଏହି ଦେଶକୁ ଭୋକିଲା ମହାଦେଶ ନାମ ମିଳିଛି। ଆଫ୍ରିକା ମହାଦେଶ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ଆଡ୍ଡା। ସେଠାରେ ବ୍ୟାବସାୟିକ କୃଷି ପାଇଁ କ୍ଷୁଧା। ବର୍ଷ ବର୍ଷ ଧରି ଦୁର୍ଭିକ୍ଷ। ବିଶ୍ବ ବ୍ୟାଙ୍କ ଓ ବିଶ୍ବ ଖାଦ୍ୟ ସଂସ୍ଥାର ରିପୋର୍ଟ ଅନୁସାରେ କେବଳ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ, ଭାଗଚାଷୀ ଓ କୃଷି ଶ୍ରମିକମାନେ ପୃଥିବୀର ୮୦ ପ୍ରତିଶତ ଖାଦ୍ୟ ଉତ୍ପାଦନ କରିଥାନ୍ତି। ଏଇ ଲୋକମାନେ ହିଁ କ୍ଷୁଧାର୍ତ୍ତ। ପ୍ରତିଦିନ ଭୋକ ଉପାସରେ ଏମାନଙ୍କ ମଧ୍ୟରୁ ୨୫,୦୦୦ ମରୁଛନ୍ତି। ପୃଥିବୀରେ ୦-୫ ବର୍ଷର ଜଣେ ଶିଶୁ ପ୍ରତି ୫ ସେକେଣ୍ଡରେ କୁପୋଷଣ ବା କ୍ଷୁଧାଜନିତ ମୃତ୍ୟୁବରଣ କରୁଛି। ଖାଦ୍ୟରେ ରାଜନୀତି।

ବହୁଦେଶୀୟ କମ୍ପାନୀମାନଙ୍କ ଦ୍ବାରା ଖାଦ୍ୟଲୁଟ ବିଶ୍ବ କ୍ଷୁଧାର ମୂଳ କାରଣ। ପୃଥିବୀରେ ବାର୍ଷିକ ଉତ୍ପାଦିତ ଖାଦ୍ୟ ସୁଷମ ବଣ୍ଟନ ହେଉଥିଲେ ସ୍ତ୍ରୀ, ପୁରୁଷ ଓ ଶିଶୁ ପ୍ର‌େତ୍ୟକଙ୍କ ପାଇଁ ୨ ପାଉଣ୍ଡ (୯୦୦ ଗ୍ରାମରୁ ଅଧିକ) ଖାଦ୍ୟ ମିଳିପାରନ୍ତା। କେବଳ ଶ୍ବେତସାର ନୁହେଁ; ପର୍ଯ୍ୟାପ୍ତ ପୁଷ୍ଟିସାର ମଧ୍ୟ। ମୁଣ୍ଡପିଛା ୩୦୦୦ କ୍ୟାଲୋରି ଖାଦ୍ୟ ଉତ୍ପାଦନ ହେଉଛି। ଆମ ଦେଶରେ ତ ଖାଦ୍ୟ ଗୋଦାମରେ ପିମ୍ପୁଡି ଯିବାକୁ ବାଟ ନ।ହିଁ। ଦେଶରେ ଅ।ଜି ବି ଅନାହାରରେ ମୃତ୍ୟୁ ! ଖାଦ୍ୟ ବଣ୍ଟନ ଓ ନିଯୁକ୍ତି କ୍ଷେତ୍ରରେ ଶାସକ ଗୋଷ୍ଠୀର ବିଫଳତା ଏହାର କାରଣ।

ମିଳିତ ଜାତିସଂଘ ୧୯୪୮ରେ ଘୋଷଣା କଲା “ପ୍ର‌େତ୍ୟକ ବ୍ୟକ୍ତିର ଖାଦ୍ୟ ଅଧିକାର ଏକ ମାନବିକ ଅଧିକାର। ବ୍ୟକ୍ତି ପାଇଁ ସୁଷମ ଖାଦ୍ୟ ନିଶ୍ଚିତ କରିବା ରାଷ୍ଟ୍ରର ଦାୟିତ୍ବ। ସ୍ଥାନୀୟ ଉତ୍ପାଦିତ ସୁଷମ ଖାଦ୍ୟ ପ୍ର​‌େ​‌ତ୍ୟକ ମର୍ଯ୍ୟାଦାର ସହିତ ଖାଇପାରିବ।’’ ୨୦୦୭ ବେଳକୁ ପୃଥିବୀରେ ୭୮ କୋଟି ପ୍ରତିଦିନ ଖାଡ଼ା ଉପାସ। ୨୦୦୭ ଅକ୍ଟୋବର ୧୬। ଜର୍ମାନର ବନ୍‌ ସହରରେ ବିଶ୍ବ ଖାଦ୍ୟ ଦିବସ ଜନ୍ମ ନିଏ । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଅହେତୁକ ବିକାଶ ସ୍ଥଳେ କ୍ଷୁଧା ! ପ୍ରତି ବର୍ଷ ଅକ୍ଟୋବର ୧୬ରେ ବିଶ୍ବ ଖାଦ୍ୟ ଦିବସ ପାଳନ ହେଉଛି । ସେଦିନ ମଧ୍ୟ ଦେଖିବାକୁ ମିଳୁଛି ଭୋକିଲାମାନେ ବଡବଡିଆଙ୍କର ଭୋଜିଭାତ ବା ହୋଟେଲର ଅଇଁଠା ବା ବଳକା ଖାଦ୍ୟ ଅଳିଆଗଦାରୁ ଖାଇବା ପାଇଁ ନିଜ ନିଜ ଭିତରେ କଳିଗୋଳ କରୁଛନ୍ତି ।

ବିଶ୍ବ ବାଣିଜ୍ୟ ସଂଗଠନ କୃଷିଜାତ ଦ୍ରବ୍ୟର ମୁକ୍ତ ବାଣିଜ୍ୟ ପାଇଁ ଏହାର ସଭ୍ୟ ଦେଶଗୁଡ଼ିକୁ ବାଧ୍ୟ କରୁଛି । ବହୁଦେଶୀୟ ଖାଦ୍ୟ କମ୍ପାନୀ, ମାଂସ ଶିଳ୍ପ, ପ୍ରକ୍ରିୟାକରଣ କମ୍ପାନୀ ଏବଂ ଏଗ୍ରୀ ବିଜନେସ କମ୍ପାନୀଙ୍କ ବେପାର ପାଇଁ ବିଶ୍ବ ବାଣିଜ୍ୟ ସଂଗଠନର ଭିତିରି ଷଡଯନ୍ତ୍ର। ୨୦୦୩ ସେପ୍ଟେମ୍ବର ୧୦ । ମେକ୍ସିକୋର କାନକୁନ ସହରରେ ସେଦିନ ମନ୍ତ୍ରିସ୍ତରୀୟ କମିଟି ବସିବ । ପୃଥିବୀର ଚାରି ପ୍ରାନ୍ତରୁ ଆସି ହଜାର ହଜାର କୃଷକନେତା ବିକ୍ଷୋଭ ପ୍ରଦର୍ଶନ ପାଇଁ ଠୁଳ । ସୁରକ୍ଷା ପାଇଁ ସଭା ସ୍ଥଳ ଚାରିପଟେ ଲୁହା ବାଡ । କୋରିଆର କୃଷକ ତଥା କୃଷକ ନେତା ଲି ୟାଙ୍ଗ ହୋ ତାଙ୍କ ଶାର୍ଟ ପକେଟରୁ ଗୋଟିଏ ଛୁରୀ ବାହାର କରନ୍ତି । ଲୁହାବାଡ ଡେଇଁ ଚିତ୍କାର କରନ୍ତି ‘ଡବ୍ଲ୍ୟୁଟିଓ କିଲ୍ସ ଫାର୍ମର୍ସ’ (ବିଶ୍ବ ବାଣିଜ୍ୟ ସଂଗଠନ ଚାଷୀଙ୍କୁ ହତ୍ୟା କରୁଛି)। ଛାତିରେ ଛୁରୀ ଭୁସିଦିଅନ୍ତି । ମୁହୂର୍ତ୍ତକ ମଧ୍ୟରେ ମୃତ୍ୟୁ। ନବ୍ୟ ଉଦାରବାଦ ଓ ବଜାର ଅର୍ଥନୀତି ଛୋଟ ଚାଷୀଙ୍କୁ ଖତମ କରିବାର ପ୍ରୟାସ ଜାରିରଖିଛି ।

ଯୁକ୍ତରାଷ୍ଟ୍ର ଆମେରିକାରେ ଧନିକ ଶ୍ରେଣୀ ଅର୍ଥାତ ୫୨ ପ୍ରତିଶତ ଲୋକ ଦିନକୁ ୪୦୦୦ରୁ ୪୫୦୦ କ୍ୟାଲୋରି ଖାଦ୍ୟ ଖାଉଥିବାବେଳେ ୧୫ ପ୍ରତିଶତ ଅର୍ଥାତ୍‌ ୩.୫ କୋଟି ଗରିବ ଖାଦ୍ୟ ପାଇଁ ‘ଫୁଡ ଷ୍ଟାମ୍ପ’ ଉପରେ ଭରସା କରିଥାନ୍ତି । ବିଶ୍ବ ବାଣିଜ୍ୟ ସଂଗଠନର ନୀତି ଛୋଟ ଚାଷୀ ପାଇଁ ପରମାଣୁ ବୋମା ସଦୃଶ। ବିଶ୍ବବ୍ୟାଙ୍କର ଡକରା ଋଣ ନିଅ ଅଧିକ ବିଷ ଖାଦ୍ୟ ଉତ୍ପାଦନ କର। ଚାଷୀମାନେ ଋଣଗ୍ରସ୍ତ। ଋଣ ଶୁଝିନପାରି ଭାରତରେ ୩.୫ଲକ୍ଷ ଚାଷୀ ଆତ୍ମହତ୍ୟା କଲେଣି ।

ବିଶ୍ବ କ୍ଷୁଧା ମଣିଷକୃତ । କାରଣ ଆମେରିକା ଓ ପୁଞ୍ଜିପତି ରାଷ୍ଟ୍ରରେ ଧନିକ ବର୍ଗରୁ ପ୍ର‌େ‌ତ୍ୟକ ବର୍ଷକୁ ୯୦ କିଲୋରୁ ଅଧିକ ମାଂସ ଖାଇଥାନ୍ତି । (ଏଫଏଓ ୨୦୦୨ ରିପୋର୍ଟ) ଆମେ ତ ଭାତରେ ତରକାରି, ବେଳେବେଳେ ମାଛ, କ୍ବଚିତ ମାଂସ ଲଗେଇ ଖାଉ। ଆମେରିକାରେ ମାଂସ ସହିତ ମୁଠାଏ ଭାତ ବା ଖଣ୍ଡିଏ ରୁଟି ଲଗାଇ ଖାଇଥାନ୍ତି। ଆମେରିକୀୟମାନେ ଅଧିକାଂଶ ପୃଥୁଳ କାୟ, ଥନ୍ତଲ ପେଟା ଓ ଅତ୍ୟଧିକ ଓଜନିଆ। ଏମାନେ ଓଜନ କମାଇବା ପାଇଁ ନିୟମିତ ବ୍ୟାୟାମଶାଳାକୁ ଯାଇ ଥାଆନ୍ତି। ୨୦୦୩ରେ ଆମେରିକା ସର୍ଜନ ଜେନେରାଲ ସତର୍କ କରିଥିଲେ ଯେ ଆଗକୁ ପୃଥୁଳତା ପାଇଁ ଯେତେ ଲୋକ ପ୍ରାଣ ହରାଇବେ ତାହା ଧୂମପାନ ଜନିତ ମୃତ୍ୟୁ ସଂଖ୍ୟାକୁ ଟପିଯିବ। ଏଣେ ଆମେରିକାର ୩ କୋଟିରୁ ଊର୍ଦ୍ଧ୍ବ ଲୋକ ଖାଦ୍ୟ ପାଇଁ ଦୈନିକ ରୋଜଗାରର ୮୫ପ୍ରତିଶତ ଖର୍ଚ୍ଚ କଲେ ମଧ୍ୟ ସୁଷମ ଖାଦ୍ୟ ସେମାନଙ୍କ ଭାଗ୍ୟରେ ନଥାଏ।

ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ଖାଇପାରୁଥିବା ୨୦ ପ୍ରତିଶତ ଧନିକ ଶ୍ରେଣୀ। ସେମାନେ ତାଙ୍କ ଦୈନିକ ରୋଜଗାରରୁ ୦.୫ପ୍ରତିଶତ ଖାଦ୍ୟ ପାଇଁ ଖର୍ଚ୍ଚ କରିଥାନ୍ତି । ପୃଥିବୀରେ ଉତ୍ପାଦିତ ଖାଦ୍ୟର ୩୩ ପ୍ରତିଶତ ବା ଏକ ତୃତୀୟାଂଶ ଗାଈଗୋରୁ, ଘୁଷୁରି ଓ କୁକୁଡ଼ା ଖାଦ୍ୟ ପାଇଁ ଉପଯୋଗ ହେଉଛି। ଗୋଟିଏ କିଲୋ ଗୋମାଂସ ପାଇଁ ୧୦କିଲୋ ଖାଦ୍ୟ ଶସ୍ୟ ଆବଶ୍ୟକ ହୁଏ। ସେହିପରି ୧କିଲୋ ଘୁଷୁରି ମାଂସ ପାଇଁ ୪କିଲୋ ଖାଦ୍ୟ । ୧ କିଲୋ କୁକୁଡ଼ା ମାଂସ ପାଇଁ ୧୫୦୦ଗ୍ରାମ ଖାଦ୍ୟ ଦରକାର ହୋଇଥାଏ। ଚାଉଳ, ଗହମ, ମକା, ସୋୟାବିନ, ମିଲେଟସ, ହାଡଗୁଣ୍ଡ ଓ ପିଡ଼ିଆ ଏମାନଙ୍କର ଖାଦ୍ୟ। ମଣିଷ ପେଟରୁ କାଟି ଘୁଷୁରି ପୋଷା । ମଣିଷ ଜୀବନ ଘୁଷୁରିଠାରୁ ହୀନ। ଗତ ୫୦ ବର୍ଷ ଭିତରେ ପୃଥିବୀର ଲୋକ ସଂଖ୍ୟା ୨ ଗୁଣ ବଢିଛି ମାତ୍ର ସେହି ସମୟ ମଧ୍ୟରେ ମାଂସ ଉତ୍ପଦାନ ୫ ଗୁଣ ବଢିଛି (ୱାର୍ଲ୍ଡ ୱାଚ-୨୦୦୪) । ପୃଥିବୀରେ ମାଂସ ପାଇଁ ବାର୍ଷିକ ୩୨.୫ କୋଟି ଗୋରୁ, ୧୩୦ କୋଟି ଘୁଷୁରି ଓ ୭୨୦୦ କୋଟି କୁକୁଡା କଟାଯାଉଛନ୍ତି।

ପାଣି ପାଇଁ ପୃଥିବୀସାରା ହାହାକାର । ମାଂସ ଶିଳ୍ପ ପାଇଁ ଫାକ୍ଟରୀ ଫାର୍ମରେ ଗୋଟିଏ କିଲୋ ଗୋ ମାଂସ ପାଇଁ ୩୦୦୦ ଲିଟର ପାଣି ଖର୍ଚ୍ଚ ହୋଇଥାଏ । ଗୋଟିଏ ଘୁଷୁରି ଦିନକୁ ୧୩୨ ଲିଟର ପାଣି ଦରକାର କରେ । କଂସେଇ ଖାନାରେ ଗୋଟିଏ ଗାଈ କଟାକଟିରେ ୧୦୦୦ ଲିଟର ପାଣି ଖର୍ଚ୍ଚ ହୁଏ । ଶିଳ୍ପ ଭିତ୍ତିକ କୃଷି ପୃଥିବୀରେ ଜଳକଷ୍ଟର ଏକ ପ୍ରମୁଖ କାରଣ । ମାଂସ ଶିଳ୍ପରେ ବ୍ୟୟ ପାଣି ୫ ନିୟୁତ ହେକ୍ଟର ଜମିରେ ବର୍ଷକୁ ୩ ଫସଲ ଚାଷ ପାଇଁ ଯଥେଷ୍ଟ ହେଉଥାନ୍ତା।

ଜୈବ ଇନ୍ଧନ ପାଇଁ ମକା ଓ ଆଖୁ ଚାଷ । ଖାଦ୍ୟ ଉତ୍ପାଦନ ପାଇଁ ଜମି ଓ ଜଳର ନିଅଣ୍ଟ ! (ବିଶ୍ବ କ୍ଷୁଧା ସୂଚକାଙ୍କ-୨୦୧୨) । ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମୋଟ ଖାଦ୍ୟର ୨୫ ପ୍ରତିଶତ ଲୁଟିନେଲେ । ମାଂସ ଶିଳ୍ପ ୩୦ ପ୍ରତିଶତ ନେଲା। ବିକଶିତ ଦେଶର ଧନିକ ଶ୍ରେଣୀ ଆବଶ୍ୟକତାର ୨ ଗୁଣ ଖାଦ୍ୟ ଖାଇଲେ । ୮୦ପ୍ରତିଶତଙ୍କ ପାଇଁ ୪୫ ପ୍ରତିଶତ ଖାଦ୍ୟ ।

ପୃଥିବୀରେ ୨.୫ ପ୍ରତିଶତ ଜମିମାଲିକ ପ୍ର​‌େ​‌ତ୍ୟକ ୧୦୦ ହେକ୍ଟରଠାରୁ ଅଧିକ ଚାଷ ଜମି ଅକ୍ତିଆର କରିଥାନ୍ତି। ୦.୨୩ ପ୍ରତିଶତ ପୃଥିବୀର ଅର୍ଦ୍ଧାଧିକ ଚାଷ ଜମିର ମାଲିକ। ଧନିକ ଶ୍ରେଣୀ ତିନି ଚତୁର୍ଥାଂଶ (୭୫ ପ୍ରତିଶତ) ଜମିର ଦଖଲଦାର । (ୱାର୍ଲ୍ଡ ଲ୍ୟାଣ୍ଡ ସେନସସ ବାଇ ଏଫଏଓ -୧୯୬୦) ପ୍ରାୟ ୧୫୦ କୋଟି ଲୋକ ଭୂମିହୀନ। ଭାରତରେ ୬୦ ପ୍ରତିଶତ ଚାଷ ଜମି ଭାଗଚାଷୀମାନେ ଚାଷ କରନ୍ତି । ଓଡ଼ିଶାରେ ଏହି ସଂଖ୍ୟା ପ୍ରାୟ ୮୦ପ୍ରତିଶତ। ଭାଗ ଚାଷୀ ଚାଷର ସଂପୂର୍ଣ୍ଣ ଖର୍ଚ୍ଚ ବହନ କରେ; ମାତ୍ର ଅଧା ଫସଲ ଘରକୁ ନେଇ ଥାଏ । ଚାଷ ପାଇଁ ସମସ୍ତ ସରକାରୀ ସାହାଯ୍ୟ ଜମି ମାଲିକ ଚାଷ ନକରି ମଧ୍ୟ ହାତେଇଥାଏ। ଜମିର ସୁଷମ ବଣ୍ଟନ ଓ ଦେଶୀ ଚାଷ ମାଧ୍ୟମରେ ଗୋଟିଏ ହେକ୍ଟର ଚାଷ ପାଇଁ ୨ ଜଣ ଶ୍ରମିକ ନିଯୁକ୍ତି କଲେ ଭାରତରେ ଦାଦନ ଶ୍ରମିକ ପ୍ରଥା ଇତିହାସ ପାଲଟି ଯାଆନ୍ତା ।

କ୍ଷୁଧା ନିବାରଣ ରାସ୍ତା ଖୁବ୍ ଦୁର୍ଗମ। ଶାସକ ଗୋଷ୍ଠୀଙ୍କ ମାନସିକତା ବଦଳିଲେ ହିଁ ଏହା ସମ୍ଭବ । ମାଂସ ଶିଳ୍ପର ବିଲୋପ, ନେସ​‌େ​‌ଲ, ମ୍ୟାକଡୋନାଲଡ, ଟାଇସନ ଭଳି ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀମାନଙ୍କ ହାତରୁ ସ୍ଥାନୀୟ କ୍ଷୁଦ୍ର ଉଦ୍ୟୋଗୀଙ୍କ ହାତକୁ ଆଣିବା; ୱାଲ୍‌ ମାର୍ଟ ଓ ଅନ୍ୟ କମ୍ପାନୀମାନଙ୍କ କବଳରୁ ଖାଦ୍ୟ ବ୍ୟବସାୟର ମୁକ୍ତି, ବିଶ୍ବ ଖାଦ୍ୟ ସଂଗଠନର ଦାସତ୍ୱରୁ ସଭ୍ୟ ଦେଶମାନେ ଓହରି ଆସିବା ଏବଂ ପ୍ରାକୃତିକ କୃଷି ମାଧ୍ୟମରେ ସ୍ଥାନୀୟ ଖାଦ୍ୟ ସମସ୍ୟା ସମାଧାନ ଦ୍ବାରା କ୍ଷୁଧା ମୁକ୍ତ ବିଶ୍ୱ ସମ୍ଭବ ।

Comments are closed.